ଅନ୍‌ଲାଇନ୍‌ରେ ମିଳିବ ଟ୍ରେଡ୍‌ ଲାଇସେନ୍ସ

ଭୁବନେଶ୍ବର: ଏଣିକି ବିଏମ୍‌ସି ଅଞ୍ଚଳରେ ବ୍ୟବସାୟୀମାନେ ଅନଲାଇନ୍‌ରେ ଟ୍ରେଡ୍‌ ଲାଇସେନ୍ସ ପାଇପାରିବେ। ଭୁବନେଶ୍ବର ଡଟ୍‌ ମି କୁ ଯାଇ ଆବେଦନ କ‌ଲେ ୧୫ଦିନରେ ଟ୍ରେଡ୍‌ ଲାଇସେନ୍ସ ପାଇପାରିବେ। ଅନଲାଇନ୍‌ରେ ଆସିବାକୁ ଥିବା ଟ୍ରେଡ୍‌ ଲାଇସେନ୍ସ ଆବେଦନକୁ ମଞ୍ଜୁର କରିବା ପାଇଁ ଆଜି ବିଏମ୍‌ସି ପକ୍ଷରୁ ୬୭ଟି ୱାର୍ଡର ୱାର୍ଡ ଅଫିସର ଏବଂ ୧୪ଜଣ ମିସ୍‌ ସରକାରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

ଏହି ବ୍ୟବସ୍ଥାରେ ଜଣେ ସମସ୍ତ ତଥ୍ୟ ଦେଇ ଆବେଦନ କଲେ ତାହା ସଂପୃକ୍ତ ୱାର୍ଡ ଅଫିସରଙ୍କ ପାଖକୁ ଚାଲିଯିବ। ୱାର୍ଡ ଅଫିସର ଦୁଇ ଦିନ ମଧ୍ୟରେ ନିଜର ମତାମତ ଦେଇ କ୍ଷେତ୍ର ପରିଦର୍ଶନ ପାଇଁ ମିସ୍‌ ସରକାରଙ୍କୁ କହିବେ। କ୍ଷେତ୍ର ପରିଦର୍ଶନ ପରେ ତିନି ଦିନ ମଧ୍ୟରେ ୱାର୍ଡ ସୁପରଭାଇଜର୍‌ ଉକ୍ତ ଅନଲାଇନ୍‌ ଦରଖାସ୍ତକୁ ଅବଗତ କରାଇବେ। ଅବଗତ କରାଇବାର ତିନିଦିନ ମଧ୍ୟରେ ଜୋନାଲ ଡେପୁଟି କମିସନର ଆବେଦନକୁ ସୁପାରିସ କରିବେ ଏବଂ ଆବେଦନକାରୀଙ୍କୁ ଟ୍ରେଡ୍ ଲାଇସେନ୍ସ ମିଳିବ। ଯଦି ଆବେଦନପତ୍ରରେ କିଛି ତ୍ରୁଟି ଥିବ, ତେବେ ୱାର୍ଡ ଅଫିସର୍‌ ଅନଲାଇନ୍‌ରେ ଜଣାଇବେ। ଯଦି ଆବେଦନପତ୍ରରେ ସମସ୍ତ ତଥ୍ୟ ଠିକ୍ ଥିବ ଏବଂ ୱାର୍ଡ ଅଫିସର ଉ‌ଦ୍ଦେଶ୍ୟମୂଳକ ଭାବେ କିଛି ଜଣାଇବେନି ତେବେ ଟ୍ରେଡ୍ ଲାଇସେନ୍ସ ସାର୍ଟିଫିକେଟ୍ ଆପେଆପେ ପ୍ରସ୍ତୁତ ହୋଇଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର