ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କରି ଜୀବନ ବଞ୍ଚାଇଲା ଅଣକୋଭିଡ୍‌ ହସ୍‌ପିଟାଲ

କଟକ : କରୋନା ମଣିଷର ମାନବିକତାକୁ ମାରି ଦେଇଥିବା ଭଳି ଅନେକ ଘଟଣା ସାମନାକୁ ଆସୁଛି। ଏଭଳି ସ୍ଥିତିରେ କିନ୍ତୁ କଟକ ତୁଳସୀପୁରର ସନ୍ ହସ୍ପିଟାଲ ଅନେକ ପ୍ରତିକୂଳ ପରସ୍ଥିତିରେ ଜଣେ ‌କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରି ତାଙ୍କର ଜୀବନ ରକ୍ଷା କରିଛି।

ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାର ଅମିତ କୁମାର ସାହୁଙ୍କ ସ୍ତ୍ରୀ ସନ୍ତାନ ପ୍ରସବ ପାଇଁ ଗଲା ୧୫ ତାରିଖରେ ଢେଙ୍କାନାଳର ଏକ ଘରୋଇ ହସ୍ପିଟା‌ଲରେ ଭର୍ତ୍ତି ହୋଇଥିଲେ। ସେହି ଦିନ ଅସ୍ତ୍ରୋପଚାର କରାଯିବା ପରେ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। କିନ୍ତୁ ଅପରେସନ୍‌ର କିଛି ସମୟ ପରେ ତାଙ୍କର ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ହେଲା। ସେଠାରେ ଆଇସିୟୁର ସୁବିଧା ନଥିବାରୁ ୧୫ ତାରିଖ ରାତିରେ ତାଙ୍କୁ କଟକ ତୁଳସୀପୁରସ୍ଥିତ ସନ୍‌ ହସ୍ପିଟାଲକୁ ଅଣାଗଲା। ୧୬ ତାରିଖରେ ନିମୋନିଆ ଯୋଗୁଁ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବା ସହ ସେ କୋମାକୁ ଚାଲି ଯାଇଥିଲେ। ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯିବା ସହିତ ସେହି ଦିନ ତାଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠଗଲା। ୧୮ ତାରିଖରେ ସେ କରୋନାରେ ଆକ୍ରାନ୍ତ ଥିବା ରିପୋର୍ଟ ଆସିଲା। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ କଟକ ମହାନଗର ନିଗମ ଅଧିକାରୀଙ୍କୁ ସୂଚନା ଦେଲେ। ରୋଗୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କ ପାଇଁ ଆଇସିୟୁର ବ୍ୟବସ୍ଥା କରିବାକୁ କୁହାଗଲା। ମାତ୍ର ସେହି ସମୟରେ ଅଶ୍ବିନୀ କୋଭିଡ ହସ୍ପିଟାଲ ଆଇସିୟୁରେ ବେଡ୍ ନଥିଲା। ପରେ ରୋଗୀଙ୍କୁ ଭୁବନେଶ୍ବରର କିମ୍ସକୁ ନେବାକୁ କୁହାଗଲା। ମାତ୍ର ସିଏମସି ପକ୍ଷରୁ ପଠାଯାଇଥିବା ୩ଟି ଆମ୍ବୁଲାନ୍ସରେ ଭେଣ୍ଟିଲେଟର୍‌ର ସୁବିଧା ନଥିବାରୁ ରୋଗୀଙ୍କୁ କିମ୍ସକୁ ସ୍ଥାନାନ୍ତର କରାଯାଇ ପାରିଲା ନାହଁ। ରୋଗୀଙ୍କ ଅବସ୍ଥା ଦେଖି ପ୍ରଶାସନ ପାଖରେ ସେହି ହସ୍ପିଟାଲରେ ରୋଗୀକୁ ରଖିବା ଛଡ଼ା ଅନ୍ୟ ଉପାୟ ନଥିଲା। ସିଏମସି ପକ୍ଷରୁ ଜଣେ ଡାକ୍ତର ଓ ତିନି ଜଣ ନର୍ସଙ୍କ ସହିତ କରୋନା ପ୍ରତି‌ଷେଧକ ‌ଔଷଧ ଦେବାକୁ ପ୍ରତିଶ୍ରୁତି ଦିଆଗଲା। ମାତ୍ର କେବଳ ୩ଟି ସିଫ୍ଟରେ ୩ଜଣ ନର୍ସ ଆସିଥିବା ବେଳେ ଡାକ୍ତର ଆସି ନଥିଲେ ବୋଲି କହିଛନ୍ତି ଆକ୍ରାନ୍ତଙ୍କ ସ୍ବାମୀ। ସେପଟେ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲରେ ରଖି ଚିକିତ୍ସା କରାଯିବାରୁ ପୂର୍ବରୁ ସେଠାରେ ଥିବା ୮ରୁ ଅଧିକ ରୋଗୀ ନର୍ସିଂହୋମ ଛାଡ଼ି ପଳାଇଲେ। ହସ୍ପିଟାଲର ଅନେକ କର୍ମଚାରୀ ମଧ୍ୟ କାମକୁ ଆସିଲେ ନାହିଁ। କୋଭିଡ ହସ୍ପିଟାଲ ହୋଇନଥିବା ବେଳେ ଆକ୍ରାନ୍ତଙ୍କୁ ରଖି ଚିକିତ୍ସା କରିବାକୁ ନେଇ ସ୍ଥାନୀୟ ଲୋକେ ମଧ୍ୟ ବିରୋଧ କରିଥିଲେ। କିନ୍ତୁ ରୋଗୀର ଜୀବନକୁ ଗୁରୁତ୍ବ ଦେଇ ନର୍ସିଂହୋମ କର୍ତ୍ତୃପକ୍ଷ ନିଜ ନିଷ୍ପତ୍ତିରେ ଅଟଳ ରହିଲେ। ଫଳରେ ରୋଗୀର ଜୀବନରକ୍ଷା ସମ୍ଭବ ହୋଇପାରିଲା। ପରେ ପରେ ହସ୍ପିଟାଲର ସମସ୍ତ ଡାକ୍ତର, କର୍ମଚାରୀଙ୍କ ସହ ରୋଗୀ ସଂପର୍କୀୟଙ୍କ କରୋନା ପରୀକ୍ଷା କରାଯାଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଆକ୍ରାନ୍ତଙ୍କ ସ୍ବାବ ରିପୋର୍ଟ ବି ଇତିମଧ୍ୟରେ ନେଗେଟିଭ୍‌ ଆସିଥିବା ବେଳେ ଆଜି ଆଉଥରେ ଆକ୍ରାନ୍ତଙ୍କ ସ୍ବାବ ପରୀକ୍ଷା ପାଇଁ ଯାଇଛି। ହସ୍ପିଟାଲ ପକ୍ଷରୁ ଯେଭଳି ସହଯୋଗ ମିଳିଛି, ତାହା ବିରଳ ବୋଲି କହିଛନ୍ତି ଆକ୍ରାନ୍ତଙ୍କ ସ୍ବାମୀ ଶ୍ରୀ ସାହୁ। ଏଥିପାଇଁ ସେ ହସ୍ପିଟାଲର ଡାକ୍ତର ଦୀପକ ମିତ୍ର, ଡାକ୍ତର ବିନିତା ସାହାନି, ଡାକ୍ତର ତଡିତ୍‌ ମହାନ୍ତିଙ୍କ ସହିତ କର୍ମଚାରୀ ନିବେଦିତା ତ୍ରିପାଠୀ, ଅନିତା ଦାସ, ସ୍ବାଗତ ଦେବାଶିଷଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର