ବାରଙ୍ଗ: ବାରଙ୍ଗ ଥାନା ଅଧୀନ ରତାଗଡ଼ ନିକଟସ୍ଥ ପୁରୀ ମୁଖ୍ୟ କେନାଲ୍ରେ ସାଙ୍ଗମାନଙ୍କ ସହ ଜଳକ୍ରୀଡ଼ା କରିବାକୁ ଆସିଥିବା ଜଣେ ଛାତ୍ରଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ ହେଲେ ପଟିଆ ସ୍ଥିତ ନିଫ୍ଟ୍ କଲେଜର ରୋହିତ କୁମାର(୨୧)। ସେ କଲେଜ ପାଖରେ ଏକ ଭଡ଼ା ଘରେ ରହୁଥିଲେ। ଘର ବିହାର ନାଳନ୍ଦା ଜିଲ୍ଲା, ମୋହିନୀପୁରରେ। ସେ ଏଠାରେ ଫେସନ୍ ଟେକ୍ନୋଲୋଜି ଅଧ୍ୟୟନ କରୁଥିଲେ। ପରୀକ୍ଷା ସରିବା ପରେ ଆଜି ଅପରାହ୍ଣରେ ଅନ୍ୟ ୪ ଜଣ ସାଙ୍ଗ ସହିତ ସେ ରତାଗଡ଼ ନିକଟ ରେଳ ପୋଲ ପାଖକୁ ଆସିଥିଲେ। ରେଳ ପୋଲ ମଝି ଖୁଣ୍ଟ ନିକଟରେ ସନ୍ତରଣ କରୁଥିବା ବେଳେ ସେ ସାଙ୍ଗମାନଙ୍କଠାରୁ ଦୂରକୁ ଚାଲିଯାଇଥିଲେ। ତେବେ ସାଙ୍ଗମାନେ କିଛି ଭାବିବା ପୂର୍ବରୁ ସେ ପ୍ରାୟ ୧୦ ଫୁଟ୍ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ଖବରପାଇ ସ୍ଥାନୀୟ ଯୁବକମାନେ ଖୋଜା ଖୋଜି କରିବା ସହିତ ବାରଙ୍ଗ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ପରେ ଓଡ୍ରାଫ୍ ଓ ଏନ୍ଡିଆରଏଫ୍ ଦଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ଆଠଟା ବେଳେ ରେଳ ପୋଲ ମଝି ଖୁଣ୍ଟଠାରୁ ମାତ୍ର ଦଶ ଫୁଟ୍ ଦୂରରୁ ରୋହିତଙ୍କ ଶବକୁ ଉଦ୍ଧାର କରାଯାଇଥିଲା। ବାରଙ୍ଗ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ଲାଗି କଟକ ଏସ୍ସିବି ମେଡିକାଲକୁ ପଠାଇବା ସହିତ ମୃତ ଛାତ୍ରଙ୍କ ଘର ଲୋକଙ୍କୁ ଅଭିଭାବକଙ୍କୁ ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ, ଗତ ୫ ବର୍ଷ ମଧ୍ୟରେ ମରିଚିଆ ଗ୍ରାମ ନିକଟ ପୁରୀ ମୁଖ୍ୟ କେନାଲ ପାଣିରେ ବୁଡ଼ି ୮ରୁ ଊର୍ଧ୍ୱ ଛାତ୍ରଙ୍କ ମୃତ୍ୟୁ ଘଟିଲାଣି। ସମସ୍ତ ଛାତ୍ର ଭୁବନେଶ୍ୱରର କୌଣସି ସ୍କୁଲ୍ କିମ୍ବା କଲେଜର ବୋଲି ଜଣାପଡ଼ିଛି। କେନାଲର ଗଭୀରତା ସଂପର୍କରେ ସଚେତନ ନଥିବାରୁ ଏପରି ଦୁର୍ଘଟଣା ଘଟୁଥିବା ଚର୍ଚା ହେଉଛି। କେନାଲ୍ର ଯେଉଁ ସ୍ଥାନରେ ଏପରି ଘଟଣା ଘଟୁଛି ସେଠାରେ ସୂଚନା ଫଳକ ଲଗାଇବା ପାଇଁ ଦାବି ହେଉଛି।