ସୁନାଚେନ୍ ଝାମ୍ପିନେବା ବେଳେ ସ୍କୁଟିରୁ ପଡ଼ି ମହିଳା ମୃତ

ଭୁବନେଶ୍ବର : ହସ୍ପିଟାଲରେ ଚିକିତ୍ସାଧୀନ ପୁତୁରାକୁ ଦେଖି ଘରକୁ ଫେରୁଥିଲେ। କିନ୍ତୁ ଫେରିବା ବାଟରେ ଲୁଟେରାଙ୍କ ଶିକାର ହୋଇ ପ୍ରାଣ ହରାଇଲେ। ମୃତ ମହିଳା ହେଲେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ପାଣିଛତ୍ର ଗ୍ରାମର ପ୍ରତିମା ବରାଳ (୫୨)। ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ପୁରୁଣା ଟୋଲ୍‌ ଗେଟ୍‌ ନିକଟରେ ଲୁଟେରାମାନେ ଆଜି ଏହି ଅଭାବନୀୟ କାଣ୍ଡ ଘଟାଇଛନ୍ତି। ଲୁଟେରାମାନେ ସୁନାଚେନ୍‌ ଟାଣି ନେବାକୁ ଉଦ୍ୟମ କଲାବେଳେ ସ୍କୁଟିରୁ ଖସି ପଡ଼ି ତାଙ୍କ ମୃତ୍ୟୁ ଘଟିଛି। ଯାଁଳା ଫାଣ୍ଡି ପୁଲିସ ଭୁବନେଶ୍ବର ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଓ ଦୁର୍ବୃତ୍ତମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

ପ୍ରତିମା ତାଙ୍କ ସାନ ପୁଅ ଆଶିଷଙ୍କ ସହ ଚନ୍ଦ୍ରଶେଖରପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ପୁତୁରାକୁ ଦେଖିବାକୁ ଆସିଥିଲେ। ସେଠାରୁ ମା’ ଓ ପୁଅ ଅପରାହ୍ଣ ପ୍ରାୟ ସାଢ଼େ ୧ଟା ବେଳେ ଗାଁକୁ ଫେରୁଥିଲେ। ସେମାନେ ୧୬ନଂ ଜାତୀୟ ରାଜପଥରେ ଗଙ୍ଗପଡ଼ା ପୁରୁଣା ଟୋଲ୍‌ ଗେଟ ନିକଟରେ ପହଞ୍ଚିଥିବା ବେଳେ ଦୁଇଟି ବାଇକ୍‌ରେ ଥିବା ୪ ଜଣ ଦୁର୍ବୃତ୍ତ ସେମାନଙ୍କୁ ଘେରି ଯାଇଥିଲେ। ଲୁଟେରା ବୋଲି ଜାଣି ପାରି ଆଶିଷ ସ୍କୁଟି ଅଟକାଇନଥିଲେ। ତଥାପି ଦୁର୍ବୃତ୍ତମାନେ ପ୍ରତିମାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଇଥିଲେ। ତେବେ ତାଙ୍କ ହାତରୁ ସୁନା ଚୁଡ଼ି ଟାଣିବାକୁ ଉଦ୍ୟମ କଲା ବେଳେ ପ୍ରତିମା ସ୍କୁଟି ପଛରୁ ଖସି ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରତିମାଙ୍କୁ ଏମ୍‌ସ ନେଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର