ଖୋଲା ଝରକା – ଶ୍ବାସକ୍ରିୟା କରୁନଥିବା ଜୀବ

ଇସ୍ରାଏଲର ତେଲ୍‌ ଅଭିଭ୍‌ ୟୁନିଭର୍ସିଟିର ଗବେଷକମାନେ ପ୍ରଥମଥର ଶ୍ବାସକ୍ରିୟା କରୁନଥିବା ଏକ ଜୀବ ଆବିଷ୍କାର କରିଛନ୍ତି। ବୈଜ୍ଞାନିକମାନେ ଜେଲିଫିସ୍‌ ଭଳି ଏକ ପରଜୀବୀ ଆବିଷ୍କାର କରିଛନ୍ତି, ଯାହାର ମାଇଟ୍ରୋକଣ୍ଡ୍ରିଆଲ୍ ଜିନୋମ୍‌ ନାହିଁ। ଶ୍ବାସକ୍ରିୟା କରୁନଥିବା ଏହା ପ୍ରଥମ ବହୁକୋଷୀୟ ଜୀବ। ଅମ୍ଲଜାନ ଗ୍ରହଣ ନ କରି ଏହା ଜୀବନ ନିର୍ବାହ କରୁଛି ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ପୃଥିବୀରେ ଜୀବନ ପ୍ରକ୍ରିୟା କି ଭଳି ଚାଲିଛି, ଆମ ଜୀବଜଗତ ବାହାରେ ଜୀବନର ଅନ୍ବେଷଣ ନିମିତ୍ତ ଏହି ଗବେଷଣା କରାଯାଇଥିଲା। ଜୀବମାନଙ୍କର ଅମ୍ଲଜାନ ଗ୍ରହଣ ଦକ୍ଷତାର ବିକାଶ ପ୍ରାୟ ୧୪୫ କୋଟି ବର୍ଷ ପୂର୍ବେ ହୋଇଥିଲା ବୋଲି ବିଶ୍ବାସ କରାଯାଏ। ଲୋହିତ ରକ୍ତ କୋଷିକା ବ୍ୟତୀତ ଶରୀରର ପ୍ରତ୍ୟେକ କୋଷିକାରେ ବହୁ ସଂଖ୍ୟକ ମାଇଟ୍ରୋକଣ୍ଡ୍ରିଆ ଥାଆନ୍ତି। ଯାହା ଶ୍ବାସକ୍ରିୟା ପାଇଁ ଏକାନ୍ତ ଆବଶ୍ୟକ। ଏକ ସାଧାରଣ ସାଲମନ୍‌ଠାରେ ‘ହେନେଗୁୟା ସାଲମିନିକୋଲା’ ନାମକ ଏହି ପରଜୀବୀ ଚିହ୍ନଟ କରିବା ପରେ ବୈଜ୍ଞାନିକମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ ଜୀବଟି ଶ୍ବାସକ୍ରିୟା ବିନା ବଞ୍ଚିଛି।

କଥା-ଫରୁଆ – ‘‘ଦାନା ପାଣି’’

ଆମର କଥାରେ ଅଛି, ‘‘ଛଅଟଙ୍କାର ଘୋଡ଼ାକୁ ନଅଟଙ୍କାର ଦାନା।’’ ‌େଘାଡ଼ା ଏବଂ କେତେ କେତେ ପଶୁଙ୍କର ଶସ୍ୟ-ଖାଦ୍ୟକୁ ଦାନା ବୋଲି ସାଧାରଣତଃ କୁହାଯାଇଥାଏ। ଯଥା: ବୁଟ,ଚଣା, କୋଳଥ ଇତ୍ୟାଦି। ହେଲେ ‘‘ଦାନା ପାଣି’’କୁ କେବଳ ପଶୁପକ୍ଷୀଙ୍କ ଖାଦ୍ୟ ଓ ପେୟ ଭାବରେ ଗଣା ଯାଏନା। ମଣିଷର ଖାଇବାକୁ ମଧ୍ୟ ଦାନା ପାଣି ବୋଲି କୁହାଯାଏ। ଧରାଯାଉ କାହାର ଚାକିରି ବା ବୃତ୍ତି ଚାଲିଗଲା। ଆଉ କିଛି ରୋଜଗାର ନାହିଁ। ସେଭଳି କ୍ଷେତ୍ରରେ ମତ ପ୍ରକାଶ ପାଏ ଯେ ‘‘ବିଚରାର ଦାନା ପାଣି ବୁଡ଼ିଗଲା।’’ ଅର୍ଥାତ୍‌ ସେ ବ୍ୟକ୍ତିଙ୍କର ପେଟ ପାଳିବାର ବାଟଟି ବନ୍ଦ ହୋଇଗଲା। ଅତଏବ ‘‘ଦାନାପାଣି’’ କହିଲେ ତାହା ସାଧାରଣତଃ ମୌଳିକଭାବେ ମଣିଷର ଖାଦ୍ୟପେୟକୁ ବି ବୁଝାଇଥାଏ। ଓଡ଼ିଆ ଭାଷାରେ ଏ ରୂଢ଼ିଟି କେଉଁ ପ୍ରାଚୀନ କାଳରୁ ବ୍ୟବହୃତ ହୋଇ ଆସୁଛି।

ଏକାକ୍ଷର ଶବ୍ଦ – ମା’

JioSaavn

‘ଜନ୍ମଦାତ୍ରୀକୁ ସାରା ଦୁନିଆରେ କିଏ କେତେ ପ୍ରକାର କରି ଡାକନ୍ତି। କେତେ ଦେଶ, କେତେ ଭାଷା ପୁଣି କେତେ ପ୍ରକାରର ଚଳଣି। ଇଂରେଜି ଭାଷା ଭାଷୀ ଅଞ୍ଚଳରେ ମମି, ମାମା, ମମ୍‌ ତ ସାଧାରଣ ଡାକ। ଆମ ଭାରତରେ ସେମିତି କେଉଁଠି ଆମ୍ମା, କେଉଁଠି ଆଈ। ଓଡ଼ିଆ ଭାଷା, ଭାଷୀ ଓଡ଼ିଶାରେ ବି ଅଞ୍ଚଳ ଭେଦରେ କେଉଁଠାରେ ବୋଉ, କେଉଁଠି ମାଆ, ପୁଣି କାହିଁ ଅମ୍ମି। ହେଲେ ମୋଟାମୋଟି ହିସାବ କରି ଦେଖିଲେ ଭାରତ ସାରା ଏଇ ‘ମା’ ଶବ୍ଦଟି ସବୁଠାରୁ ଅଧିକ ବ୍ୟବହୃତ ହୁଏ। ପୁନଶ୍ଚ ଏଇ ଗୋଟିଏ ଶବ୍ଦରେ ଏତେ ଆନ୍ତରିକତା ଓ ଭାବପ୍ରବଣତା ରହିଛି ଯେ ଏକାକ୍ଷର ଶବ୍ଦ ଭିତରେ ‘ମା’କୁ ନେଇ ହିଁ ସବୁଠାରୁ ଅଧିକ କବିତା ଲେଖାଯାଇଛି। ବିଶେଷ କରି ଶିଶୁ-କିଶୋର ସାହିତ୍ୟରେ। ଦୁନିଆରେ ସବୁଠାରୁ ଅଧିକ ମଧୁର ଶବ୍ଦର ମାନତ୍ୟ ପାଇଛି ମା’ ଶବ୍ଦ। ଏପରି କି ବାଛୁରିର ହମ୍ମା ଶବ୍ଦରେ ମା’ର ଉଚ୍ଚାରଣ ରହିଛି ବୋଲି କେହି କେହି ଯୁକ୍ତି କରନ୍ତି। ସବୁଠାରୁ ବଡ଼ କଥା ହେଉଛି ଏ ଜୀବଜଗତର ମୂଳ ହେଉଛି ମା’। ମା’ ନଥିଲେ ସନ୍ତାନ ଆସିବେ କେଉଁଠୁ? ସେ ପଶୁପକ୍ଷୀ ହୁଅନ୍ତୁ କି ଗଛଲତା?

ସମ୍ବନ୍ଧିତ ଖବର