ଆଜି ସାଇକେଲ୍‌ ଗିରି, କୋଭିଡ୍‌ କଟକଣା ମାନିବେ ତ!

ଭୁବନେଶ୍ବର: ‘ମୋ ସାଇକେଲ୍‌’ ଯୋଜନା ଫେଲ୍‌ ମାରିବା‌ ପରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ୍‌) କର୍ତ୍ତୃପକ୍ଷ କ୍ରୁଟ୍‌ ହାତରୁ ମୋ ସାଇକେଲ ପରିଚାଳନା ଦାୟିତ୍ବ ‌କାଢ଼ିନେଇଛନ୍ତି। ଏବେ ମୋ ସାଇକେଲ୍‌ ପ୍ରତି ଯେପରି ଲୋକଙ୍କ ଆଗ୍ରହ ବଢ଼ିବ, ଅଧିକ ଲୋକ ସାଇକେଲ୍‌ ଚଲାଇବେ ସେଥିପାଇଁ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଶୁକ୍ରବାର ସାଇକେଲ ଗିରି ଆରମ୍ଭ କରିବେ। ଶିଶୁଭବନ ଛକ ସ୍ଥିତ ଏକାମ୍ର ପ୍ଲାଜା ନିକଟରୁ ଧଉଳି ପର୍ଯ୍ୟନ୍ତ ଲୋକମାନେ ସାଇକେଲ୍‌ ଚଲାଇଯିବେ ଓ ସେଠାରୁ ଫେରିବେ। ହେଲେ ଏହି ସାଇକେଲ୍‌ ‌ରାଲିରେ କୋଭିଡ୍‌ କଟକଣା ପାଳନ ହେବ ତ! ଏହିଭଳି ପ୍ରଶ୍ନ ଉଠିଲାଣି।

ବିଏମ୍‌ସି କମିସନର ତଥା ବିଏସ୍‌ସିଏଲ୍‌ ସିଇଓ ପ୍ରେମଚନ୍ଦ୍ର ଚୌଧରୀ ଏହି ସାଇକେଲ୍‌ ଗିରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏଥିପାଇଁ ରାଜଧାନୀର ପୋଖରୀପୁଟ, ପଟିଆ, ଖଣ୍ଡଗିରିସ୍ଥିତ ଡିପୋରୁ ମୋ ସାଇ‌େକଲ୍‌ଗୁଡ଼ିକୁ ଆଣି ଶିଶୁଭବନ ଛକସ୍ଥିତ ଏକାମ୍ର ପ୍ଲାଜା ନିକଟରେ ରଖାଯାଇଛି। ସମସ୍ତ ୨ହଜାର ମୋ ସାଇକେଲ୍‌କୁ ଏଠାରେ ସଜାଇ ରଖାଯାଇଛି। ଆସନ୍ତାକାଲି ସକାଳ ୬ଟା ୩୦ରେ ଆରମ୍ଭ ହେବାକୁ ଥିବା ସାଇକେଲ୍‌ ଗିରି କାର୍ଯ୍ୟକ୍ରମରେ ବିଏମ୍‌ସି, ବିଡିଏ, ବିଏସ୍‌ସିଏଲ୍‌ର କର୍ମଚାରୀଙ୍କ ସମେତ ବିଭିନ୍ନ ସଂସ୍ଥା ଓ ସାଧାରଣ ଲୋକ ସାମିଲ୍‌ ହେବେ। କିଛି ଲୋକ ନିଜ ସାଇକେଲ୍‌ ଆଣି ବି ଚଲାଇବେ। ହେଲେ ଏହି ଲୋକମାନେ କୋଭିଡ୍‌ କଟକଣା ମାନିବେ ତ! ‌

୧୦୦ରୁ ଅଧିକ ଲୋକ ଏକାଠି ହେବା ଉପରେ ସରକାର କଟକଣା ଲଗାଇଛନ୍ତି। ରାଜଧାନୀରେ ଏହି ନିୟମ ଯେପରି କଡ଼ାକଡ଼ି ପାଳନ ହେବ ତାହାକୁ ତଦାରଖ କରିବା ବିଏମ୍‌ସି କମିସନର ଓ ପୁଲିସ କମିସନରଙ୍କ ଦାୟିତ୍ବ। କିନ୍ତୁ ବିଏମ୍‌ସି କମିସନର ଯେଉଁ ସାଇକେଲ୍‌ ରାଲିରେ ଯୋଗଦେବେ ସେଠାରେ ୨ହଜାରରୁ ଅଧିକ ଲୋକ ଏକାଠି ହେବେ। ପୁରୁଣା ଭୁବନେଶ୍ବରର ଅଣଓସାରିଆ ରାସ୍ତା ଦେଇ ଏହି ରାଲି ଧଉଳି ପର୍ଯ୍ୟନ୍ତ ଯିବ। ଏକାଠି ହଜାର ହଜାର ସାଇକେଲ୍‌ ଗଡ଼ିଲେ ସାଇକେଲ ଚାଳକଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବା କ’ଣ ସମ୍ଭବ ହେବ? ଯେଉଁ ଦୋକାନରେ ଗହଳି ହେଉଛି ତାହାକୁ କମିସନରେଟ୍‌ ପୁଲିସ ସିଲ୍‌ କରି ଜରିମାନା ଆଦାୟ କରୁଛି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ସାଇକେଲ୍‌ ଗିରି କାର୍ଯ୍ୟକ୍ରମରେ ସାମାଜିକ ଦୂରତା ନିୟମ (ସର୍ବନିମ୍ନ ୬ଫୁଟ ଦୂରତା) ପାଳନ ‌ନହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ତ? ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ସାଇକେଲ୍‌ ଗିରି କାର୍ଯ୍ୟକ୍ରମକୁ ସାମାଜିକ ଦୂରତା ଓ କୋଭିଡ୍‌ କଟକଣା ଅନୁସାରେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ଶୁକ୍ରବାର ସକାଳେ ଏହାକୁ କଡ଼ାକଡ଼ି ପାଳନ କରାଯିବ।

ସମ୍ବନ୍ଧିତ ଖବର