ନବ ଦିଗନ୍ତ: ବୁଲା ବିକାଳିଙ୍କ ପାଇଁ ସୌରଚାଳିତ ଠେଲାଗାଡ଼ି

ହୈଦରାବାଦର ପଞ୍ଚାବନ ବର୍ଷ ବୟସ୍କା ଜହରା ବେଗମ ପ୍ରାୟ କୋଡ଼ିଏ ବର୍ଷ ହେଲା ରାସ୍ତା କଡ଼ରେ ଠେଲଗାଡ଼ି ରଖି ପରିବା ବିକିଆସିଲେଣି। ବ୍ୟବସାୟ ପାଇଁ ଚକ ଲଗା ଗାଡ଼ିକୁ ଠେଲିଠେଲି ବିଭିନ୍ନ ଅଞ୍ଚଳକୁ ବି ନେବାକୁ ପଡେ଼। ତେବେ, ଗତ ମାସ ପର୍ଯ୍ୟନ୍ତ ପୁରୁଣା ଠେଲାଗାଡ଼ିଟି ତାଙ୍କର ନ ଥିଲା। ଭଡ଼ା ବାବଦକୁ ଦୈନିକ ଗଣୁଥିଲେ, ନିଜ ରୋଜଗାରର ପ୍ରାୟ ଅର୍ଦ୍ଧେକ। ବଳକା ଅର୍ଥରେ ବଡ଼ କଷ୍ଟରେ ଘର-ପରିବାର ଚଳାଉଥିଲେ। ଏବେ ପରିବର୍ତ୍ତନ ଆସିଛି। ତାଙ୍କୁ ଆଉ ଭଡ଼ା ଗାଡ଼ିରେ ବ୍ୟବସାୟ କରିବାକୁ ପଡ଼ୁନାହିଁ। ଦାତବ୍ୟ ସୂତ୍ରରେ ସେ ପାଇଛନ୍ତି ଏକ ସୌର-ଶକ୍ତିଯୁକ୍ତ ଠେଲା। ଠେଲାର ଛାତରେ ଲାଗିଛି ଜଳ ନିରୋଧୀ ସୌର-ଶକ୍ତି ସେଲ୍‌, ଯାହା ମାଧ୍ୟମରେ ସେଇଟି ସନ୍ଧ୍ୟା ପରେ ଆଲୋକିତ ହେଉଛି, ପଙ୍ଖା ବୁଲୁଛି ଏବ˚ ମୋବାଇଲ୍‌ ଫୋନ୍‌ ମଧ୍ୟ ଚାର୍ଜ‌୍‌ ହୋଇପାରୁଛି। ଡ. ବିବେକ ଭେଙ୍କଟସ୍ବାମୀଙ୍କଠାରୁ ‘ବିଶାଖା ଇଣ୍ତଷ୍ଟ୍ରିଜ୍‌’ ଦ୍ବାରା ନିର୍ମିତ ଠେଲାଟି ସେ ଦାନ ସୂତ୍ରରେ ପାଇଛନ୍ତି। ଗତ ଏକ ମାସ ମଧ୍ୟରେ ଜହରାଙ୍କ ଭଳି ଷାଠିଏ ଜଣ ବୁଲା ବିକାଳି ଏ ଭଳି ଅଭିନବ ଠେଲା ଦାନ ସୂତ୍ରରେ ପାଇଲେଣି। ଆଗକୁ ଆହୁରି ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ଏହି ଠେଲା ମାଧ୍ୟମରେ ରାତିରେ ସେମାନଙ୍କ ଘର ମଧ୍ୟ ଆଲୋକିତ ହେଉଛି। ପିଲା ଶାନ୍ତିରେ ପଢ଼ିପାରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ‘ବିଶାଖା ଇଣ୍ତଷ୍ଟ୍ରିଜ୍‌’ ପକ୍ଷରୁ ସୌର-ଶକ୍ତିଯୁକ୍ତ ଧାରଣକ୍ଷମ ଦୋକାନ ଘର ମଧ୍ୟ ନିର୍ମାଣ କରାଯାଉଛି। ଏହା ଅପେକ୍ଷାକୃତ ଶସ୍ତା ଏବ˚ ତିରିଶ ବର୍ଷ ପର୍ଯ୍ୟନ୍ତ ମରାମତି ଲୋଡ଼ିବନାହିଁ। ଡ. ବିବେକଙ୍କ ସ୍ବେଚ୍ଛାସେବୀ ସ˚ଗଠନ ପକ୍ଷରୁ ଏଗୁଡ଼ିକ ରିହାତି ଦରରେ ଯୋଗାଇଦିଆଯାଉଥିବା ପ୍ରକାଶ।

ସମ୍ବନ୍ଧିତ ଖବର