ପ୍ରକୃତ ଶିକ୍ଷା

ତୁମ କାହାଣୀ - ମନୋଜ କୁମାର ବେହେରା

ଥରେ ଜଣେ ସନ୍ଥଙ୍କ ପାଖକୁ ଦେଖା କରିବା ପାଇଁ ବହୁତ ଦୂରରୁ ଜଣେ ରାଜା ଆସିଥିଲେ। ରାଜା ବହୁତ ଅହଂକାରୀ ଥିଲେ। କିନ୍ତୁ ତାଙ୍କୁ କିଏ ଜଣେ ବତେଇଥିଲେ କି ସେହି ସନ୍ଥଙ୍କୁ ଦେଖା କଲେ ତାଙ୍କର ମନ ଭିତରେ ବହୁତ ଉନ୍ନତି ହେବ। ସନ୍ଥଙ୍କ ପାଇଁ ଉପହାରରେ ସେ ଗୋଟିଏ ଅମୂଲ୍ୟ ଖଣ୍ଡା ନେଇ କରି ଆସିଥିଲେ। ସେ ଗର୍ବରେ ସନ୍ଥଙ୍କୁ କହିଲେ, ବାବା! ଏହି ଖଣ୍ଡା ମୋ ତରଫରୁ ଆପଣଙ୍କ ପାଇଁ ଗୋଟିଏ ଉପହାର।

ଖଣ୍ଡାକୁ ଦେଖିକରି ସନ୍ଥ କହିଲେ, ହେ ରାଜା! ଆପଣଙ୍କୁ ମୁଁ ବହୁତ ଧନ୍ୟବାଦ ଜଣାଉଛି ମୋ ପାଇଁ ଆପଣ ଏତେ ମୂଲ୍ୟବାନ ଖଣ୍ଡାକୁ ନେଇ କରି ଆସିଲେ। କିନ୍ତୁ ଏହା ମୋର କୌଣସି କାମରେ ଆସିବନି। ଯଦି ଆପଣଙ୍କୁ କିଛି ଦେବାର ଅଛି ତା’ହେଲେ ମୋତେ ଛୁଞ୍ଚିଟିଏ ଉପହାର ଦିଅନ୍ତୁ। ସେ ମୋ ପାଇଁ ଖଣ୍ଡାଠାରୁ ବହୁତ ମୂଲ୍ୟବାନ ବସ୍ତୁ ହେବ। ସନ୍ଥଙ୍କ କଥା ଶୁଣି ରାଜା ସ୍ତବ୍ଧ ହୋଇଗଲେ ଆଉ କହିଲେ, ବାବା… ଗୋଟିଏ ଛୁଞ୍ଚି କେମିତି ଖଣ୍ଡାର ମୁକାବିଲା କରିବ।

ଏହା ଶୁଣି ସନ୍ଥ କହିଲେ, ଖଣ୍ଡା ଲୋକଙ୍କୁ ମାରିବା- କାଟିବାର କାମ କରିଥାଏ। ତେଣିକି ଯେତେ ମୂଲ୍ୟବାନ ଖଣ୍ଡା ହେଉ ପଛକେ ସେ କେବଳ ରକ୍ତ ବୁହାଇଥାଏ ଆଉ କାଟିବାର କାମ କରିଥାଏ। ଗୋଟିଏ ଛୋଟ ଛୁଞ୍ଚି ଫଟା-ଚିରି ଯାଇଥିବା କପଡ଼ାକୁ ଯୋଡ଼ିଥାଏ। ଭାଙ୍ଗିବା ବହୁତ ସହଜ କିନ୍ତୁ ଯୋଡ଼ିବା ବହୁତ କଠିନ। ଏବେ ତୁମେ କୁହ! ଏ ଦୁଇଟା ଜିନିଷରୁ କେଉଁଟା ମୂଲ୍ୟବାନ? ଖଣ୍ଡାର ଅହଂକାର ନା’ ଛୁଞ୍ଚିର ବିନମ୍ରତା?
ରାଜା ସନ୍ଥଙ୍କର କଥାର ସଙ୍କେତକୁ ଶୀଘ୍ର ବୁଝିଗଲେ ଆଉ ତାଙ୍କ ଚରଣରେ ମୁଣ୍ଡ ରଖିକରି କହିଲେ, ବାବା ଆଜି ଆପଣ ମୋ ଜୀବନର ଦିଗକୁ ପୂରା ବଦଳେଇ ଦେଲେ। ଏବେ ମୁଁ ସାରା ଜୀବନ କେବଳ ଯୋଡ଼ିବା ବିଷୟରେ ଭାବିବି ଆଉ ସକଳ ବିନମ୍ରତା ଏବଂ ସମର୍ପଣରେ ନିଜ ରାଜ୍ୟର ପ୍ରଜାଙ୍କ ସେବା କରିବି।

ଏହା ପରେ ସେ ସନ୍ଥଙ୍କ ସାମନାରେ ଖଣ୍ଡାକୁ ଫୋପାଡ଼ି ଦେଲେ ଆଉ ନିଜର ଅହଂକାର ମଧ୍ୟ ଛାଡ଼ି ଦେଲେ।
ବାୟାବାବା ମଠ ଲେନ୍‌
ଭୁବନେଶ୍ବର

ସମ୍ବନ୍ଧିତ ଖବର