ଅସହାୟ ବୃଦ୍ଧଙ୍କୁ ଛୋଟ ପିଲାଙ୍କ ସହାୟତା

ବାଲିଅନ୍ତା: ଯାହା ପ୍ରଶାସନ କଲାନାହିଁ କି ବଡ଼ ଲୋକମାନେ କଲେ ନାହିଁ, ତାହା ଛୋଟ ପିଲାମାନେ କରି ଦେଖାଇଛନ୍ତି। ଜଣେ ଅସୁସ୍ଥ ଅସହାୟ ବୃଦ୍ଧଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିବା ସହ ପାଖରେ ରହି ଦେଖାଶୁଣା କରିଛନ୍ତି ଛୋଟପିଲାମାନେ। ଘଟଣାଟି ବାଲିଅନ୍ତା ବାଳକାଟି ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁସାରେ ବାଲିଅନ୍ତା ବ୍ଲକ ସରକଣା ପଞ୍ଚାୟତ ଲୁଣାଗ୍ରାମ ନାଏକସାହିର ଧର୍ମାନନ୍ଦ ନାଏକ(୭୨) ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଘରେ ପଡ଼ି ରହିଥିଲେ। ସ୍ତ୍ରୀ ପିଲାଛୁଆ ନଥିବାରୁ କେହି ଦେଖାଶୁଣା କରିବାକୁ ନଥିଲେ। ଭୋକଉପାସରେ ପଡ଼ିଥିବା ଖବର ପାଇ ପଡ଼ୋଶୀ ରଣପୁର ଗ୍ରାମର କିଛି ହାଇସ୍କୁଲ ଓ କଲେଜ ଛାତ୍ର ନିଜ ନିଜ ଭିତରେ ଚାନ୍ଦାଭେଦା କରି ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏମିତିକି ପାଳି କରି ହସ୍ପିଟାଲରେ ତାଙ୍କ ପାଖରେ ଦେଖାଶୁଣା ପାଇଁ ରହୁଛନ୍ତି। ପିଲାମାନଙ୍କର ଏହି କାମକୁ ଲୋକେ ବେଶ୍ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ ଧର୍ମାନନ୍ଦଙ୍କର କେହି ନିଜର ବୋଲି ନାହିଁ। ଏମିତିକି ନିଜର ଘର ଡିହ ନଥିବାରୁ ସେ ଜୀବନସାରା ସରକାରୀ ଜମିରେ ଭଙ୍ଗା କୁଡ଼ିଆରେ ରହୁଛନ୍ତି। ତେଣୁ ବାକି ଜୀବନ ତାଙ୍କୁ କୌଣସି ବୃଦ୍ଧାଶ୍ରମରେ ରଖିବାକୁ ପ୍ରଶାସନ ନିକଟରେ ଦାବି କରାଯାଉଛି।

ସମ୍ବନ୍ଧିତ ଖବର