ଭୁବନେଶ୍ବରରୁ ନୂଆଦିଲ୍ଲୀ ଅଭିମୁଖେ ଗଡ଼ିଲା ଟ୍ରେନ୍‌, ଗଲେ ୫୨୭

ଭୁବନେଶ୍ବର : ଢେର ଦିନ ହେଲା ମଉଳି ଯାଇଥିବା ମୁହଁରେ ଆଜି ମୁରୁକା ହସ ଉବୁକି ଉଠୁଥିଲା। ଟ୍ରେନ୍‌ ଆସି ପ୍ଲାଟଫର୍ମରେ ଲାଗିବା କ୍ଷଣି ଉତ୍‌ଫୁଲିତ ହୋଇ ଉଠିଥିଲା ମନ। ଟ୍ରେନ୍‌ରେ ଚଢ଼ିବା କ୍ଷଣି କିଏ ମୁଣ୍ଡିଆଟିଏ ପକଉଥିଲା ତ କିଏ ଆପଣାର ଲୋକକୁ କହୁଥିଲା, ଏଇ ଏବେ ଟ୍ରେନ୍‌ ଚଢ଼ିଲି। ଶୀଘ୍ର ପହଞ୍ଚିଯିବି। କୁନିକୁନି ପିଲାଙ୍କ ମନରେ ବି ଅଦମ୍ୟ ଉତ୍ସାହ ବାରି ହୋଇ ପଡ଼ୁଥିଲା। ଅନେକ ଥର ସେମାନେ ନିଜ ଘରକୁ ଫେରିଛନ୍ତି। ମାତ୍ର ଆଜି ନିଜ ଘରକୁ ଫେରିଯିବାର ମୁହୂର୍ତ ଯେମିତି ତାଙ୍କ ପାଇଁ ଥିଲା ସବୁଠୁ ନିଆରା। ଆଜି ଭୁବନେଶ୍ବରରୁ ନୂଆଦିଲ୍ଲୀ ଅଭିମୁଖେ ଟ୍ରେନ୍‌ ଗଡ଼ିବା ସମୟରେ ଦେଖିବାକୁ ମିଳିଥିଲା ଏହି ଅନ୍ତରଙ୍ଗ ଚିତ୍ର।

ଯାତ୍ରୀ ଉତ୍ସାହିତ

ସକାଳ ୧୦ଟାରେ ଛାଡ଼ିବାକୁ ଥିଲା ଭୁବନେଶ୍ବର-ନୂଆଦିଲ୍ଲୀ ସ୍ବତନ୍ତ୍ର ଏସି ଟ୍ରେନ୍‌। ନିର୍ଦ୍ଧାରିତ ସମୟର ୯୦ ମିନିଟ୍‌ ପୂର୍ବରୁ ଅର୍ଥାତ୍‌ ୮ଟା ୩୦ ସୁଦ୍ଧା ଷ୍ଟେସନରେ ପହଞ୍ଚିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଆଗରୁ କୁହାଯାଇଥିଲା। ତେବେ ଯାତ୍ରୀମାନଙ୍କ ମଧ୍ୟରେ ଏତେ ଉତ୍ସାହ ଥିଲା ଯେ ସେମାନେ ସକାଳ ୭ଟାରୁ ରେଳ ଷ୍ଟେସନର ମାଷ୍ଟରକ୍ୟାଣ୍ଟିନ ପଟେ ପହଞ୍ଚି ଯାଇଥିଲେ। କିଏ ପରିବାର ସହ ତ ଆଉ କିଏ ଏକା ଆସି ପହଞ୍ଚିଥିଲେ। କରୋନାକୁ ନେଇ ସମସ୍ତଙ୍କ ମନରେ ଭୟ ଓ ଆଶଙ୍କା ରହିଥିଲେ ମଧ୍ୟ ଦୀର୍ଘ ଦିନ ପରେ ନିଜ ନିଜ ଘରକୁ ଫେରୁଥିବାରୁ ଯାତ୍ରୀମାନେ ଉତ୍ସାହିତ ହୋଇପଡ଼ିଥିଲେ। ୩୦ରୁ ଅଧିକ ସିଆରପିଏଫ୍‌ ଯବାନଙ୍କ ସମେତ ୫୨୭ ଜଣ ଯାତ୍ରୀ ଭୁବନେଶ୍ବରରୁ ଏହି ଟ୍ରେନ୍‌ରେ ଚଢ଼ିଥିଲେ। ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଯାତ୍ରୀମାନେ ନିଜ ନିଜ ସିଟ୍‌ରେ ବସିପଡ଼ିଥିଲେ।

ଚଢ଼ି‌ଲେ ଶତାଧିକ ଛୋଟ ପିଲା
ଟ୍ରେନ୍‌ରେ ଚଢ଼ିଥିବା ଯାତ୍ରୀଙ୍କ ମଧ୍ୟରେ ପିଲାଙ୍କ ସଂଖ୍ୟା ଅଧିକ ରହିଥିବା ଦେଖିବାକୁ ମିଳିଥିଲା। ପରିବାର ସହ ଯାଉଥିବା ପ୍ରତ୍ୟେକ ଯାତ୍ରୀଙ୍କ ସାଙ୍ଗରେ ଜଣେ ଦୁଇ ଜଣ ପିଲା ରହିଥିଲେ। ମୋଟ ଯାତ୍ରୀଙ୍କ ମଧ୍ୟରୁ ଶତାଧିକ ଛୋଟ ପିଲା ଟ୍ରେନ୍‌ରେ ଯାତ୍ରା କରିଥିଲେ। ବହୁ ଦିନ ପରେ ନିଜ ଘରକୁ ଫେରୁଥିବାରୁ ସେମାନେ ଖୁସି ବ୍ୟକ୍ତ କରିଥିଲେ। ଟ୍ରେନ୍‌ରେ ବସିବା ପରେ ବିଜୟ ସୂଚକ ଚିହ୍ନ ଦେଖାଇ ନିଜ ମଧ୍ୟରେ ଥିବା ଉତ୍ସାହକୁ ପ୍ରତିପାଦନ କରିଥିଲେ। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀ ମାସ୍କ ପିନ୍ଧିଥିଲେ।

ଯାତ୍ରୀଙ୍କର ହେଲା ଥର୍ମାଲ୍ ସ୍କ୍ରିନିଂ
ଦୁଇ ଦିନ ହେଲା ଟ୍ରେନ୍‌ ସହ ସମ୍ପୂର୍ଣ୍ଣ ଷ୍ଟେସନକୁ ବିଶୋଧନ କରାଯାଉଥିଲା। ଏହାପରେ ବି ଆଜି ସକାଳୁ ପୁଣିଥରେ ପ୍ରବେଶ ପଥ ସହ ଏକ ନମ୍ବର ପ୍ଲାଟଫର୍ମକୁ ବିଶୋଧନ କରାଯାଇଥିଲା। ପ୍ରବେଶ ପଥରେ ଥିବା ଲଗେଜ୍‌ ସ୍କାନର, ପ୍ଲାଟଫର୍ମରେ ଥିବା ଚେୟାର, ପିଇବା ପାଣି ଷ୍ଟାଣ୍ଡ ସମେତ ଟ୍ରେନ୍‌କୁ ବି ବିଶୋଧନ କରାଯାଇଥିଲା। ଟ୍ରେନ୍‌ରେ ଚଢ଼ିବା ପୂର୍ବରୁ ଯାତ୍ରୀଙ୍କର ଥର୍ମାଲ୍ ସ୍କ୍ରିନିଂ ହୋଇଥିଲା। ହ୍ୟାଣ୍ଡ ସାନିଟାଇଜର ହାତରେ ମାରିବା ପରେ ଯାତ୍ରୀମାନେ ଟ୍ରେନ୍‌କୁ ଚଢ଼ିଥିଲେ। ଉପଯୁକ୍ତ ସାମାଜିକ ଦୂରତ୍ୱର ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ସମସ୍ତ ଯାତ୍ରୀଙ୍କୁ ଟ୍ରେନ୍ ଭିତରକୁ ଚଢ଼ିବାକୁ ଅନୁମତି ଦିଆଯାଇଥିଲା।

ଭିଡ଼ ହଟାଇଲା ପୁଲିସ
ସମସ୍ତ ୫୨୭ ଜଣ ଯାତ୍ରୀ ରେଳ ଷ୍ଟେସନର ଏକ ନମ୍ବର ପ୍ଲାଟ୍‌ଫର୍ମ ଦେଇ ପ୍ରବେଶ କରିଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ଷ୍ଟେସନ ଟିକେଟ୍‌ କାଉଣ୍ଟର ନିକଟରୁ ପୁଲିସ ପ୍ରହରାକୁ ବଢ଼ାଇ ଦିଆଯାଇଥିଲା। ଗୋଟିଏ ମିଟର ବ୍ୟବଧାନରେ ସର୍କଲ କରାଯାଇ ଯାତ୍ରୀଙ୍କୁ ଛିଡ଼ା କରାଯାଇଥିଲା ଏବଂ ଜଣଙ୍କ ପରେ ଜଣେ ଯାତ୍ରୀ ଆଗକୁ ବଢ଼ିଥିଲେ। ଧାଡ଼ି ଆରମ୍ଭ ହେବା ପୂର୍ବରୁ ଷ୍ଟେସନ ଆଗରେ ଯାତ୍ରୀଙ୍କ ସହ ସେମାନଙ୍କ ସମ୍ପର୍କିତଙ୍କ ଭିଡ଼ ଜମି ଯାଇଥିଲା। ତେବେ ପୁଲିସ ପହଞ୍ଚି ସାମାଜିକ ଦୂରତ୍ବ ରକ୍ଷା କରିବା ସହ ଯାତ୍ରୀଙ୍କ ବିନା ଆଉ କୌଣସି ବି ବ୍ୟକ୍ତିଙ୍କୁ ସେଠାରେ ରହିବାକୁ ଅନୁମତି ଦେଇ ନ ଥିଲା।

ଭାରି ପଡ଼ିଲା ଲଗେଜ୍‌
କମ୍‌ ପରିମାଣର ଲଗେଜ୍‌ ଆଣିବାକୁ ‌ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା। ତେବେ ‌କେତେଜଣ ଯାତ୍ରୀ ଆବଶ୍ୟକତାଠାରୁ ବହୁ ଅଧିକ ସାମଗ୍ରୀ ସାଙ୍ଗରେ ଆଣିଥିଲେ। ଷ୍ଟେସନ ବାହାରୁ ଟ୍ରେନ୍‌ ପର୍ଯ୍ୟନ୍ତ ନେବା ସମୟରେ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ କୁଲିଙ୍କ ସହାୟତା ନେଇଥିଲେ। ଆଉ କିଛି ଯାତ୍ରୀ କଷ୍ଟେମଷ୍ଟେ ଟ୍ରେନ୍‌ ଭିତରକୁ ଲଗେଜ୍‌ ନେଇ ଯାଉଥିବା ଦେଖିବାକୁ ମିଳିଥିଲା। କେତେଜଣ କୁଲି ଷ୍ଟେସନ ନିକଟରେ ପହଞ୍ଚି ପ୍ଲାଟଫର୍ମ ଭିତରକୁ ପ୍ରବେଶ ଲାଗି ଅଡ଼ି ବସିଥିଲେ। ତେବେ ପୁଲିସ ସେମାନଙ୍କୁ ଅଟକାଇଥିଲା।

ସମ୍ବନ୍ଧିତ ଖବର