ସୁରକ୍ଷିତ ନୁହନ୍ତି ଡାକ୍ତର, କର୍ମଚାରୀ : ୩ ଘରୋଇ ହସ୍ପିଟାଲରୁ ଚିହ୍ନଟ ହେଲେଣି ୧୪ କର୍ମଚାରୀ

ଘରୋଇ ହସ୍ପିଟାଲର ୫୦ କର୍ମଚାରୀ ସଙ୍ଗରୋଧରେ
ରୋଗୀ ଆତଙ୍କିତ, ହସ୍ପିଟାଲ କର୍ତ୍ତୃପକ୍ଷ ବେଫିକର୍‌

ଭୁବନେଶ୍ବର : କରୋନା କବଳରେ ରାଜଧାନୀର ଏକାଧିକ ଘରୋଇ ହସ୍ପିଟାଲ। ଏ ପର୍ଯ୍ୟନ୍ତ ରାଜଧାନୀର ୩ଟି ଘରୋଇ ହସ୍ପିଟାଲରେ ୧୪ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେଲେଣି। ଦିନକୁ ଦିନ ଏହି ସଂଖ୍ୟାରେ ଉଦ୍‌ବେଗଜନକ ଭାବେ ବୃଦ୍ଧି ଘଟୁଛି। ରାଜଧାନୀରେ ଥିବା କୋଭିଡ ହସ୍ପିଟାଲ ଓ ଏମ୍‌ସରେ ମଧ୍ୟ ଡାକ୍ତରଙ୍କଠୁ ନେଇ ନର୍ସ ପର୍ଯ୍ୟନ୍ତ ଏକାଧିକ କୋଭିଡ୍‌ ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଥିବା ରୋଗୀମାନେ ପ୍ରମାଦ ଗଣିଲେଣି। ଅନ୍ୟପକ୍ଷରେ ଘରୋଇ ହସ୍ପିଟାଲଗୁଡ଼ିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା କୋଭିଡ୍‌ ନିର୍ଦେଶାବଳିକୁ ଠିକ୍ ଭାବେ ପାଳନ ହେଉନାହିଁ ବୋଲି ଅଭିଯୋଗ ଉଠିଲାଣି। ଗତ ଏପ୍ରିଲ ମାସରେ କର କ୍ଲିନିକ୍‌କୁ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀ ପରବର୍ତୀ ସମୟରେ ପଜିଟିଭ୍ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ଯେଉଁଭଳି ଭାବେ ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଥିଲା, ତାହା ଅନ୍ୟ ଘରୋଇ ଡାକ୍ତରଖାନାଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁ ନାହିଁ।

କୋଭିଡ୍‌ ମୁକାବିଲା ନେଇ ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକ ସ୍ବତନ୍ତ୍ର ଭାବେ ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ କରିବା ଲାଗି ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ। ଜରୁରୀକାଳୀନ ପରିସ୍ଥିତିରେ ଆସୁଥିବା ରୋଗୀମାନଙ୍କୁ ଆଇସୋଲେସନ୍‌ ୱାର୍ଡରେ ରଖି ଚିକିତ୍ସା କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦେଶ ଦେଇଥିଲା। ତେବେ ଅଧିକାଂଶ ଘରୋଇ ହସ୍ପିଟାଲ ଧର୍ମକୁ ଆଖିଠାର ଭଳି ଏହି ନିର୍ଦ୍ଦେଶାବଳିକୁ ଅଣଦେଖା କରି ଚାଲିଛନ୍ତି। ଗୋଟିଏ ପରେ ଗୋଟିଏ ଘରୋଇ ହସ୍ପିଟାଲର ଏକାଧିକ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କୋଭିଡ୍‌ ନିୟମ ପାଳନରେ ଘରୋଇ‌ ହସ୍ପିଟାଲଗୁଡ଼ିକର ନିଷ୍ଠା ଓ ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠିଛି।

ନିକଟରେ ରାଜଧାନୀର ଏକ ଘରୋଇ ହସ୍ପିଟାଲକୁ ବାହାର ରାଜ୍ୟରୁ ଆସିଥିବା ଜଣେ ରୋଗୀ ପଜିଟିଭ୍ ବାହାରିବା ପରେ କୋଭିଡ୍‌ ନିର୍ଦ୍ଦେଶାବଳିର ଗୁରୁତର ଉଲ୍ଲଂଘନ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଏହି ଖବରକୁ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ନିଜ ପ୍ରଭାବ ବଳରେ ଚପାଇ ଦେବାରେ ସମର୍ଥ ହୋଇଛନ୍ତି। ଆଉ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସବୁ ଜାଣି ମଧ୍ୟ ଚୁପ୍ ବସିଛି। ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ କୋଲକାତାର ଜଣେ ଗୁରୁତର ରୋଗୀ ଆସି ପହଞ୍ଚିଥିଲେ ସଂପୃକ୍ତ ହସ୍ପିଟାଲରେ। ହସ୍ପିଟାଲରେ ତାଙ୍କର କୋଭିଡ ନମୁନା ରିପୋର୍ଟ ନେଗେ‌ଟିଭ୍ ଆସିଥିବା କୁହାଯାଉଛି। ଫଳରେ ତାଙ୍କୁ ହସ୍ପିଟାଲର ହୃଦରୋଗ ବିଭାଗରେ ଆଡମିଟ୍ କରାଯାଇଥିଲା। ପରବର୍ତୀ ସମୟରେ ହସ୍ପିଟାଲର ଡାକ୍ତରଙ୍କ ସନ୍ଦେହ ହେବାରୁ ତାଙ୍କର ପୁନର୍ବାର ନମୁନା ପରୀକ୍ଷା ହୋଇଥିଲା ଓ ସେଥିରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହି ସମୟରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ରୋଗୀଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହାକୁ ନେଇ ସଂପୃକ୍ତ କୋଭିଡ ହସ୍ପିଟାଲ ଓ ଘରୋଇ ହସ୍ପିଟାଲ ମଧ୍ୟରେ କଥା କଟାକଟି ହୋଇଥିଲା। ହେଲେ ପରବର୍ତୀ ସମୟରେ ଏହାର ସମାଧାନ ହୋଇଥିଲା। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମୃତ୍ୟୁ ସଂପର୍କରେ କିଛି ସୂଚନା ଦିଆଯାଇ ନାହିଁ। ସଂପୃକ୍ତ ବ୍ୟକ୍ତିଜଣକ କୋଭିଡ୍‌ କିମ୍ବା ଅନ୍ୟ କୌଣସି କାରଣ ପାଇଁ ପ୍ରାଣ ହରାଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ହେଲେ ଏହି ଘଟଣା ପରେ ସଂପୃକ୍ତ ଘରୋଇ ହସ୍ପିଟାଲରୁ ଏକାଧିକ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ଯାହାକୁ ନେଇ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀ ମହଲରେ ଛନକା ସୃଷ୍ଟି ହୋଇଛି।

ସେହିପରି ରାଜଧାନୀର ଅନ୍ୟ ଏକ ଘରୋଇ ହସ୍ପିଟାଲରେ ପଜିଟିଭ୍ ଚିହ୍ନଟ ହେବା ପରେ ସଂପୃକ୍ତ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କୁ ମିଶାଇ ୫୦ ଜଣଙ୍କୁ ସଙ୍ଗରୋଧରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏଭଳି ପରିସ୍ଥିତିରେ ସଂପୃକ୍ତ ଡାକ୍ତରଖାନା ଏବେ ପ୍ରାୟ ଅଚଳ ହୋଇଯାଇଛି। କିଭଳି ଭାବେ ଡାକ୍ତରଖାନା କାର୍ଯ୍ୟକ୍ଷମ ହେବ, ତାହା କର୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି।

ଏ ସଂପର୍କରେ ପଚରାଯିବାରୁ ସ୍ବାସ୍ଥ୍ୟ ବିଭାଗର ମୁଖପାତ୍ର (ବୈଷୟିକ) ଡା. ଜୟନ୍ତ ପଣ୍ଡା କହିଛନ୍ତି, ସବୁ ଘରୋଇ ଡାକ୍ତରଖାନାକୁ ଆଇସୋଲେସନ୍‌ ୱାର୍ଡ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି। ଏପରିକି ଡାକ୍ତରଖାନାଗୁଡ଼ିକରେ ବିଭିନ୍ନ ବିଭାଗରେ ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ କରିଛନ୍ତି। ହଟ୍‌ସ୍ପଟ୍‌, ସଂକ୍ରମଣ ଅବରୋଧ ଅଞ୍ଚଳ ଓ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନ୍‌ରେ ରଖି ଚିକିତ୍ସା କରିବା ପାଇଁ କୁହାଯାଇଛି। କୌଣସି ବ୍ୟକ୍ତିଙ୍କୁ ଚିକିତ୍ସା ମନା କରାଯାଇ ପାରିବନାହିଁ।

ସମ୍ବନ୍ଧିତ ଖବର