ଅମାନତ ହରାଇଥିଲେ ଟିକେଟ୍‌ ଦେବନି କଂଗ୍ରେସ

ପ୍ରଥମ ଦଫାରେ ୫୦, ସବୁ ବିଧାୟକଙ୍କୁ ଟିକେଟ୍‌, ମହିଳା, ଯୁବ ଓ ବିଜୟ ସମ୍ଭାବନା ପ୍ରାର୍ଥୀଙ୍କୁ ଗୁରୁତ୍ୱ

ଭୁବନେଶ୍ୱର : ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ କଂଗ୍ରେସ ଦଳ ଅତି କମ୍‌ରେ ୫୦ଜଣ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେବ। ବର୍ତମାନର ସମସ୍ତ ବିଧାୟକଙ୍କୁ ମିଳିବ ଟିକେଟ୍‌। ଟିକେଟ୍‌ ବଣ୍ଟନରେ ମହିଳା, ଯୁବ ଓ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀମାନଙ୍କୁ ଗୁରୁତ୍ୱ ଦିଆଯିବ। ତେବେ ଗତ ନିର୍ବାଚନରେ ଅମାନତ ହରାଇଥିବା ପ୍ରାର୍ଥୀମାନଙ୍କୁ ଆଉ ଟିକେଟ୍‌ ମିଳିବ ନାହିଁ। ପ୍ରାର୍ଥୀ ଚୟନ ନିମନ୍ତେ ମାର୍ଗଦର୍ଶିକା ଖୁବଶୀଘ୍ର ଚୂଡ଼ାନ୍ତ ହେବ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି(ପିଇସି) ବୈଠକରେ ଏଭଳି କିଛି ଗୁୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଗୁଆ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛି କଂଗ୍ରେସ। ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକମାନଙ୍କୁ କହିଲେ ଯେ ବର୍ତମାନ କଂଗ୍ରେସର ଯେଉଁ ବିଧାୟକମାନେ ଅଛନ୍ତି, ସେମାନଙ୍କୁ ଦଳୀୟ ଟିକେଟ୍‌ ମିଳିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ହେଉ ବା ଅତି ବେଶିରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅନ୍ୟୂନ ୫୦ଜଣଙ୍କୁ ଟିକେଟ୍‌ ଦିଆଯିବ। ଏଥିପାଇଁ ପ୍ରତି ନିର୍ବାଚନମଣ୍ଡଳୀରୁ ୪ଜଣ ପ୍ରାର୍ଥୀଙ୍କ ତାଲିକା ହାଇକମାଣ୍ଡଙ୍କ ପାଖକୁ ପଠାଯିବ। ସେଠାରେ ଚୟନ କମିଟି ଆବଶ୍ୟକ ଯାଞ୍ଚ କରିବା ପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କାହାକୁ ଟିକେଟ୍‌ ପ୍ରଦାନ କରାଯିବ ଘୋଷଣା କରିବେ। ପିସିସି ସଭାପତି କହିଲେ, ଟିକେଟ୍‌ ପାଇଁ ଦଳୀୟ ପ୍ରାର୍ଥୀ ଚୟନ ନେଇ ମାର୍ଗଦର୍ଶିକା ପ୍ରସ୍ତୁତି ଚାଲିଛି। ଖୁବ୍‌ଶୀଘ୍ର ଏହା ଚୂଡ଼ାନ୍ତ ହେବ। ତେବେ ମହିଳା, ଯୁବ ବିଶେଷ କରି ଯେଉଁ ପ୍ରାର୍ଥୀମାନଙ୍କର ନିର୍ବାଚନରେ ବିଜୟ ସମ୍ଭାବନା ଅଧିକ ସେମାନଙ୍କୁ ଟିକେଟ୍‌ ପ୍ରଦାନ ଉପରେ ଅଗ୍ରାଧିକାର ଦିଆଯିବ। ଗତ ନିର୍ବାଚନରେ ଲଢ଼ି ଯେଉଁମାନେ ଅମାନତ୍‌ ହରାଇଛନ୍ତି, ସେମାନଙ୍କୁ ଆଉ ଟିକେଟ୍‌ ମିଳିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏହି ପରିପ୍ରେକ୍ଷୀରେ ନିକମ୍ମାମାନଙ୍କୁ କଂଗ୍ରେସରେ ସ୍ଥାନ ମିଳିବ ନାହିଁ ବୋଲି କହିଥିଲେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ। ଓଡ଼ିଶାରେ ‘ମୋ ବୁଥ୍‌ ମୋ ଗୌରବ’ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ନିଷ୍ପତ୍ତି ଅନୁଯାୟୀ ବୁଥ୍‌ ସ୍ତରୀୟ ଏଜେଣ୍ଟ ଓ ବୁଥ୍‌ ସ୍ତରୀୟ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ବର୍ତମାନଠାରୁ ଆରମ୍ଭ କରାଯିବ। ଏହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ବୁଥ୍‌ରେ କେତେସଂଖ୍ୟକ କଂଗ୍ରେସ ମତଦାତା ଅଛନ୍ତି, କେଉଁ ମତଦାତାମାନେ ଅନ୍ୟାନ୍ୟ ଦଳମାନଙ୍କୁ ସମର୍ଥନ କରୁଛନ୍ତି, ସେମାନଙ୍କ ମଧ୍ୟରୁ କେତେସଂଖ୍ୟକ ମତଦାତା ନିରପେକ୍ଷ, ସେ ନେଇ ଅନୁଧ୍ୟାନ କରାଯିବ। ଆଜିର ଏହି ବୈଠକରେ ପିସିସି ସଭାପତି, ପ୍ରଭାରୀ ଓ ଅନ୍ୟାନ୍ୟ କର୍ମକର୍ତାମାନେ ଯୋଗ ଦେଇଥିଲେ। ଅପରାହ୍ଣରେ ଆରମ୍ଭ ହୋଇଥିବା ପ୍ରଚାର ଅଭିଯାନ କମିଟି ବୈଠକ ରାତି ପର୍ଯ୍ୟନ୍ତ ଚାଲିଥିଲା।

ଉଲ୍ଲେଖଯୋଗ୍ୟ, ୨୦୧୪ ନିର୍ବାଚନରେ ଛପନ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରତିଦ୍ୱନ୍ଦିତାକୁ ଆସିପାରିନଥିଲା। ତୃତୀୟ, ଚତୁର୍ଥ କି ଷଷ୍ଠ ସ୍ଥାନରେ ରହିଲା। ଦଳ ମାତ୍ର ୧୬ଟି ଆସନ ଜିତିଥିଲା। ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ଏହି ସଂଖ୍ୟା ୧୫କୁ ଖସିଛି। ୪୩ଜଣ କଂଗ୍ରେସ ପ୍ରାର୍ଥୀ ତୃତୀୟ ସ୍ଥାନରେ ଥିଲେ। ୧୦ଜଣ ଚତୁର୍ଥ, ୨ଜଣ ପଞ୍ଚମ ଓ ଜଣେ ଷଷ୍ଠ ସ୍ଥାନ ଅଧିକାର କରିଥିଲେ।

ଦ୍ୱିତୀୟ ସ୍ଥାନରେ ଥିବା ୬୬ଜଣ ପ୍ରାର୍ଥୀ ୧୫ହଜାର ଭୋଟ ବ୍ୟବଧାନରେ ହାରିଥିଲେ। ଏମାନଙ୍କ ମଧ୍ୟରୁ ୫୫ଜଣ ବିଜୟୀ ପ୍ରାର୍ଥୀଠାରୁ ୨୦ହଜାର ଭୋଟ୍‌ ପଛରେପଡିଥିବା ବେଳେ ୩୩ଜଣ ୩୦ହଜାର ଭୋଟ୍‌ ଏବଂ ୧୯ ଜଣ ୪୦ହଜାର ଭୋଟ୍‌ ବ୍ୟବଧାନରେ ହାରିଥିଲେ।

୨୯ଜଣ ପ୍ରାର୍ଥୀ ନିଜ ନିଜ ନିର୍ବାଚନମଣ୍ଡଳୀରେ ୨୦ହଜାର ଭୋଟ ମଧ୍ୟ ପାଇନଥିଲେ। ପ୍ରତି ନିର୍ବାଚନମଣ୍ଡଳୀରେ ହାରାହାରି ୧ଲକ୍ଷ ୭୦ହଜାରରୁ ୨ଲକ୍ଷ ୨୦ହଜାର ଭୋଟ୍‌ ରହିଛି। ଏହାର ଅର୍ଥ ହେଉଛି, କଂଗ୍ରେସ ପ୍ରାର୍ଥୀ ୧୦ ପ୍ରତିଶତ ଭୋଟ ମଧ୍ୟ ପାଇନଥିଲେ।

ସମ୍ବନ୍ଧିତ ଖବର