ନିର୍ମାଣାଧୀନ କଲଭର୍ଟ ଚାଷୀଙ୍କ କାଳ, ସର୍ଭିସ୍ ରୋଡ୍‌ ପାଇଁ ବୁଣାଜମି ଉବୁଟୁବୁ

ବାଲିପାଟଣା: ନିମାପଡ଼ା-ସରଦେଇପୁର ରାସ୍ତା ଓଡ଼ଖଣ୍ଡଠାରେ ନିର୍ମାଣାଧୀନ ବକ୍ସ ସେଲ୍‌ କଲଭର୍ଟ ଚାଷୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ସର୍ଭିସ୍ ରୋଡ୍‌ରେ ଜଳ ନିସ୍କାସନ ବ୍ୟବସ୍ଥା ନଥିବାରୁ ଶହ ଶହ ଏକର ଧାନ ବୁଣାଜମି ଲଗାଣ ବର୍ଷା ଲାଗି ବୁଡ଼ି ରହିଛି। ଗୋଟିଏ ପଟେ ଯାତାୟାତ ଠପ୍‌ ହୋଇଯାଇଥିବା ବେଳେ ବୁଣା ହୋଇଥିବା ବିହନ ନଷ୍ଟ ‌ହେବା ଆଶଙ୍କାରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ପୂର୍ତ୍ତ ବିଭାଗ ଅଧୀନ ଏହି ରାସ୍ତାର ଓଡ଼ଖଣ୍ଡ କଲଭର୍ଟ ଦୀର୍ଘ ବର୍ଷ ଧରି ଅସୁରକ୍ଷିତ ହୋଇପଡ଼ିଥିଲା। ବାରମ୍ବାର ଅଭିଯୋଗ ପରେ ଏହି କାମ ଆରମ୍ଭ ହୋଇଥିଲା। କଲଭର୍ଟ ନିର୍ମାଣ ସମୟରେ ଯାତାୟାତ ପାଇଁ କଡ଼ରେ ଏକ ସର୍ଭିସ୍ ରୋଡ୍‌ ନିର୍ମାଣ ହୋଇଥିଲା। କିନ୍ତୁ ଉକ୍ତ ରାସ୍ତାରେ ଜଳ ନିସ୍କାସନ ବ୍ୟବସ୍ଥା ନଥିଲା। ଏବେ ବର୍ଷା ଯୋଗୁଁ ଉକ୍ତ ଶାଖା ରାସ୍ତାଟି ପାଣିରେ ବୁଡ଼ି ଯାଇଥିଲଶ। ଫଳରେ ବିପଦପୂର୍ଣ୍ଣ ଅବସ୍ଥାରେ ଲୋକେ ଗାଡ଼ିମଟର ଧରି ଏଥିରେ ଯା’ଆସ କରୁଥିଲେ। ଅନ୍ୟପକ୍ଷରେ ଜଳ ନିଷ୍କାସନ ହୋଇପାରୁ ନଥିବାରୁ ଓଡ଼ଖଣ୍ଡ, ସୋଧୂଅ, ବଦଳା କଳାମାଟି ଏବଂ ପୂବାଗଡ଼ ଗହୀରରେ ବନ୍ୟା ସୃଷ୍ଟି ହୋଇଛି।

ନିକଟରେ ଧାନ ବୁଣା ହୋଇଥିବା ଜମିରେ ପାଣି ଜମି ରହିଛି। ଫଳରେ ସଦ୍ୟ ଗଜା ହୋଇଥିବା ଗଛ ପଚି ଯିବ ଓ ଗଜା ହୋଇନଥିବା ଧାନ ବିହନ ପାଣିରେ ବୁଡ଼ି ରହି ନଷ୍ଟ ହୋଇଯିବ ବୋଲି ଚାଷୀମାନେ କହିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ଠିକାଦାର ବୁଡ଼ି ଯାଇଥିବା ସର୍ଭିସ୍ ରୋଡ୍‌କୁ ଖୋଳି ଦେଇଥିଲେ। ଫଳରେ ଗହୀରରୁ ଜଳ ନିଷ୍କାସନ ସିନା ହେଲା, କିନ୍ତୁ ଯାତାୟାତ ସମ୍ପୂର୍ଣ ଠପ୍‌ ହୋଇଯାଇଛି। ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଦିଲ୍ଲୀପ ପତି ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି ଓ ଖୁବ୍‌ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର