ଖୋଲିବ ୟୁନିଟ-୨ ଫଳ ମାର୍କେଟ୍

ଭୁବନେଶ୍ବର : ରାଜମହଲ ଛକ ନିକଟସ୍ଥ ରାଜଧାନୀ ପେଟ୍ରୋଲ ପମ୍ପ ନିକଟରେ ଦୀର୍ଘ ବର୍ଷ ହେଲା ନିର୍ମାଣ ହୋଇଥିବା ୟୁନିଟ-୨ ଫଳ ମାର୍କେଟ୍ ଖୁବ୍ ଶୀଘ୍ର ଖୋଲା ହେବ। ଏଠାରେ ଦେଶ ବିଦେଶର ବିଭିନ୍ନ କିସମର ଫଳ ମିଳିବ। ବ୍ୟବସାୟୀ ଓ ବିଏମ୍‌ସି ମଧ୍ୟରେ ଚାଲିଥିବା ବିବାଦର ସମାଧାନ ହୋଇଯାଇଥିବାରୁ ବିଏମ୍‌ସି କର୍ତ୍ତୃପକ୍ଷ ଏଠାରେ ବ୍ୟବସାୟୀଙ୍କୁ ଦୋକାନ ଆବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଦୀର୍ଘ ୧୧ବର୍ଷ ହେଲା ଏହି ଫଳ ମାର୍କେଟ୍ ହେବ ହେବ ବୋଲି ହୋଇପାରୁନଥିଲା। ଏପରିକି ତିନି ବର୍ଷ ତଳେ ଏହାର ନିର୍ମାଣ ସରି ଉଦ୍‌ଘାଟନ କରାଯାଇଥିଲେ ହେଁ ଏହା ଖୋଲୁନଥିଲା। ବ୍ୟବସାୟୀମାନେ ବିଏମ୍‌ସି ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାରୁ ଫଳ ମାର୍କେଟ୍ ଭୂତ କୋଠି ପାଲଟିଯାଇଥିଲା। ଉଭୟ ପକ୍ଷ ଆପୋସ ସମାଧାନ କରି ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କରିବା ପରେ ବି ବ୍ୟବସାୟୀମାନେ କେତେ ଟଙ୍କା ବିଏମ୍‌ସିରେ ଜମା କରିବେ ତାହା ନିଷ୍ପତ୍ତି ହୋଇପାରିନଥିବାରୁ ଫଳ ମାର୍କେଟ୍ ଖୋଲିବା ନେଇ ଅନିଶ୍ଚିତତା ଦେଖାଦେଇଥିଲା। ହେଲେ ଏବେ ବ୍ୟବସାୟୀମାନଙ୍କ ସହ ଆଲୋଚନା କରିବା ପରେ ପ୍ରତ୍ୟେକ ବ୍ୟବସାୟୀଙ୍କୁ ବିଏମ୍‌ସିରେ ୪ଲକ୍ଷ ଟଙ୍କା ଜମା କରିବାକୁ କୁହାଯାଇଛି। ଏହାବାଦ୍ ଜୁଲାଇ, ୨୦୦୮ ମସିହା ପୂର୍ବରୁ ସେମାନଙ୍କର ଥିବା ବିଭିନ୍ନ ବକେୟା ଦେୟ ଜମା କରିବାକୁ କୁହାଯାଇଛି। ସମସ୍ତ ବ୍ୟବସାୟୀ ବିଏମ୍‌ସିରେ ଅର୍ଥ ଜମା କରିବା ପରେ ଲଟେରି ହେବ। ଏଥିରେ ଯାହାର ଯେଉଁଠି ଦୋକାନ ମିଳିବ ସେଠାରେ ତାଙ୍କୁ ଆବଣ୍ଟନ ହେବ।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୟୁନିଟ-୨ ଫଳ ମାର୍କେଟ୍ ଖୋଲିବା ନେଇ ସମସ୍ତ ପ୍ରକାରର ଆଲୋଚନା ସରିଛି। ଏଠାରେ ୭୮ଟି ଦୋକାନ ଘର ଥିବାବେଳେ ୭୭ଟି ବ୍ୟବସାୟୀଙ୍କୁ ଆବଣ୍ଟନ ହେବ। ଗୋଟିଏ ଦୋକାନ ଘରେ ଅଫିସ୍ ହେବ।

ସମ୍ବନ୍ଧିତ ଖବର