ଆଜି କୁଆଁର ପୂନେଇଁ: ଭଲ ବର ପାଇବାକୁ କୁମାରୀ କରିବେ ଉପବାସ, ପଦ୍ମ ଓ କଇଁଫୁଲ ଗୋଟାକୁ କୋଡ଼ିଏ

ଚଳଚଞ୍ଚଳ ରାଜଧାନୀ ବଜାର, ଏକ ନମ୍ବର ହାଟରେ ଭିଡ଼

ଭୁବନେଶ୍ୱର: ପୁଣି ଆସିଛି କୁମାର ପୂନେଇଁ। ଏହି ଦିନ କାର୍ତ୍ତିକେୟଙ୍କ ଜନ୍ମଦିନ ଥିବାରୁ ଏହି ପୂଜା କଲେ ତାଙ୍କ ଭଳି ସୁନ୍ଦର ଓ ବୀର ବର ମିଳେ ବୋଲି ଲୋକ ବିଶ୍ବାସ ରହିଛି। ତେଣୁ ସର୍ବଗୁଣସମ୍ପନ୍ନ ଜୀବନସାଥୀଟିଏ ପାଇବାକୁ ଆସନ୍ତାକାଲି କୁମାରୀ କରିବେ ଚନ୍ଦ୍ରପୂଜା। ଏନେଇ କୁମାରୀଙ୍କ ମନରେ ବେଶ୍‌ ଉତ୍ସାହ ଭରିରହିଛି। ମା’ ଗଜଲକ୍ଷ୍ମୀଙ୍କ ଆବାହନ ଓ କୁଆଁର ପୂନେଇଁ ପୂଜାର୍ଚ୍ଚନା ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଛି ରାଜଧାନୀ। ସାମୂହିକ ଓ ପାରିବାରିକସ୍ତରରେ ଏ ନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଗାଁ ଗହଳି ଭଳି ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳର ଝିଅମାନଙ୍କ ମନରେ ଏହି ପର୍ବକୁ ନେଇ ଉତ୍ସାହ ପରିଲକ୍ଷିତ ହୁଏ। ଗାଁ ପରି ଏଠାରେ ଦଳଦଳ ହୋଇ ଝିଅମାନେ ଚଉରା ମୂଳକୁ ଯିବା ସମ୍ଭବ ହେଉ ନ ଥିଲେ ବି ଘରେ ଘରେ ଏହି ପରମ୍ପରାକୁ ଧରି ରଖିବାର ପ୍ରୟାସରେ ଆଦୌ ହେଳା କରୁ ନାହାନ୍ତି। ଏହା ସହ କିଛି ଆବାସିକ କଲୋନିରେ ଝିଅମାନେ ମିଳିତ ଭାବେ ପୂଜାର୍ଚ୍ଚନା କରିବାର ବିଧି ଏବେ ବି ବଞ୍ଚି ରହିଛି। କିନ୍ତୁ ଚଳିତ ବର୍ଷ ପୂର୍ବ ବର୍ଷଗୁଡ଼ିକ ଭଳି ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ କୁମାର ଉତ୍ସବ ଆୟୋଜିତ ହେଉନାହିଁ। କିନ୍ତୁ କିଛି ଲକ୍ଷ୍ମୀ ପୂଜା ମଣ୍ଡପରେ ଆସନ୍ତାକାଲି କୁମାରୀ ପୂଜା ହେବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।

ପରମ୍ପରା ଅନୁଯାୟୀ ସକାଳ ନ ପାଉଣୁ ଗାଧୋଇ ପାଧୋଇ ନୂଆ ଲୁଗା ପିନ୍ଧି କୁମାରୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ସୂର୍ଯ୍ୟଦେବତାଙ୍କୁ ଆଞ୍ଜୁଳି ଟେକିବେ। ଚଉରା ମୂଳ ଲିପାଲିପି କରି ମୁରୁଜ ପକାଇ ଆରମ୍ଭ ହେବ ପୂଜାର୍ଚ୍ଚନା। ଖଇ, ଗୁଆ, କଦଳୀ, ନଡ଼ିଆ, କସି କାକୁଡ଼ି, କସି ଜହ୍ନି ଓ ଆଖୁ ଭଳି ଫଳ ଭୋଗ ଲାଗିବ। ସନ୍ଧ୍ୟାରେ କୁମାରୀମାନେ ଚଉରା ମୂଳେ ଏକତ୍ର ହୋଇ କରିବେ ଚାନ୍ଦ ପୂଜା। ଜହ୍ନ ଉଇଁଲେ ଆରମ୍ଭ ହୋଇଯାଏ ଏହି ପୂଜା। କୁଆଁରୀଙ୍କ ହୁଳହୁଳି ଶବ୍ଦରେ କମ୍ପିଉଠେ ପୂରା ପରିବେଶ। ଖଇ, ନଡ଼ିଆ, କଦଳୀ, ଛେନା ଓ ଗୁଡ଼ ଆଦିରେ ପ୍ରସ୍ତୁତ ଚାନ୍ଦ ଚକଟା ପୂନେଇଁ ଜହ୍ନକୁ ଭୋଗ ଲାଗେ। ପୂଜା ହେବା ପରେ କୁଆଁରୀମାନେ ଏହାକୁ କବାଟ କଣରେ ଲୁଚେଇ ଲୁଚେଇ ଖାଆନ୍ତି ଏବଂ ପରସ୍ପରକୁ ଖୁଆନ୍ତି। ଏହା ପରେ ଆରମ୍ଭ ହୋଇଯାଏ କୁଆଁର ପୁନେଇଁ ଜହ୍ନ ଗୋ…. ଗୀତ ସାଙ୍ଗକୁ ପୁଚି ଖେଳର ଆସର।

କୁଆଁର ପୂନେଇଁ ପାଇଁ ଆଜି ରାଜଧାନୀର ବଜାର ବେଶ୍‌ ଚଳଚଞ୍ଚଳ ହୋଇ ଉଠିଥିଲା। କରୋନା କଟକଣା ସତ୍ତ୍ବେ ପୋଷାକ ବଜାରଠାରୁ ଆରମ୍ଭ କରି ଫଳ ବଜାର ଯାଏଁ ସବୁଠି ବେଶ୍‌ ଭିଡ଼ ଲାଗିଥିଲା। ଆସନ୍ତାକାଲି କୁମାରୀମାନେ ସୂର୍ଯ୍ୟ ଦେବତାଙ୍କୁ ଭକ୍ତିଅର୍ଘ୍ୟ ବାଢ଼ିବାକୁ ଆବଶ୍ୟକ ସାମଗ୍ରୀକୁ ନେଇ ଆଜି ରାଜଧାନୀରେ ଏକ ବଡ଼ ବଜାର ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ୟୁନିଟ୍‌-୧ ହାଟରେ ଏହାର ଝଲକ ଦେଖିବାକୁ ମିଳିଥିଲା। ଖଇ, କସି କାକୁଡି, କସି ଜହ୍ନି, ଆଖୁ, ତାଳ ଗଜା, ଗୋଟାଗୁଆ, କମଳା, ନାରଙ୍ଗ, ଦୁବଘାସ, ଆମ୍ବଡ଼ାଳ, ବରକୋଳି ପତ୍ର, କଦଳୀ ପତ୍ର, ଖିରିକୋଳି ଓ ଧାନ ଆଦିର ଏକ ସେଟ୍‌ ୩୦ ରୁ ୫୦ଟଙ୍କାରେ ବିକ୍ରି ହୋଇଥିଲା।

ୟୁନିଟ୍‌-୧ ହାଟରେ ଅସ୍ଥାୟୀ ଦୋକାନ କରି ଏହି ଭଳି ସାମଗ୍ରୀ ବିକ୍ରି କରୁଥିବା ଆଶା ଦେବୀ କହନ୍ତି, ଗାଁ ଗହଳିରେ ଏସବୁ ଜିନିଷ ସହଜରେ ମିଳିଯାଏ। କିନ୍ତୁ ସହରରେ ଏହିସବୁ ମିଳୁ ନ ଥିବାରୁ ଗାଁରୁ ଆସି କାଲିଠାରୁ ଏହି ବେପାର କରୁଛି। ଭଲ ବେପାର ହେଉଛି, ବେଶ୍‌ ଦୁଇ ପଇସା ରୋଜଗାର ମଧ୍ୟ ହୋଇପାରୁଛି। ସେହିପରି ଏହି ସବୁ ପୂଜା ସାମଗ୍ରୀ ରଖିବା ପାଇଁ ଆବଶ୍ୟକ କୁଲା, କାଇଁଞ୍ଚ ଡାଲା ଆଦି ନିଜ ହାତରେ ବୁଣି ବିକ୍ରି କରୁଛନ୍ତି କିଛି ବ୍ୟବସାୟୀ। ୨୦ଟଙ୍କାରେ ୧୦୦ଟଙ୍କା ପର୍ଯ୍ୟନ୍ତ ଏସବୁ ସେଠାରେ ମିଳିଯାଉଛି। ସେହିପରି କୁଆଁର ପୂନେଇଁରେ ନୂଆ ପୋଷାକ ପିନ୍ଧିବା ପରମ୍ପରା ଥିବାରୁ ଆଜି ପୋଷାକ ସୋ’ରୁମ୍‌ଗୁଡ଼ିକରେ ଭିଡ଼ ଦେଖିବାକୁ ମିଳିଥିଲା। ଏଥିପାଇଁ ସ୍ୱତନ୍ତ୍ର ରିହାତି ବି ମିଳୁଥିଲା।

ସମ୍ବନ୍ଧିତ ଖବର