ଆସନ୍ତୁ ଜାଣିବା ୧୩୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ଝୁଲନ୍ତା ହୋଟେଲ ‘ସ୍କାଇଲଜ’ ବିଷୟରେ!

ମଣିଷ ପୃଥିବୀ ପୃଷ୍ଠରେ ଅନେକ ଆକର୍ଷଣୀୟ ଜିନିଷ ତିଆରି କରିଛି। ଯାହା କରିବା ପାଇଁ ପୂର୍ବରୁ କଳ୍ପନା କରାଯାଇ ପାରୁନଥିଲା ତାହା ଏବେ ମଣିଷ ଆଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ସମ୍ଭବ କରିପାରୁଛି। ତେବେ ଆସନ୍ତୁ ଜାଣିବା ଏପରି ଏକ ଅବିଶ୍ୱସନୀୟ ନିର୍ମାଣ ବିଷୟରେ ଯାହାକୁ କେବେ ପୂର୍ବରୁ ଦେଖିନଥିବେ।

ପେରୁ, ସାଉଥ ଆମେରିକାର ସ୍ୟାକରେଡ ଭ୍ୟାଲିର ଏକ ପାହାଡ ଉପରେ ନିର୍ମାଣ କରାଯାଇଛି ସ୍କାଇଲଜ ହୋଟେଲ। ଏହି ହୋଟେଲକୁ ଦୁନିଆର ସବୁଠାରୁ ଖତରନାକ ହୋଟେଲ ବୋଲି କୁହାଯାଇଥାଏ। ଏହି ହୋଟେଲ ପ୍ରାୟ ୧୩୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପାହାଡ ଉପରେ ଝୁଲି ରହିଛି। ଏଠାକୁ ଯିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ। କାରଣ ଏହି ହୋଟେଲ ୧୩୦୦ ଫୁଟ ଉପରେ ଝୁଲି ରହିଥିବା କାରଣରୁ ଏଠାକୁ ଯିବା ମୃତ୍ୟୁ ମୁଖରେ ପଡିବା ସହ ସମାନ ହୋଇଥାଏ। ବିପଦରେ ଭରି ହୋଇ ରହିଥିବା ସତ୍ୱେ ମଧ୍ୟ ଏଠାକୁ ବୁଲିବା ପାଇଁ ଅନେକ ଦୂର ଦୂରାନ୍ତରରୁ ପର୍ଯ୍ୟଟକମାନେ ଆସିଥାନ୍ତି।

ଏହି ହୋଟେଲ ଦେଖିବାକୁ ବିଲକୁଲ କ୍ୟାପ୍‌ସୁଲ ଭଳି । ଏହି ହୋଟେଲ ୨୪ ଫୁଟ ଲମ୍ବା,୮ ଫୁଟ ଚଉଡା ଏବଂ ଏହାର ଉଚ୍ଚତା ମାତ୍ର ୮ ଫୁଟ ରହିଛି। ଏହି ହୋଟେଲରେ ଚାରୋଟି ବେଡରୁମ ଏବଂ ଗୋଟିଏ ୱାସରୁମ ସହ ଗୋଟିଏ ଡାଇନିଙ୍ଗ ରୁମ ତିଆରି କରାଯାଇଛି। ପର୍ଯ୍ୟଟକମାନେ ଯେପରି ପାହାଡର ସୁନ୍ଦରତାକୁ ଉପଭୋଗ କରିପାରିବେ ସେନେଇ ହୋଟେଲକୁ ସମ୍ପୂର୍ଣ୍ଣ କାଚରେ ତିଆରି କରାଯାଇଛି। କେବଳ ସେତିକି ନୁହେଁ ଏଥିରେ ସୌର ଶକ୍ତି ସାହାଯ୍ୟରେ ଲାଇଟ ଯୋଗାଇ ଦିଆଯାଏ। ଏହି ହୋଟେଲରେ ଛିଡା ହୋଇ ଉପରକୁ ଅନାଇଲେ ଆପଣଙ୍କୁ ନୀଳ ଆକାଶ ଦେଖାଯିବା ସହ ତଳକୁ ଦେଖିଲେ ପାହାଡ ସହିତ ସବୁଜ ପରିବେଶ ଦେଖାଯାଇଥାଏ। ଆଡଭେଞ୍ଚର ଟ୍ରିପରେ ଆସିଥିବା ଲୋକଙ୍କ ପାଇଁ ଏହି ହୋଟେଲକୁ ପାହାଡ ଉପରେ ତିଆରି କରାଯାଇଛି।

ପାହାଡ ଭିତରେ ଷ୍ଟିଲର ଖୁଣ୍ଟକୁ ପୋତା ଯାଇ ଏହି ହୋଟେଲକୁ ନିର୍ମାଣ କରାଯାଇଛି। ଗ୍ରାହକମାନେ ପାହାଡର ସୁନ୍ଦରତାକୁ ଉପଭୋଗ କରିବା ପାଇଁ ଏହାର ଚର୍ତୁପାଶ୍ୱରେ କାଚ ଲଗାଯାଇଛି। ସବୁଠାରୁ ବଡ କଥା ହେଉଛି ଏହି ହୋଟେଲରେ ରହିବାକୁ ହେଲେ ପର୍ଯ୍ୟଟକମାନଙ୍କୁ ଦିନ ପିଛା ମାତ୍ର ୨୦ ହଜାର ଟଙ୍କା ଦେବାକୁ ପଡିଥାଏ।

ସମ୍ବନ୍ଧିତ ଖବର