ଗ୍ରିନ୍ ମହାନଦୀ ମିସନ୍‌ରେ ଆଉ ୪ ନଦୀ

ପର୍ଯ୍ୟଟନ ପାଇଁ ୧୯୪, ସଂସ୍କୃତି ପାଇଁ ୧୭୪ କୋଟି ଟଙ୍କା

ଭୂବନେଶ୍ବର : ନଦୀଗୁଡ଼ିକରେ ଜଳର ଉପଲବ୍ଧି ବୃଦ୍ଧି ଉଦ୍ଦେଶ୍ୟରେ ‘ଗ୍ରିନ୍ ମହାନଦୀ ମିସନ୍’ କାର୍ଯ୍ୟକାରୀ କରାଯାଉଛି। ମୁଖ୍ୟତଃ ଏହି ଯୋଜନାରେ ମହାନଦୀ, ଇବ୍ ଓ ତେଲ ନଦୀର ଅବବାହିକାରେ ବ୍ୟାପକ ବୃକ୍ଷରୋପଣ କରାଯାଉଛି। ଚଳିତ ବର୍ଷ ଏହି ଯୋଜନାରେ ଆଉ ୪ଟି ନଦୀକୁ ଅନ୍ତର୍ଭୁକ୍ତ କରାଯିବ। ସେଗୁଡ଼ିକ ହେଲା ବ୍ରହ୍ମଣୀ, ବୈତରଣୀ, ଋଷିକୂଲ୍ୟା ଓ ବଂଶଧାରା। ଏହା ସହ ମହାନଦୀ, ଇବ୍ ଓ ତେଲ ନଦୀର ବାଦ୍ ପଡ଼ିଥିବା ଅଞ୍ଚଳ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ। ଯୋଜନା ପରିସର ବୃଦ୍ଧି ନିମନ୍ତେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନା ଅନ୍ତର୍ଗତ ସଂଯୋଜନା ବାଦ୍ ୫୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବଜେଟ୍‌ ଉପସ୍ଥାପନ ବେଳେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଏହି ସୂଚନା ଦେଇଥିଲେ।

ପର୍ଯ୍ୟଟନ ପାଇଁ ୧୯୪, ସଂସ୍କୃତି ପାଇଁ ୧୭୪ କୋଟି ଟଙ୍କା

ଭୁବନେଶ୍ବର : ୨୦୧୯-୨୦ ବଜେଟ୍‌ରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୧୯୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ମଧ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ପରିଚାଳନା ପାଇଁ ୧୦୦ କୋଟି, ପର୍ଯ୍ୟଟନର ପ୍ରଚାର, ପ୍ରସାର ପାଇଁ ୩୫ କୋଟି ଓ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ଯୋଜନା ନିମନ୍ତେ ୧୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପାଇଁ ୧୭୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ମଧ୍ୟରେ ଓଡ଼ିଆ ଭାଷାର ପ୍ରୋତ୍ସାହନ ତଥା ବିଭିନ୍ନ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ୧୪ କୋଟି ଟଙ୍କା ବ୍ୟୟବରାଦ ରହିଛି। ଓଡ଼ିଶା ଭର୍ଚୁଆଲ ଏକାଡେମି ଓଡ଼ିଆ ଭାଷାରେ ରଚିତ ପୁସ୍ତକଗୁଡ଼ିକର ଡିଜିଟାଇଜେସନ୍ କରି ତାହାକୁ ଅନ୍‌ଲାଇନ୍‌ରେ ଉପଲବ୍ଧ କରାଇବ। ସେହିପରି ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ପାଇଁ ବଜେଟ୍‌ରେ ୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରେକ୍ଷାଳୟ ଓ କଳାମଣ୍ଡଳର ଉନ୍ନତି ଓ ନବୀକରଣ ନିମନ୍ତେ ୧୧ କୋଟି ଟଙ୍କା ଦିଆଯାଇଛି।

ସମ୍ବନ୍ଧିତ ଖବର