ସାଇବର ଠକେଇ ରୋକିବାକୁ ତତ୍ପରତା ଏମିତି: ରାଜ୍ୟରେ ନାହିଁ ୨୪ଘଣ୍ଟିଆ ସାଇବର ସେଲ୍

କାହିଁକି କାର୍ଯ୍ୟକାରୀ ହେଉନି ୨୪ ଘଣ୍ଟିଆ ସାଇବର ସେଲ୍?

ଭୁବନେଶ୍ବର: ଡିଜିଟାଲ୍ ଯୁଗରେ ଅପରାଧର ସଂଜ୍ଞା ଧୀରେଧୀରେ ବଦଳୁଛି। ହତ୍ୟା, ଦୁଷ୍କର୍ମ, ଚୋରି ଭଳି ସଂଗିନ ଅପରାଧକୁ ପଛରେ ପକାଇ ଏବେ ସାଇବର ଠକେଇ ବା ତଜ୍ଜନିତ ଅପରାଧ ଶୀର୍ଷ ଛୁଇଁଲାଣି। ଲକ୍ଷେ କି କୋଟିଏ ନୁହେଁ; ହଜାରହଜାର କୋଟି ଲୋକଙ୍କଠାରୁ ଠକିନେଉଛନ୍ତି ସାଇବର ଠକ। ଏଥିପାଇଁ ଏକାଧିକ ରାଜ୍ୟ ତତ୍ପରତା ଦେଖାଇ ସାଇବର ଠକେଇ ଉପରେ ସ୍ବତନ୍ତ୍ର ବିଭାଗ କରି ଏହି ଅପରାଧକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ଓଡ଼ିଶା ପୁଲିସ ସାଇବର ଅପରାଧକୁ ରୋକିବାରେ ଆବଶ୍ୟକ ତତ୍ପରତା ପ୍ରକାଶ କରୁନାହିଁ। ରାଜ୍ୟରେ ସାଇବର ଠକେଇ ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଥିବାବେଳେ ଏହା ରୋକିବାକୁ କୌଣସି ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଉନି। ଏପରିକି ରାଜ୍ୟରେ ଗୋଟିଏ ୨୪ଘଣ୍ଟିଆ ସାଇବର ହେଲ୍ପ ଲାଇନ୍ ଡେସ୍କ୍ ବା ସେଲ୍‌ଟିଏ ମଧ୍ୟ ନାହିଁ। ଫଳରେ ହ୍ୟାକର୍‌ଙ୍କୁ ଧରିବାରେ ଏବଂ ଠକେଇ ହୋଇଥିବା ଟଙ୍କା ଫେରିପାଇବାରେ ରାଜ୍ୟ ପୁଲିସ ଆଶାନୁରୂପ ସଫଳତା ପାଉନଥିବା କହିଛନ୍ତି ସାଇବର ବିଶେଷଜ୍ଞ।

ରାଜ୍ୟରେ ସାଇବର ଅପରାଧର ନିୟନ୍ତ୍ରଣ ଲାଗି ମଙ୍ଗ ଧରିଛି କ୍ରାଇମ୍‌ବ୍ରାଞ୍ଚ। ଏସ୍‌ଟିଏଫ୍ ଓ ଇଓଡବ୍ଲୁ ବ୍ୟତୀତ ସାଇବର ଅପରାଧକୁ ସ୍ବତନ୍ତ୍ର ଭାବେ ତଦାରଖ କରିବା ପାଇଁ ୨୦୦୪ ମସିହାରେ ସାଇବର ବିଭାଗ ହେବ ବୋଲି ଘୋଷଣା ହୋଇଥିଲା। ହେଲେ ଏହା ଘୋଷଣାରେ ରହିଯାଇଛି। ଧୀରେ ଧୀରେ ସାଇବର ଠକେଇ ଉପରମୁହାଁ ହେବା ସହିତ ହଜାର ହଜାର ଲୋକଙ୍କ ଟଙ୍କା, ବ୍ୟକ୍ତିଗତ ତଥ୍ୟ, ସାଇବର ପର୍ଣ୍ଣୋଗ୍ରାଫି ଭଳି ସମ୍ବେଦନଶୀଳ ଅପରାଧ ସଂଘଟିତ ହେଉଛି। ଫଳରେ କେନ୍ଦ୍ର ସରକାର ସମେତ ଏକାଧିକ ରାଜ୍ୟ ଏବେ ସାଇବର ଅପରାଧକୁ ଗୁରୁତ୍ବର ସହ ନେଇଛନ୍ତି। ରାଜ୍ୟମାନଙ୍କର ମଧ୍ୟରେ କେରଳ ଓ ମହାରାଷ୍ଟ୍ରରେ ସାଇବର ସେଲ୍,୨୪ଘଣ୍ଟିଆ ସାଇବର ହେଲ୍ପ ଡେସ୍କ୍ ଓ ଥାନା କାର୍ଯ୍ୟକାରୀ ହେଉଛି। ହେଲେ ଆମ ରାଜ୍ୟରେ କ୍ରାଇମ୍‌ବ୍ରାଞ୍ଚ ତତ୍ବାବଧାନରେ ଚାଲୁଥିବା ସାଇବର ହେଲ୍ପ ଡେସ୍କ ୧୬ ଘଣ୍ଟା କାମ କରୁଥିବା ବେଳେ ଭୁବନେଶ୍ବର ଡିସିପି କାର୍ଯ୍ୟାଳୟର ନିଜସ୍ବ ଉଦ୍ୟମରେ ୮ଘଣ୍ଟିଆ ସାଇବର୍ ହେଲ୍ପ ଡେସ୍କ କାମ କରୁଛି। ଫଳରେ ସାଇବର ଅପରାଧକୁ ରୋକିବାରେ ନିର୍ଣ୍ଣାୟକ ଭୂମିକା ନେଉଥିବା ‘ଗୋଲ୍ଡେନ୍ ଆଵାର୍ ରୁଲ୍’ ରାଜ୍ୟର କେଉଁଠାରେ ବି କାର୍ଯ୍ୟକାରୀ ହେଉନଥିବା ଜଣାପଡ଼ିଛି।

ଗୋଲ୍ଡେନ୍ ଆଵାର୍ ରୁଲ୍‌କୁ ଗୁରୁତ୍ବ ଦିଆଯାଉନଥିବାରୁ ଟଙ୍କା ଫେରିପାରୁନି: ସାଇବର ବିଶେଷଜ୍ଞ
୨୪ଘଣ୍ଟିଆ ହେଲ୍ପ ଡେସ୍କ ପରିଚାଳନାରେ ବାଧକ ସାଜିଛି କର୍ମଚାରୀ ଅଭାବ: ଏଡିଜି

କାହିଁକି କାର୍ଯ୍ୟକାରୀ ହେଉନି ୨୪ ଘଣ୍ଟିଆ ସାଇବର ସେଲ୍?
ରାଜ୍ୟରେ୨୪ଘଣ୍ଟିଆ ସାଇବର ହେଲ୍ପ ଡେସ୍କ୍ କାମ କରୁନି। କାରଣ ଏଠି ଆବଶ୍ୟକ ପରିମାଣରେ କର୍ମଚାରୀ ନାହାନ୍ତି। ଏଡିଜି ସଂଜୀବ ପଣ୍ଡାଙ୍କ କହିବା ମୁତାବକ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଖୋଲିଥିବା ସାଇବର ହେଲ୍ପ ଡେସ୍କ ସକାଳ ୬ରୁ ରାତି ୧୦ ପର୍ଯ୍ୟନ୍ତ କାମ କରୁଛି। ଏହା ଭିତରେ ଆସୁଥିବା ମାମଲାକୁ ଗୁରୁତ୍ବର ସହ ନିଆଯାଇ ଉଭୟ ଠକ ଓ ଠକେଇ ଟଙ୍କା ଫେରସ୍ତ ପାଇଁ ଉଦ୍ୟମ ହେଉଛି। ତେବେ ସାଇବର ବିଶେଷଜ୍ଞଙ୍କ କହିବା କଥା ହେଲା ରାତି ୧୦ଟା ପରେ ଅଭିଯୋଗ ହେଲେ ସକାଳ ୬ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ଆଉ ଏହି ୮ଘଣ୍ଟା ଭିତରେ ସାଇବର ଠକ ଟଙ୍କାକୁ ଏକାଧିକ ଆକାଉଣ୍ଟ୍‌କୁ ସ୍ଥାନାନ୍ତର କରି ଦେଉଥିବାରୁ ଠକକୁ ଧରିବା ଏବଂ ଟଙ୍କା ଫେରିବା ସମ୍ଭବ ହେଉନି। ଏ ନେଇ ଭୁବନେଶ୍ବର ଡିସିପି କହିଛନ୍ତି, ଭୁବନେଶ୍ବର ସାଇବର ହେଲ୍ପ ଡେସ୍କ୍‌କୁ ପୂର୍ଣ୍ଣ ଭାବେ ଚଳାଇବାକୁ ହେଲେ ଅନ୍ୟୂନ ୯ ପୁଲିସ କର୍ମଚାରୀ ଏବଂ ୩ଜଣ ଆଇଆଇସି ରୢାଙ୍କ୍‌ର ପୁଲିସ ଅଧିକାରୀ ଆବଶ୍ୟକ।

ମାତ୍ର କାର୍ଯ୍ୟାଳୟରେ ଏତେ ସଂଖ୍ୟକ କର୍ମଚାରୀ ନଥିବାରୁ ସକାଳ ୧୦ଟାରୁ ଅପରାହ୍ଣ ୫ଟା ଯାଏ ହେଲ୍ପ ଡେସ୍କ କାର୍ଯ୍ୟକାରୀ ହେଉଛି। ଏହା ବ୍ୟତୀତ ସାଇବର ଠକେଇର ଶିକାର ହେଉଥିବା ବ୍ୟକ୍ତିମାନେ ନିକଟସ୍ଥ ଥାନାକୁ ଯାଇ ଅଭିଯୋଗ କରିବା ସହିତ ତଦନ୍ତ କେତେ ଆଗେଇଲା ତା’ର ମଧ୍ୟ ତଦାରଖ କରିପାରିବେ। ଭୁବନେଶ୍ବରର ଜଣେ ବରିଷ୍ଠ ଥାନାଧିକାରୀ କହିଛନ୍ତି, ଥାନାଗୁଡ଼ିକ ଯଥେଷ୍ଟ କମ୍ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରୁଛି। ଫଳରେ ସାଇବର ଠକେଇ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ସମ୍ଭବ ହେଉନି। ସାଇବର ଠକଙ୍କୁ ଗିରଫ କରିବାକୁ ହେଲେ ଏକ ସ୍ପେସାଲ୍ ଟିମ୍ କରି ତାକୁ କାର୍ଯ୍ୟକାରୀ କରିବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ‌ ଯେ ସାଇବର ଅପରାଧର ତଦନ୍ତ ଲାଗି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଭୁବନେଶ୍ବରରେ ଗତ ନଭେମ୍ବର ମାସରେ ଏକ ନବନିର୍ମିତ କୋଠାରେ କାମ ଆରମ୍ଭ ହୋଇଥାନ୍ତା। ହେଲେ ଇତିମଧ୍ୟରେ ୯ମାସ ବିତିଲାଣି, ରଙ୍ଗ ଦିଆଯାଇ ସାଇବର ଭବନ ବନ୍ଦ ପଡ଼ିଛି।

ଗୋଲ୍ଡେନ୍ ଆଵାର ରୁଲ୍ କ’ଣ?
ସାଇବର ଅପରାଧକୁ ରୋକିବା ଯଦିଓ ସେଭଳି ନୂତନ ବୈଷୟିକ ଜ୍ଞାନକୌଶଳ ନାହିଁ, ତଥାପି ଯେତିକି ଅଛି ତାହାକୁ ନିଷ୍ଠାର ସହ ଉପଯୋଗ କଲେ ଏହା ବହୁ ମାତ୍ରାରେ ହ୍ରାସ ପାଇପାରିବ। ସୀମିତ ଜ୍ଞାନକୌଶଳର ସବୁଠୁ ବଡ଼ ଉଦାହରଣ ହେଉଛି, ଗୋଲ୍ଡେନ୍ ଆଵାର ରୁଲ୍‌କୁ କାର୍ଯ୍ୟକାରୀ କରିବା। ସାଇବର ବିଶେଷଜ୍ଞଙ୍କ କହିବା ମୁତାବକ, ସାଇବର ଠକ ଯେତେବେଳେ ଆକାଉଣ୍ଟ୍‌ରୁ ଟଙ୍କା ଲୁଟିନିଏ, ସେତିକିବେଳେ ୧ରୁ ୨ଘଣ୍ଟା ପର୍ଯ୍ୟନ୍ତ କ୍ରାଇମ୍ ପ୍ଲଟ୍‌ରୁ ସଦ୍ୟ ତଥ୍ୟ ଓ ପ୍ରମାଣ ସଂଗ୍ରହ କରାଯାଏ। ପ୍ରାଥମିକ ତଦନ୍ତରୁ ସଂଗୃହୀତ ତଥ୍ୟ ଓ ପ୍ରମାଣକୁ ଆଧାର କରି ସାଇବର ବିଶେଷଜ୍ଞ ଅଭିଯୁକ୍ତ ପାଖରେ ପହଞ୍ଚିଥାଏ। ତା’କୁ ଗୋଲ୍ଡେନ ଆଵାର ରୁଲ୍ କୁହାଯାଏ। ସେହିପରି ସାଇବର ଠକେଇର ଶିକାର ହେଉଥିବା ବ୍ୟକ୍ତି, ଆକାଉଣ୍ଟରୁ ଟଙ୍କା କଟିବା ମାତ୍ରେ ହିଁ ସାଇବର୍ ହେଲ୍ପ ଡେସ୍କରେ ଜଣାଇବା କଥା। କାରଣ ଟଙ୍କା କଟିବାର ଏକ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ।

ଏହି ଘଣ୍ଟାରେ ଅଭିଯୋଗ ହେଲେ ଟଙ୍କା ଫେରିବାର କିଛି ସୁଯୋଗ ଥାଏ। ଆର୍‌ବିଆଇ ନିୟମାବଳି ଅନୁସାରେ ଆକାଉଣ୍ଟ୍‌ରୁ ଟଙ୍କା କଟି ୪୮ଘଣ୍ଟା ପର୍ଯ୍ୟନ୍ତ ଅନ୍ୟ ଆକାଉଣ୍ଟ୍‌କୁ ଟଙ୍କା ଯାଇନଥାଏ। ଫଳରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅଭିଯୋଗ ହେଲେ ପ୍ରଥମେ ଟଙ୍କା ସ୍ଥାନାନ୍ତରଣ ହୋଇଥିବା ଉଭୟ ଆକାଉଣ୍ଟ୍‌କୁ ବ୍ଲକ୍ କରାଯାଏ। ଏହା ପରେ ଆଗାମୀ ୪୮ଘଣ୍ଟା ପର୍ଯ୍ୟନ୍ତ ଟଙ୍କା ଟ୍ରାଞ୍ଜାକ୍‌ସନ ହୋଇଥିବାର ସମସ୍ତ ତଥ୍ୟ ଅଭିଯୋଗ ଆକାରରେ ଦାଖଲ କଲେ ୩୦ରୁ ୪୫ଦିନ ମଧ୍ୟରେ ଟଙ୍କା ଆକାଉଣ୍ଟ୍‌କୁ ଫେରିଆସିବାର ସମ୍ଭାବନା ଥାଏ। ଘଣ୍ଟିକିଆ ଗୋଲ୍ଚେନ୍ ଆଵାର ରୁଲ୍‌କୁ ସବୁ ରାଜ୍ୟ ଲାଗୁ କରିବା ଉଚିତ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର