ନ୍ୟାୟ ଓ ଶାନ୍ତି ପ୍ରତିଷ୍ଠା ପାଇଁ ଏକତା ପରିଷଦର ପଦଯାତ୍ରା: ଆଜି କାରଗିଲ୍‌ ଓ ତାରିଣୀ ବସ୍ତିରୁ ଆରମ୍ଭ

ଚନ୍ଦ୍ରଶେଖରପୁର: ଭୂମିହୀନଙ୍କୁ ଭୂମି ପ୍ରଦାନ, ହିଂସା ଦୂରୀକରଣ, ପ୍ରଦୂଷଣମୁକ୍ତ ଭାରତ ଗଠନ ଓ ଦେଶରେ ନ୍ୟାୟ, ଶାନ୍ତି ପ୍ରତିଷ୍ଠା ନେଇ ସାମାଜିକ ସଂଗଠନ ‘ଏକତା ପରିଷଦ’ ପକ୍ଷରୁ ଦେଶବ୍ୟାପୀ ପଦଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ଗତ ୨୧ ତାରିଖ ବିଶ୍ବଶାନ୍ତି ଦିବସଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଅକ୍ଟୋବର ୨ ବିଶ୍ବ ଅହିଂସା ଦିବସ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାର ୯ଟି ଜିଲ୍ଲାର ୧୩ ସ୍ଥାନରେ ଆୟୋଜିତ ହେବ। ଆସନ୍ତାକାଲି ଭୁବନେଶ୍ବର ତାରିଣୀ ବସ୍ତି ଓ କାରଗିଲ୍ ବସ୍ତିରୁ ଏହାର ଶୁଭାରମ୍ଭ ହେବ ବୋଲି ଆଜି ସିୱାଇଏସ୍‌ଡି ସଭାଗୃହ‌ରେ ଅନୁଷ୍ଠିତ ପରିଷଦର ବୈଠକରେ ସୂଚନା ଦିଆଯାଇଛି। ଏହି ମହତ୍‌ କାର୍ଯ୍ୟକ୍ରମକୁ କିପରି ସଠିକ୍‌ ଭାବେ ପରିଚାଳନା କରାଯିବ, ସେନେଇ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଆସନ୍ତାକାଲିର କାର୍ଯ୍ୟକ୍ରମରେ ଭୂମିହୀନ ଆନ୍ଦୋଳନର ମହାନୟକ, ତଥା ଏକତା ପରିଷଦର ପ୍ରତିଷ୍ଠାତା ଗାନ୍ଧୀବାଦୀ ପିଭି ରାଜଗୋପାଳଜୀ (ରାଜା ଭାଇ) ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିବେ। ଏହାସହ ବିଭିନ୍ନ ବର୍ଗର ଲୋକମାନଙ୍କୁ ଭେଟି ନିଜର ଅଧିକାର ବିଷୟରେ ଅବଗତ କରାଇ ସଚେତନତା ସୃଷ୍ଟି କରିବେ। ଏହି ଅବସରରେ ଏକ ଦସ୍ତଖତ ସଂଗ୍ରହ ଅଭିଯାନ ମଧ୍ୟ କରାଯିବ। ରାୟପୁରସ୍ଥିତ ପରିଷଦର ଶିବିରରେ ଏହି ଯାତ୍ରା ଉଦ୍‌ଯାପିତ ହେବ। ଏହି ପଦଯାତ୍ରାରେ ପ୍ରତିନିଧିମଣ୍ଡଳୀ ପ୍ରତିଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଶ୍ରୀ ରାଜଗୋପାଳଜୀ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଜୟ ପ୍ରଧାନ ସଭା ପରିଚାଳନା କରିଥିଲେ। ପ୍ରଭାସିନୀ ରାଉତ ସ୍ବାଗତ ସଂଗୀତ ଗାନ କରିଥିଲେ। ମଧୁ ଭାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ବିଷ୍ଣୁପ୍ରିୟା ସ୍ବାଇଁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର