ବିଶ୍ବ ପର୍ଯ୍ୟଟନ ଦିବସ: ପଦଯାତ୍ରାରେ ଗଲେ, ଖାଦ୍ୟ ଖୁଆଇଲେ

ଭୁବନେଶ୍ବର: ‘ପର୍ଯ୍ୟଟନ ଓ ରୋଜଗାର: ସମସ୍ତଙ୍କ ପାଇଁ ଉତ୍ତମ ଭବିଷ୍ୟତ’। ବିଶ୍ବ ପର୍ଯ୍ୟଟନ ଦିବସର ଚଳିତ ବର୍ଷର ଏହି ବାର୍ତା ନେଇ ଆଜି ପର୍ଯ୍ୟଟନ ଦିବସକୁ ନିଆରା ଢଙ୍ଗରେ ପାଳିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ସକାଳେ ମାଷ୍ଟରକ୍ୟାଣ୍ଟିନ୍‌ରୁ ଏକ ପଦଯାତ୍ରା କରାଯାଇଥିଲା। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସବୁଜ ପତାକା ଦେଖାଇ ପର୍ଯ୍ୟଟନ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଏଥିରେ ପର୍ଯ୍ୟଟନ ସହ ସମ୍ପୃକ୍ତ ଅନୁଷ୍ଠାନର ବ୍ୟକ୍ତିବିଶେଷଙ୍କ ସମେତ ବହୁ ଛାତ୍ରଛାତ୍ରୀ ସାମିଲ୍ ହୋଇଥିଲେ। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଳ ଦେବ, ନିର୍ଦେଶକ ନିର୍ମଳଚନ୍ଦ୍ର ମିଶ୍ର ଓ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ପଦଯାତ୍ରା ବାଟରେ ୫ଟି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ପୂର୍ବାହ୍ନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନରୁ ଓହ୍ଲାଉଥିବା ପର୍ଯ୍ୟଟକଙ୍କୁ ସ୍ବାଗତ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କ ସମେତ ପଦାଧିକାରୀବୃନ୍ଦ ‘ଅତିଥି ଦେବୋ ଭବଃ’ ଉକ୍ତିକୁ ସାକାର ପୂର୍ବକ ପର୍ଯ୍ୟଟକଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରିଥିଲେ।

ଏଥିସହ ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ଖାଦ୍ୟ ମେଳା’ ଆରମ୍ଭ ହୋଇଛି। ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଖାଦ୍ୟ ମେଳାରେ ୨୭ଟି ହୋଟେଲ୍‌ ଓ ରେସ୍ତୋରାଁର ସ୍ବାଦିଷ୍ଟ ବ୍ୟଞ୍ଜନ ପରସା ଯାଉଛି। ସନ୍ଧ୍ୟାରେ ପର୍ଯ୍ୟଟନ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ‘ଦିଅଁ ପୂଜିବାକୁ ଦେଉଳ ମନା’ ନାଟକ ମଂଚସ୍ଥ ହୋଇଥିଲା। ଡ. କୈଳାସ ମଲ୍ଲିକଙ୍କ ରଚିତ ଏହି ନାଟକର ନିର୍ଦେଶନା ଦେଇଥିଲେ ଆନନ୍ଦ କିଶୋର ସାହୁ। ବିଷ୍ଣୁପ୍ରସାଦ ସିଂ ଶ୍ରବଣ କୁମାର ଚରିତ୍ରରେ ଅଭିନୟ କରିଥିଲେ। ସନ୍ଧ୍ୟାରେ ଆୟୋଜିତ ସଭାରେ ପୂର୍ବ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ ସହ ସ୍ମରଣିକା ଲୋକାର୍ପିତ ହୋଇଥିଲା।

ସମ୍ବନ୍ଧିତ ଖବର