ବିଧାନସଭାରେ ପାରିତ ହେଲା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ, ଅଧ୍ୟାଦେଶ ନକଲ ପୋଡ଼ିଲା ଶିକ୍ଷା ବଞ୍ଚାଅ କମିଟି

ଏଆଇଡିଏସ୍‌ଓ ପାଳିଲା କଳା ଦିବସ

ଭୁବନେଶ୍ବର: ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧିତ) ଅଧ୍ୟାଦେଶକୁ ବିରୋଧ କରି ସର୍ବଭାରତୀୟ ଶିକ୍ଷା ବଞ୍ଚାଅ କମିଟି ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଅଧ୍ୟାଦେଶର ନକଲ ପୋଡ଼ାଯାଇଛି। କମିଟି ପକ୍ଷରୁ କୁହାଯାଇଛି ଯେ ଯେତେବେଳେ ସାରା ରାଜ୍ୟବାସୀ କରୋନା ସହ ଲଢ଼େଇ କରୁଛନ୍ତି ସେଭଳି ସମୟରେ ରାଜ୍ୟ ସରକାର ହଠାତ୍‌ ଅଧ୍ୟାଦେଶ ଆଣି ସିନେଟ୍‌ ବ୍ୟବସ୍ଥା ଉଚ୍ଛେଦ କରିବା, ବିଶ୍ବବିଦ୍ୟାଳୟ ହାତରୁ ପ୍ରଫେସର ନିଯୁକ୍ତିକୁ କାଢ଼ି ଓପିଏସ୍‌ସିକୁ ଦେବା, କୁଳପତି ଚୟନ କମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ରଖିବା, ରେଭେନ୍ସା ବିଶ୍ବବିଦ୍ୟାଳୟ ଆଇନକୁ ବାତିଲ୍‌ କରିବା ପରି ବିଭିନ୍ନ ଅଗଣତାନ୍ତ୍ରିକ ନିଷ୍ପତ୍ତି ନିଆଯାଇଛି। ଯେତେବେଳେ ଓପିଏସ୍‌ସି ଦ୍ବାରା ସରକାରୀ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ନିଯୁକ୍ତି ସମ୍ପୂର୍ଣ୍ଣ ଭାବେ ବିଫଳ ହେଉଛି ସେଭଳି ସ୍ଥଳେ ବିଶ୍ବବିଦ୍ୟାଳୟରେ ଚୟନ ପ୍ରକ୍ରିୟା କିଭଳି ହେବ ତାହା ସ୍ପଷ୍ଟ ଅନୁମେୟ। ରାଜ୍ୟ ସରକାରଙ୍କ ଏଭଳି ଶିକ୍ଷା ବିରୋଧୀ ନିଷ୍ପତ୍ତି ଦ୍ବାରା ବିଶ୍ବବିଦ୍ୟାଳୟଗୁଡ଼ିକ ଚରମ ଅବହେଳାର ଶିକାର ହେବେ ବୋଲି କମିଟିର ସଦସ୍ୟ ଛବି ମହାନ୍ତି, ରାଜେନ୍ଦ୍ର ବର୍ମା, ସୁବାସ ନାୟକ, ଗଣେଶ ତ୍ରିପାଠୀ, ବିନୋଦ ସେଠୀ, ଅଶୋକ ସାହୁ ପ୍ରମୁଖ କହିଛନ୍ତି।

ଭୁବନେଶ୍ବର: ରାଜ୍ୟ ସରକାର ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‍-୨୦୨୦ ବିଧାନସଭାରେ ପାରିତ କରିଥିବାରୁ ଏଆଇଡିଏସ୍‍ଓ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ସଙ୍ଗଠନ ପକ୍ଷରୁ ବିଧାନସଭା ସମ୍ମୁଖରେ ବିଲ୍‌କୁ ନକଲକୁ ପୋଡ଼ାଯିବା ସହ ଏହା ଏକ କଳା ବିଲ୍‍ ଏବଂ ଓଡ଼ିଶା ଶିକ୍ଷା ଇତିହାସରେ କଳା ଦିବସ ବୋଲି କୁହାଯାଇଛି। ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ଏହି କଳା କାରନାମାକୁ ରାଜ୍ୟପାଳ ମଧ୍ୟ କିଛି ଦିନ ତଳେ ସ୍ୱୀକୃତି ଦେଇଛନ୍ତି। ରାଜ୍ୟ ସରକାର ଓ ରାଜ୍ୟପାଳ ମିଳିତ ଭାବେ ଏହି ବିଲ୍‍ ପ୍ରଣୟନ କ୍ଷେତ୍ରରେ ସମାନଭାବେ ଦାୟୀ। ରାଜ୍ୟ ଓ କେନ୍ଦ୍ର ଉଭୟ ଷଡ଼୍‌ଯନ୍ତ୍ର କରି ଜାତୀୟ ଶିକ୍ଷାନୀତି-୨୦୨୦ ଓ ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ-୨୦୨୦ ପାରିତ କରି ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ ଓ କେନ୍ଦ୍ରୀକରଣ କରିବାକୁ ଚାହୁଁଛନ୍ତି। ଏହା ବିରୋଧରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଏଆଇଡିଏସ୍‍ଓ ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ, ସଂପାଦକ ସୁବାସ ନାୟକ, ନସିମ ସରକାର, ସ୍ୱସ୍ତି ସଙ୍ଗୀତା ଦଳାଇ କହିଛନ୍ତି।

ସମ୍ବନ୍ଧିତ ଖବର