ଟାୱାର କେଳେଙ୍କାରୀ : ଟଙ୍କା ଲୋଭରେ ଫସିଲେ, ୧୦ ଲକ୍ଷ ଲୋଭ ଦେଖାଇ ୨୧ ହଜାର ୫ଶହ ନେଇଗଲେ

ଆଖିଦୃଶିଆ ହେଉନି କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଆଜ୍ଞା ଆପଣଙ୍କ ଜମି ଯଦି ଖାଲି ଅଛି କୁହନ୍ତୁ, ଜିଓ ୪ଜି ଟାୱାର ବସାଇ ଲକ୍ଷ ଲକ୍ଷ ରୋଜଗାର କରିବେ। ସିକ୍ୟୁରିଟି ବାବଦରେ ୧୦ ଲକ୍ଷ ଟଙ୍କା ମିଳିବ। ତା’ ପରେ ପୁଣି ମାସକୁ ମାସ ୧୦ ହଜାର। କୁଆଡ଼େ ଦଉଡ଼ିବାକୁ ପଡ଼ିବନି, ସିଧା ଆକାଉଣ୍ଟକୁ ଆସିବ। ଜମି ପଟ୍ଟା, ପରିଚୟ ପତ୍ର ଓ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଦିଅନ୍ତୁ, ଘରେ ବସି ଶାନ୍ତିରେ ରୋଜଗାର କରନ୍ତୁ। ଏମିତି ହିନ୍ଦୀ, ଓଡ଼ିଆରେ କଥା କହି ଜଣେ ଯୁବକଙ୍କ ଠାରୁ ୨୧ ହଜାର ୫ ଶହ ଟଙ୍କା ଲୁଟି ନେଇଛନ୍ତି ଠକ। ଲୁଟ୍‌ର ଶିକାର ହୋଇଛନ୍ତି ନୟାଗଡ଼ ଗଣିଆ ଥାନା ଓସ୍ତିଆ ଅଞ୍ଚଳର ସନ୍ନ୍ୟାସୀ ନାୟକ। ଏ ନେଇ ସେ ଗତ ୧୮ତାରିଖରେ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏଭଳି ଟାୱାର ସ୍ଥାପନ ରୢାକେଟ୍‌ ବାବଦରେ ସୁରାକ ମିଳିଛି। ତେବେ କାର୍ଯ୍ୟାନୁଷ୍ଠାନ ଆଖିଦୃଶିଆ ହେଉନଥିବାରୁ ସାଇବର ଠକାମୀ ଏହି ଟାୱାର ସ୍ଥାପନ ଠକେଇ ଭଳି ବଢ଼ିବଢ଼ି ଚାଲିଛି।

ଅଭିଯୋଗ ମୁତାବକ, ସନ୍ନ୍ୟାସୀ ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳରେ ରହି ଏକ ଘରୋଇ ସଂସ୍ଥାରେ କାମ କରନ୍ତି। ଗତ ମେ’ ମାସରେ ତାଙ୍କୁ ଏକ ଫୋନ କଲ୍ ଆସିଥିଲା। ଜଣେ ଯୁବକ କଲ୍ କରି ହିନ୍ଦୀରେ କଥା ହେବା ସହ ଜିଓ କମ୍ପାନିରୁ କହୁଛି ବୋଲି କହିଥିଲା। ନିଜ ଜମିରେ ଜିଓ ୪ଜି ଟାୱାର ବସାଇ ଏଭଳି ଲାଭବାନ ହେବା ପାଇଁ ପ୍ରଲୋଭିତ କରିଥିଲା। ଯଦି ରାଜି ହେବେ ତେବେ ଜମି ପଟ୍ଟାର ନକଲ, ଆଧାର କାର୍ଡ, ପ୍ୟାନ୍ କାର୍ଡ, ଫଟୋ ଓ ବ୍ୟାଙ୍କ ଡିଟେଲ୍ସ ସହ ଯୋଗାଯୋଗ କରିବାକୁ କହିଲା। ଲୋଭରେ ପଡ଼ି ସନ୍ନ୍ୟାସୀ ସମସ୍ତ ଆବଶ୍ୟକ କାଗଜପତ୍ର କଲ୍ ଆସିଥିବା ମୋବାଇଲ ନମ୍ବର ହ୍ବାଟସ୍ ଆପ୍‌ରେ ପଠାଇ ଦେଇଥିଲେ। ଦୁଇ ଦିନ ପରେ ଅନ୍ୟ ଏକ ନମ୍ବରରୁ ଫୋନ୍ କଲ୍ ଆସିଲା। ଜମିର ଏରିଆଲ୍ ସର୍ଭେ କରାଯିବା ପରେ ଟାୱାର ବସିବ ବୋଲି ସନ୍ନ୍ୟାସୀଙ୍କୁ କହିଲା। ସର୍ଭେ ପରେ ସବୁ ଠିକଠାକ୍ ଥିବା ସନ୍ନ୍ୟାସୀଙ୍କ ହ୍ବାଟସ୍ଆପକୁ ମେ ୩୦ ତାରିଖରେ ଏକ ଆପ୍ରୁଭାଲ ଲେଟର ଆସିଲା। ୧ ତାରିଖରେ ସନ୍ନ୍ୟାସୀଙ୍କ ପାଖକୁ ଫୋନ୍ ଆସିଲା ‘ସବୁ କାଗଜପତ୍ର ହୋଇଯାଇଛି, ୬ ହଜାର ୫ ଶହ ଟଙ୍କା ସଂସ୍ଥା ବ୍ୟାଙ୍କ ଆକାଉଣ୍ଟରେ ପଠାଇବାକୁ ପଡ଼ିବ’। ସନ୍ନ୍ୟାସୀ ୬ ହଜାର ୫ ଶହ ଟଙ୍କା ଜମା କରିଥିଲେ। ୨ ତାରିଖରେ ଆଉ ଏକ ଫୋନ୍ କଲ୍ ଆସିଲା। ୩୦ ହଜାର ଟଙ୍କା ଜମା କଲେ ସିକ୍ୟୁରିଟି ବାବଦକୁ ୧୦ ଲକ୍ଷ ଟଙ୍କା ଆକାଉଣ୍ଟକୁ ଯିବ। ଟଙ୍କା ପାଖରେ ନଥିବାରୁ ସନ୍ନ୍ୟାସୀ ଅମଙ୍ଗ ହେଲେ। ତେବେ ଅତି କମରେ ୧୫ ହଜାର ଟଙ୍କା ଜମା କରିବାକୁ ପଡ଼ିବ ବୋଲି କହିବାରୁ ସେ ୩ଟି ଦଫାରେ ୧୫ ହଜାର ଟଙ୍କା ଦେଇଥିଲେ। ହେଲେ ଟଙ୍କା ତାଙ୍କ ଆକାଉଣ୍ଟକୁ ଆସି ନ ଥିଲା। ତା’ ପରଠାରୁ ଅଭିଯୁକ୍ତ ମୋବାଇଲ ଅଫ୍ କରି ଦେଇଥିଲା।

ସମ୍ବନ୍ଧିତ ଖବର