ଇତି ଊଣେଇଶ (ଅପରାଧ) : ଲୁଚକାଳି ଖେଳ

ସରିବାକୁ ବସିଛି ବର୍ଷ ୨୦୧୯। ଛାଡ଼ିଯାଉଛି ଅନେକ ସ୍ମୃତି ଓ ଅନୁଭୂତି। ଯାହା କେବଳ କମିସନରେଟ୍‌ ପୁଲିସ ପାଇଁ ନୁହେଁ, ବରଂ ସ୍ମାର୍ଟସିଟି ବାସିନ୍ଦାଙ୍କ ପାଇଁ ଅବିସ୍ମରଣୀୟ। କମିସନର ବଦଳିଛନ୍ତି, ବଦଳିଛି ବ୍ୟବସ୍ଥା। କୁନ୍ଥେଇ କୁନ୍ଥେଇ ନୂଆ ଟ୍ରାଫିକ୍‌ ନିୟମରେ କିଛିଟା ଅଭ୍ୟସ୍ତ ହୋଇଛନ୍ତି ରାଜଧାନୀବାସୀ। କେଉଁଠି ଦିନ ଦ୍ବିପ୍ରହରରେ ଗଳାକାଟି ହତ୍ୟାକାଣ୍ଡ ହୋଇଛି ତ’ ଆଉ କେଉଁଠି ଗ୍ୟାଙ୍ଗ୍‌ୱାର୍‌ରେ ମୁଣ୍ଡ ଗଡ଼ିଛି। ଅନେକ ରହସ୍ୟମୟ ଆତ୍ମହତ୍ୟାର ଆଦିଅନ୍ତ ପାଇନି ପୁଲିସ। ଚୋର ପୁଲିସ ମଧ୍ୟରେ ଲଚୁକାଳି‌ ଖେଳ ଚାଲିଛି। ପୁଲିସ ଡାଳେ ଡାଳେ ଗଲେ ଅପରାଧୀ ପତ୍ରେ ପତ୍ରେ ଯାଇଛନ୍ତି। ଗୋଟିଏ ପଟେ ଅପରାଧୀଙ୍କ ଆତଙ୍କରେ ରାଜଧାନୀବାସୀ ତ୍ରାହ ତ୍ରାହି ଡାକୁଥିବା ବେଳେ ବଡ଼ ବଡ଼ ଘଟଣାରେ ସଫଳତା ନ ମିଳିବା କମିସନରେଟ୍‌ ପୁଲିସର ପାରିବା ପଣିଆକୁ ପଦାରେ ପକାଇଛି।

ପ୍ରସ୍ତୁତି: ବିବୁଧ ମହାନ୍ତି, ଅଳଙ୍କରଣ: ରବି

ଭାଇଗିରି ପାଇଁ ମୁଣ୍ଡ ଗଡ଼ିଲା
ଚଳିତ ବର୍ଷ ରାଜଧାନୀରେ ୨୬ ହତ୍ୟାକାଣ୍ଡ ଘଟିଛି। ଏଥିରୁ ‘ଭାଇଗିରି’ ପାଇଁ ୩ଟି। କଟକରେ ଭାଇଗିରି ପାଇଁ ହତ୍ୟାକାଣ୍ଡ ଘଟୁଥିଲା। କିନ୍ତୁ ରାଜଧାନୀରେ ଏହା ପୁଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି। ରଙ୍ଗମାଟିଆ ତଳସାହିର ଦୀପକ ବେହେରା ଓରଫ ଲଣ୍ଡାକୁ ଅତି ନିର୍ମମ ଭାବେ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା। ଏହି ଘଟଣା ମନରୁ ନ ଲିଭୁଣୁ, ଦିପାବଳୀ ରାତିରେ ସମସ୍ତେ ଆନନ୍ଦ ଉଲ୍ଲାସରେ ମାତିଥିବା ବେ‌ଳେ ଏୟାରଫିଲ୍ଡ ଥାନା ନିକଟରେ ଅମରେଶ ନାୟକ ନାମକ ଜଣେ ଯୁବକଙ୍କୁ ହତ୍ୟା କରିଥିଲେ ବିରୋଧୀ ଗୋଷ୍ଠୀ। ସେହିପରି ଖଣ୍ଡିଗରି ଥାନା ଅଧୀନ ବାହାଦଲପୁର ଗ୍ରାମର ଅନୀଲ ଜେନା ଓରଫ ପପୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ସେହିଭଳି ପୁରୁଣା ଭୁବନେଶ୍ବରରେ ଭଡ଼ା ଘରେ ଏକାଠି ରହୁଥିବା ବାନ୍ଧବୀ ଅଳକାନନ୍ଦା ଦାସଙ୍କୁ ଗଳା କାଟି ହତ୍ୟା, ବାଲିଅନ୍ତା ଥାନା ଅଟଳଗଡ଼ରେ ଜମିପାଇଁ ପ୍ରିତମ୍‌ ରାଉତରାୟଙ୍କୁ ହତ୍ୟା ମାମଲା, ରେଳ ଷ୍ଟେସନ କଡ଼ରେ ଥିବା ସୁକାନ୍ତୀ ଡର୍ମିଟୋରି ଲଜ୍‌ରେ ରେଳବାଇ କର୍ମଚାରୀ ଟି.ବି ରାଓଙ୍କୁ ହତ୍ୟା ମାମଲା ବେଶ୍‌ ଚର୍ଚ୍ଚାରେ ରହିଥିଲା।

ପୁଲିସକୁ ଆକ୍ରମଣ
ଥାନା ଭିତରେ ଛାତ୍ର ଅଣଛାତ୍ର ପଶି ପୁଲିସକୁ ପିଟିବା ଭଳି ଘଟଣା ବର୍ଷ ୨୦୧୯ରେ ଘଟିଥିଲା। ପୁଲିସର ଆଚରଣରେ ଉତ୍‌କ୍ଷିପ୍ତ ହୋଇ ସହିଦନଗର ଥାନାରେ ପଶିବା ସହ ପୁଲିସ କର୍ମଚାରୀଙ୍କ ମୁଣ୍ଡ ଫଟାଇ ଦେଇଥିଲେ।

୫ଅପରାଧୀଙ୍କୁ ଏନ୍‌କାଉଣ୍ଟର
ବର୍ଷ ଆରମ୍ଭରେ କମିସନରେଟ୍‌ ପୁଲିସ ଅପରାଧୀଙ୍କୁ ଗୋଡ଼ାଇ ଗୋଡ଼ାଇ ଏନ୍‌କାଉଣ୍ଟର କରିଥିଲା। ୪୮ ଘଣ୍ଟାରେ ହୋଇଥିବା ୩ ଏନ୍‌କାଉଣ୍ଟରରେ ୫ ଅଭ୍ୟାସଗତ ଅପରାଧୀ ଆହତ ହୋଇଥିଲେ। କିନ୍ତୁ ଏହା ପରେ ପୁଲିସ ଏନକାଉଣ୍ଟର କ’ଣ ଭୁଲି ଯାଇଥିଲା।

ସେଇ ଜୁଲାଇ ୩୦
ଆତଙ୍କର ଦିନ ଥିଲା ଜୁଲାଇ ୩୦। ଭୋର ୫ଟା ବେଳେ ରେଳବାଇ କର୍ମଚାରୀ ଉମାକାନ୍ତ ମିଶ୍ର, ପତ୍ନୀ ଓ ଶିଶୁକନ୍ୟା ମୁଣ୍ଡରେ ବନ୍ଧୁକ ଲଗାଇ ୮୦ ଗ୍ରାମ୍‌ର ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍‌ ହୋଇଥିଲା। ଏହି ଘଟଣାର ୫ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ମଧ୍ୟରାତ୍ରିରେ ଘରକୁ ଫେରିବା ବାଟରେ ବ୍ୟବସାୟୀ ବୁଲୁ ସାମନ୍ତରାୟଙ୍କୁ ହାଣି ଚେନ୍‌ ଓ ଟଙ୍କା ନେଇ ଯାଇଥିଲେ ଦୁର୍ବୃତ୍ତ। ଅପରାହ୍ନରେ ମଞ୍ଚେଶ୍ବର ଥାନା ଜଗନ୍ନାଥ ସଡ଼କରେ ଥିବା ଏକ ପୁରୁଣା ଗାଡ଼ି ସୋ ରୁମ୍‌ରେ ଡକାୟତ ପଶି କର୍ମଚାରୀକୁ ଗୁଳି ମାଡ଼ କରିବା ସହ ଗ୍ରାହକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୫ ଲକ୍ଷ ଟଙ୍କା ନେଇ ଯାଇଥିଲେ।

ବାଂଲାଦେଶୀ ଦେହଜୀବୀ
ଭୁବ‌ନେଶ୍ବରରେ ସେକ୍ସ ରୢାକେଟ୍‌ରେ ବାଂଲାଦେଶୀ ଦେହଜୀବୀ ସଂପୃକ୍ତ ରହିବା ଚଳିତ ବର୍ଷ ସ୍ପଷ୍ଟ ହୋଇଛି। ନକଲି ପରିଚୟପତ୍ର ଦେଇ ହୋଟେଲରେ ରହିବା ସହ ଦେହ ବେପାରରେ ସାମିଲ ଥିଲେ। ହୋଟେଲ କର୍ମଚାରୀଙ୍କ ନାମରେ ଅଭିଯୋଗ ଆଣିବା ପରେ ତନାଘନା ହେବାରୁ ସେ ଧରାପଡ଼ି ବନ୍ଧା ହୋଇଥିଲେ। ଏହା ପୂର୍ବରୁ ଖାରବେଳ ନଗର ଅଞ୍ଚଳରେ କେତେକ ବିଦେଶୀ ଯୁବତୀଙ୍କ ସହ ଗ୍ରାହକ ମଧ୍ୟ ଧରା ପଡ଼ିଥିଲେ।

ନୂଆ ପୁଲିସ କମିସନର
୨୦୧୯ରେ ନୂଆ କମିସନର ସୁଧାଂଶୁ ଷଡ଼ଙ୍ଗୀ ଦାୟିତ୍ବ ନେଇଥିଲେ। ଯୋଗ ଦେବା ପରେ ସେ ପ୍ରଥମ ଥର ଲାଗି ଟ୍ବିଟର ଓ ଫେସ୍‌ବୁକ୍‌‌ ଆକାଉଣ୍ଟରେ ୨ ଘଣ୍ଟା ଧରି ଲାଇଭ୍‌ରେ ଆସି ଲୋକମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଗୋଟିଏ ପଟେ ଅପରାଧ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ବେଳେ ସୋସିଆଲ ମିଡିଆରେ ଏହି ଲାଇଭ୍‌ ଷ୍ଟ୍ରିମିଂ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା।

ନୂଆ ଅଫିସର, ନୂଆ ଆଇନ, ନୂଆ ଟେନ୍‌ସନ୍‌
୨୦୧୯ ମସିହାରେ କମିସନରେଟ୍‌ ପୁଲିସରେ ନୂଆ କମିସନରଙ୍କ ସହ ସ୍ବତନ୍ତ୍ର ଭାବେ ଜଣେ ଟ୍ରାଫିକ ଡିସିପି ସାଗରିକା ନାଥ ଦାୟିତ୍ବ ନେଇଥିଲେ। ନୂଆ କମିସନର ଲେନ୍‌ ଡ୍ରାଇଭିଂ ଭଳି ନୂଆ ଟ୍ରାଫିକ୍‌ ବ୍ୟବସ୍ଥା କରିଥିବା ବେଳେ ଏନ୍‌ଫୋର୍ସମେଣ୍ଟ ଦାୟିତ୍ବ ନେଇଥିଲେ ଡିସିପି ସାଗରିକା। ପ୍ରଥମ ଥର ପାଇଁ ଆଇନ ଉଲ୍ଲଂଘନକାରୀକୁ ଧରିବା ପାଇଁ ଡ୍ରୋନ୍‌ର ବ୍ୟବହାର ଆରମ୍ଭ ହୋଇଛି। ‌ଠିକ୍‌ ଏତିକି ବେଳେ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ସହ ମୋଟା ଅଙ୍କର ଜରିମାନା ଆଦାୟ ହୋଇଥିଲା। କାଗଜପତ୍ର ଯାଞ୍ଚ ବେଳେ ଏହାର ଘୋର ପ୍ରତିବାଦ‌ ହେବା ସହ ରାଜମହଲ ଛକରେ ସଂଘର୍ଷ ହୋଇଥିଲା। ଏହି ନୂଆ ଟେନ୍‌ସନ୍‌କୁ ସମ୍ଭାଳିବା ପାଇଁ କମିସନରେଟ୍‌ ପୁଲିସକୁ କାଠିକାର ପାଠ ହୋଇଥିଲା। ଏହା ସହିତ ଛାତ୍ରଛାତ୍ରୀମାନଙ୍କୁ ଏସ୍‌ପିଓ(ସ୍ବତନ୍ତ୍ର ପୁଲିସ ଅଫିସର) ଭାବରେ ନିଯୁକ୍ତି ପାଇଁ ଯୋଜନା ମଧ୍ୟ ଚର୍ଚ୍ଚାରେ ରହିଥିଲା।

ସମ୍ବନ୍ଧିତ ଖବର