ଓଡ଼ିଶାର ବିଶିଷ୍ଟ ସମାଜସେବୀ ଓ ସ୍ବାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀ ୧୮୯୯ ଡିସେମ୍ବର ୩ ତାରିଖରେ କଟକ ଅନ୍ତର୍ଗତ ସତ୍ୟଭାମାପୁର ଗ୍ରାମର ଏକ ଆଭିଜାତ୍ୟ ପରିବାରରେ ଜନ୍ମ ହୋଇଥିଲେ। ସେ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଝିଆରୀ। ୧୫ ବର୍ଷ ବୟସରେ ଗୋପବନ୍ଧୁ ଚୌଧୁରୀଙ୍କୁ ବିବାହ କରିବା ପରେ ୧୯୨୧ ମସିହାରେ ସେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ଗାଁ ଗାଁ ବୁଲି କଂଗ୍ରେସ ସଦସ୍ୟତା ଗ୍ରହଣ କରିବା ସହିତ ସେ ଲୋକମାନଙ୍କ ମନରୁ ଅନ୍ଧବିଶ୍ବାସ ଓ କୁସଂସ୍କାର ଦୂର କରୁଥିଲେ। ୧୯୩୦ରେ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହରେ ଯୋଗ ଦେଇ ସେ ଜେଲ୍ ଯାଇଥିଲେ। ସମାଜସେବା ଥିଲା ତାଙ୍କ ଜୀବନର ବ୍ରତ। ଖଦି ପ୍ରସାର, ହରିଜନ ସେବା ଓ ନାରୀ ଶିକ୍ଷାର ପ୍ରସାର ପାଇଁ ସେ ନିରବଚ୍ଛିନ୍ନ ଭାବେ କାମ କରିଥିଲେ। ସେ ବରିଠାରେ ଏକ ଆଶ୍ରମ ଗଢ଼ିଥିଲେ ଯାହାକୁ ଗାନ୍ଧୀଜୀ ସେବାଘର ଆଖ୍ୟା ଦେଇଥିଲେ। ୧୯୪୨ରେ ଭାରତଛାଡ଼ ଆନ୍ଦୋଳନ ବେଳେ ମଧ୍ୟ ସେ ସପରିବାର ଗିରଫ ହୋଇଥିଲେ। ସ୍ବାଧୀନତା ପରେ ଚୌଧୁରୀ ଦମ୍ପତି କ୍ଷମତା ରାଜନୀତିରୁ ଦୂରେଇ ରହି ପ୍ରତ୍ୟକ୍ଷ ଜନସେବାରେ ମନୋନିବେଶ କରିଥିଲେ। ଓଡ଼ିଶାରେ ଭୂଦାନ ଆନ୍ଦୋଳନର ସଫଳତା ପଛରେ ରମାଦେବୀଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଭାରତ-ଚୀନ ଯୁଦ୍ଧ ବେଳେ ଆସାମ ଯାଇ ସେ ଆହତ ଭାରତୀୟ ଯବାନଙ୍କର ସେବା କରିଥିଲେ। ଓଡ଼ିଶାର ‘ମା’ ଭାବେ ପ୍ରସିଦ୍ଧ ରମାଦେବୀ ୧୯୮୫ ଜୁଲାଇ ୨୨ରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।
ରାଜେନ୍ଦ୍ର ପ୍ରସାଦ
ଭାରତର ପ୍ରଥମ ରାଷ୍ଟ୍ରପତି ଭାବେ ନିଷ୍ଠା ଓ ଦକ୍ଷତାର ସହ ଆମ ଦେଶକୁ ବଳିଷ୍ଠ ନେତୃତ୍ବ ପ୍ରଦାନ କରିଥିଲେ ଡକ୍ଟର ରାଜେନ୍ଦ୍ର ପ୍ରସାଦ। ୧୮୮୪ ମସିହା ଡିସେମ୍ବର ୩ରେ ବିହାରର ଜିରାଦେଇଠାରେ ସେ ଜନ୍ମଗ୍ରହଣ କରିଥିଲେ। ଅର୍ଥନୀତିରେ ସ୍ନାତକୋତ୍ତର ପଢ଼ା ସାରିବା ପରେ ସେ ଅଧ୍ୟାପନା ସାଙ୍ଗକୁ ଓକିଲାତି ପଢ଼ା ଜାରି ରଖିଥିଲେ। ଏହାପରେ ପ୍ରାୟ ଚାରିବର୍ଷ କାଳ ପାଟନା ହାଇକୋର୍ଟରେ ଓକିଲାତି କରିଥିଲେ। ୧୯୧୧ରେ ସେ ବିଧିବଦ୍ଧ ଭାବେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିେଲ। ଅସହଯୋଗ ଆନ୍ଦୋଳନରେ ଯୋଗ ଦେବା ପାଇଁ ସଫଳ ଓକିଲାତି କ୍ୟାରିୟର୍ ଛାଡ଼ିଦେଇଥିଲେ। ସେ ୧୯୩୧ର ଲବଣ ସତ୍ୟାଗ୍ରହ ଓ ୧୯୪୨ର ଭାରତଛାଡ଼ ଆନ୍ଦୋଳନ ବେଳେ କାରାବରଣ କରିଥିଲେ। ୧୯୩୪ ମସିହାରେ କଂଗ୍ରେସର ବମ୍ବେ ଅଧିବେଶନରେ ସେ ସଭାପତିତ୍ବ କରିଥିଲେ। ୧୯୪୬ରେ ମଧ୍ୟବର୍ତ୍ତୀକାଳୀନ ସରକାରରେ ସେ ଖାଦ୍ୟ ଓ କୃଷି ମନ୍ତ୍ରୀ ହୋଇଥିଲେ। ସମ୍ବିଧାନ ସଭାର ସଭାପତି ଭାବେ ଭାରତୀୟ ସମ୍ବିଧାନ ଗଠନରେ ତାଙ୍କର ମହତ୍ତ୍ବପୂର୍ଣ୍ଣ ଅବଦାନ ଥିଲା। ୧୯୫୦ ଜାନୁଆରି ୨୬ରେ ଦେଶ ଏକ ସାଧାରଣତନ୍ତ୍ରରେ ପରିଣତ ହେବା ପରେ ରାଜେନ୍ଦ୍ର ଭାରତର ରାଷ୍ଟ୍ରପତି ହୋଇଥିଲେ। ସେ ଭାରତର ଏକମାତ୍ର ରାଜନେତା ଯିଏ ରାଷ୍ଟ୍ରପତି ଭାବେ ଦୁଇ ଥର ସଂପୂର୍ଣ୍ଣ କାର୍ଯ୍ୟକାଳ ପାଇଁ ଦାୟିତ୍ବ ତୁଲାଇଛନ୍ତି। ୧୯୬୨ ମସିହାରେ ତାଙ୍କୁ ‘ଭାରତରତ୍ନ’ ପ୍ରଦାନ କରାଯାଇଥିଲା। ୧୯୬୩ ଫେବ୍ରୁଆରି ୨୮ରେ ରାଜେନ୍ଦ୍ର ପ୍ରସାଦ ପରଲୋକ ଗମନ କରିଥିଲେ।