ଜାତୀୟତାବୋଧ ସୃଷ୍ଟିରେ ଗଣମାଧ୍ୟମ ଭୂମିକା ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ଗଣମାଧ୍ୟମ ସାମାଜିକ ଜୀବନକୁ ପ୍ରଭାବିତ କରିଛି। ଓଡ଼ିଆ ଭାଷା, ସଂସ୍କୃତିକୁ ସୁରକ୍ଷିତ ରଖି ଆସିଛି। ଓଡ଼ିଆ ଜାତୀୟତାବୋଧ ସୃଷ୍ଟିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି। ସତ୍ୟବାଦୀ ଚେତନାର ମୁଖପତ୍ର ଭାବେ ‘ସମାଜ’, ଭାଷା, ସାହିତ୍ୟ ବିକାଶ ପାଇଁ ‘ପ୍ରଜାତନ୍ତ୍ର’ ଏବଂ ଶୁଦ୍ଧ ଲିଖନ ମାଧ୍ୟମରେ ‘ସମ୍ବାଦ’ ଭଳି ଗଣମାଧ୍ୟମ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରି ଆସିଛନ୍ତି। ମାତ୍ର କିଛି ବର୍ଷ ହେଲା ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ ଓଡ଼ିଆ ଭାଷାର ବ୍ୟବହାର ଉଦବେଗଜନକ। ଫଳରେ ଓଡ଼ିଆ ଭାଷାର ବହୁ ମୌଳିକ ଓ ମାଧୁର୍ଯ୍ୟ ଶବ୍ଦ ଲୋପ ପାଇବାକୁ ଯାଉଛି। ଏଭଳି ସମସ୍ୟା ଚିହ୍ନଟ ସହ ଏହାର ନିରାକରଣ କରିବାର ଆବଶ୍ୟକତା ରହିଛି। ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଆୟୋଜିତ ‘ଗଣମାଧ୍ୟମରେ ଭାଷା’ ଶୀର୍ଷକ ୱେବିନାର୍‌ରେ ଅତିଥିମାନେ ଏହି ମତ ରଖିଛନ୍ତି।

କାନାଡ଼ାର ‘ଓଡ଼ିଆ ସାହିତ୍ୟ ଟୁଙ୍ଗି’ ସହଯୋଗରେ ଆୟୋଜିତ ଏହି ଅନ୍ତର୍ଜାତୀୟ ଆଲୋଚନାକୁ ସାଂସଦ ତଥା ‘ପ୍ରଜାତନ୍ତ୍ର’ର ସମ୍ପାଦକ ଭର୍ତୃହରି ମହତାବ ଉଦଘାଟନ କରି କହିଲେ, ଗଣମାଧ୍ୟମ ଲୋକଭାଷାକୁ ପ୍ରକାଶ କରି କ୍ରମେ ମାନକ ଭାଷାରେ ରୂପ ଦେଇଥାଏ। ‘ସମ୍ବାଦ’ର ଫିଚର ସମ୍ପାଦକ ଗୌରହରି ଦାସ କହିଲେ, ଯାନ୍ତ୍ରିକ କୌଶଳ ସାମ୍ବାଦିକତା କାର୍ଯ୍ୟକୁ ସରଳ କରୁଥିଲେ ମଧ୍ୟ ସମୟର ଆବଶ୍ୟକତାକୁ ନେଇ ଭାଷାର ରୂପ ଓ ଶୈଳୀର ନୂତନତାକୁ ଗ୍ରହଣ କରିବାକୁ ବାଧ୍ୟ ହେଉଛି। ତେବେ ଏ ଦିଗରେ ଗଣମାଧ୍ୟମ ଆହୁରି ସତର୍କ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ‘ସମାଜ’ର ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି କହିଲେ, ଜଣେ ସମ୍ପାଦକ ଖଣ୍ଡାଧାରରେ ରହି କାର୍ଯ୍ୟ କରିଥାଏ। ତ୍ରୁଟି ସଂଶୋଧନକୁ ଗୁରୁତ୍ବ ଦେବା ସମସ୍ତ ଗଣମାଧ୍ୟମ ସମ୍ପାଦକଙ୍କ ନିମନ୍ତେ ସମୟୋପଯୋଗୀ ଆହ୍ବାନ।

ପ୍ରାକ୍ତନ ରାଷ୍ଟ୍ରଦୂତ ଓ ଅନୁଷ୍ଠାନର ଅଧ୍ୟକ୍ଷ ଅବସର ବେଉରିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ର ନିର୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ଭିତ୍ତିପତ୍ର ଉପସ୍ଥାପନ କରିଥିଲେ। ପ୍ରଫେସର ଓଁକାରନାଥ ମହାନ୍ତି ନିର୍ଯ୍ୟାସ ଓ ନିରାକରଣ ସମ୍ପର୍କରେ କହିଥିଲେ। ଆମେରିକା, କାନାଡ଼ା, ଦୁବାଇ, ମାଲେସିଆ, ଜର୍ମାନି ଆଦିରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଆଲୋଚନାରେ ସାମିଲ୍‌ ହୋଇଥିଲେ। ସଦସ୍ୟ ସଚିବ ଡ.ସୁବ୍ରତ କୁମାର ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥ‌ିଲେ।

ସମ୍ବନ୍ଧିତ ଖବର