ଜେଏନ୍‌ୟୁ ପରେ ତାତୁଛି ଉତ୍କଳ : ପିଲାଙ୍କୁ ଡରି କୁଳପତି ‌ଦୌଡ଼ିଲେ

କୁଳପତି ଓ ରୁସା ସଂଯୋଜକଙ୍କ ଉପରେ କାହାର ରହିଛି ଆଶୀର୍ବାଦ?
ଦୁର୍ନୀତିକୁ ଘଣ୍ଟ ଘୋଡ଼ାଉଥିବାରୁ କୁଳପତିଙ୍କ ବହିଷ୍କ‌ାର ଦାବି
ଛାତ୍ରଙ୍କ ନାଁରେ ଥାନାରେ ଅଭିଯୋଗ କଲେ କୁଳପତି

ଭୁବନେଶ୍ବର : ନୂଆଦିଲ୍ଲୀସ୍ଥିତ ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ(ଜେଏନ୍‌ୟୁ) ଘଟଣାକୁ ନେଇ ସାରା ଦେଶ ଉଠୁଛି ପଡ଼ୁଛି। ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଛାତ୍ର ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ଜେଏନ୍‌ୟୁ କୁଳପତିଙ୍କ ବହିଷ୍କାର ପାଇଁ ଛାତ୍ରଛାତ୍ରୀ ଦାବି କରୁଥିବା ବେଳେ ଏପଟେ ଉତ୍କଳ ବିଶ୍ବବିଦ୍ୟାଳୟରେ ମୁହାଁମୁହିଁ ହୋଇଛନ୍ତି କୁଳପତି ଓ ଛାତ୍ରଛାତ୍ରୀ। ଦୁର୍ନୀତିକୁ ଘଣ୍ଟ ଘୋଡ଼ାଉଥିବାରୁ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକଙ୍କ ବହିଷ୍କାର ଦାବିରେ ଛାତ୍ରଛାତ୍ରୀ ଅଡ଼ି ବସିଛନ୍ତି।

ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ହେଉଥିବା ନେଇ ଦୁଇ ଦିନ ତଳେ ଛାତ୍ରଛାତ୍ରୀ ଅଭିଯୋଗ କରିଆସୁଛନ୍ତି। କୁଳପତିଙ୍କୁ ଘେରାଉ କରିବା ସହ ରୁସା ସଂଯୋଜକ ଡ. ହିମାଂଶୁ ରାଉତଙ୍କୁ ତୁରନ୍ତ ହଟାଇବା ପାଇଁ ଦାବି କରି ଆସୁଛନ୍ତି। ସେତେବେଳେ କୁଳପତି ପ୍ରଫେସର ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ ଯେ ଦୁଇ ଦିନ ଭିତରେ ଶ୍ରୀ ରାଉତଙ୍କୁ ପଦରୁ ହଟାଯିବ। ତେବେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଆଜି କ୍ୟାମ୍ପସରେ ଅପ୍ରୀତିକର ପରିସ୍ଥିତି ଉପୁଜିଛି। ଶ୍ରୀ ରାଉତଙ୍କୁ ହଟାଇବା ଦାବିରେ ଶତାଧିକ ଛାତ୍ରଛାତ୍ରୀ କୁଳପତି ପ୍ରଫେସର ପଟ୍ଟନାୟକଙ୍କୁ ଘେରାଉ କରି କି ପଦକ୍ଷେପ ନିଆଯାଇଛି ସେ ବିଷୟରେ ଜାଣିବାକୁ ଚାହିଁଥିଲେ। ତେବେ କୁଳପତି ପ୍ରଫେସର ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଉତ୍ତର ଦେଇ ପାରି ନ ଥିଲେ। ଏହାକୁ ନେଇ ଛାତ୍ରଛାତ୍ରୀ ପୁଣିଥରେ ଘେରାଉ କରିବାରୁ ପିଜି କାଉନସିଲ୍‌ କାର୍ଯ୍ୟାଳୟରେ ଚାଲିଥିବା ରୁଦ୍ଧଦ୍ବାର ବୈଠକ ଛାଡ଼ି କୁଳପତି ନିଜ କାର୍ଯ୍ୟାଳୟକୁ ଦୌଡ଼ି ପଳାଇ ଯାଇଥି‌ଲେ। ଏମିତି ସ୍ଥିତି ହୋଇଥିଲା ଯେ କୁଳପତି ପ୍ରଫେସର ପଟ୍ଟନାୟକ ପିଜି କାଉନସିଲ୍‌ ହଲ୍‌ ନିକଟରେ କାର ଛାଡ଼ି ପଳାଇ ଆସିଥିଲେ।

କଥା ସେତେକିରେ ଅଟକି ନ ଥିଲା। ଛାତ୍ରମାନେ ଖରାପ ବ୍ୟବହାର କରିଥିବା ନେଇ କୁଳପତିଙ୍କ ପକ୍ଷରୁ ସନ୍ଧ୍ୟାରେ ସହିଦନଗର ଥାନାରେ ଅଭିଯୋଗ କରାଯାଇଛି। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଆହୁରି ବଢ଼ିଥିଲା। ସେମାନେ କ୍ୟାମ୍ପସର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସି ରହିଥିଲେ। ଖବର ପାଇ ସହିଦନଗର ଥାନା ଅଧିକାରୀ ବରଞ୍ଚି ପତି ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାଶୁଝା କରିଥିଲେ। ଶୁକ୍ରବାର ପୂର୍ବାହ୍ନ ୧୧ଟା ସୁଦ୍ଧା ଏଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଛାତ୍ରଛାତ୍ରୀ ଆନ୍ଦୋଳନରୁ ଓହରିଥିଲେ। ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ସହିଦନଗର ଥାନା ପକ୍ଷରୁ ତଦନ୍ତ ଜାରି ରହିଛି। କ୍ୟାମ୍ପସରେ ଉତ୍ତେଜନା ପରିସ୍ଥିତି ଲାଗିରହିଥିବାରୁ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ଦୁଇ ଦିନ ଭିତରେ ରୁସା ସଂଯୋଜକଙ୍କୁ ହଟାଯିବ ବୋଲି କୁଳପତି ପ୍ରଫେସର ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ। ତେବେ ଏଦିଗରେ କ’ଣ ପଦକ୍ଷେପ ନିଆଯାଇଛି ଜାଣିବା ପାଇଁ ଆଜି ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିଲା ବେଳକୁ ସେ ନ ଥିଲେ। ପିଜି କାଉନସିଲ୍‌ ହଲ୍‌ ନିକଟରେ ତାଙ୍କ କାର୍‌ ଥିବା ଜାଣି ଆମେ ସେଠାକୁ ଯିବା ବେଳେ ‌ଗୋଟିଏ ହଲ୍‌ ଭିତରେ କୁଳପତିଙ୍କ ସମେତ ପିଜି କାଉନସିଲ୍‌ ଅଧ୍ୟକ୍ଷା ପ୍ରଫେସର ସବିତା ଆଚାର୍ଯ୍ୟ, ରୁସା ସଂଯୋଜକ ଡ. ହିମାଂଶୁ ରାଉତ, ବିଶ୍ବବିଦ୍ୟାଳୟ ବିତ୍ତ ନିୟନ୍ତ୍ରକ ପ୍ରମୁଖ ରୁଦ୍ଧଦ୍ବାର ବୈଠକ କରୁଥିଲେ। ଶ୍ରୀ ରାଉତଙ୍କୁ ହଟାଇବା ସମ୍ପର୍କରେ ପଚାରିବାରୁ କୁଳପତି ଉତ୍‌କ୍ଷିପ୍ତ ‌ହୋଇ ଗାଳିଗୁଲଜ କରିଥିଲେ। ଧମକ ବି ଦେଇଥିଲେ। କେବଳ ଆଜିର ଘଟଣା ନୁହେଁ। ପୂର୍ବରୁ ମଧ୍ୟ କୁଳପତି ପ୍ରଫେସର ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ତିନି ଥର ଧମକ ଦେଇଛନ୍ତି। ତାଙ୍କ ବିରୋଧରେ ଯିଏ ବି ମୁହଁ ଖୋଲୁଛି ସେ କାର୍ଯ୍ୟାନୁଷ୍ଠାନ ନେଇ ପାଟି ଚୁପ୍‌ କରି ଦେଉଛନ୍ତି। କ୍ୟାମ୍ପସରେ କୋଟି କୋଟି ଟଙ୍କାର କାମ ଚାଲିଥିବାରୁ ଅଧିକାରୀମା‌ନେ ମିଳିମିଶି ହରିଲୁଟ୍‌ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।

ସେମାନେ ଆହୁରି ଅଭିଯୋଗ କରିଛନ୍ତି ‌ଯେ ବୈଠକ କରିବାକୁ କୁଳପତିଙ୍କ କାର୍ଯ୍ୟାଳୟରେ ଜାଗା ନ ଥିଲା କି? ପିଜି କାଉନସିଲ୍‌ ହଲ୍‌ରେ କାହିଁକି ରୁଦ୍ଧଦ୍ବାର ‌ବୈଠକ କରୁଥିଲେ? ରୁସା ସଂଯୋଜକଙ୍କୁ ହଟାଇବା ପୂର୍ବରୁ ପିଛିଲା ତାରିଖ ପକାଇ ଦୁର୍ନୀତିଖୋର ଅଧିକାରୀମାନେ କିଛି ଫାଇଲ୍‌ରେ ଦସ୍ତଖତ କରିବା ପାଇଁ ସେଠାରେ ଏକଜୁଟ୍‌ ହୋଇଥିଲେ କି? ଆମକୁ ଦେଖି ହଡ଼ବଡ଼େଇ ଯାଇଥିଲେ ଏବଂ ଧମକ ଦେଇଥିଲେ। କୁଳପତି ପ୍ରଫେସର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଆଉ ମାତ୍ର ୫ ମାସ ଥିବାରୁ ବିଶ୍ବବିଦ୍ୟାଳୟକୁ ତଳିତଳାନ୍ତ କରି ଚାଲିଯିବାକୁ ବସିଛନ୍ତି। ଶେଷବର୍ଷରେ ଖର୍ଚ୍ଚ ନାଁରେ ହରିଲୁଟ୍‌ ଯୋଜନା କରିଛନ୍ତି। ଏତେ ସବୁ ପରେ ବି କାହା ଚାପରେ ଉଚ୍ଚଶିକ୍ଷା ବିଭାଗ ଓ କୁଳାଧିପତିଙ୍କ କାର୍ଯ୍ୟାଳୟ ଚୁପ୍‌ ବସିଛି ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ ଉଠାଇଛନ୍ତି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ସମ୍ପର୍କରେ କୁଳପତି ପ୍ରଫେସର ପଟ୍ଟନାୟକଙ୍କୁ ଯୋଗଯୋଗ କରିବାରୁ ସେ ଧରାଛୁଆଁ ଦେଇ ନଥିଲେ କି ମୁହଁ ଖୋଲି ନଥିଲେ।

ସମ୍ବନ୍ଧିତ ଖବର