ଶ୍ରୀଅରବିନ୍ଦଙ୍କ ଦୁର୍ଗାସ୍ତୋତ୍ର

ଆମ ଦେଶରେ ଶ୍ରୀଦୁର୍ଗାଙ୍କୁ ନେଇ ଯେତେ ସ୍ତୋତ୍ର ରଚିତ ହୋଇଛି, ସେସବୁଠାରୁ ଭିନ୍ନ ଓ ଅନନ୍ୟ ଶ୍ରୀଅରବିନ୍ଦଙ୍କ ଦୁର୍ଗାସ୍ତୋତ୍ର। କାରଣ, ତାହା ଯେତିକି ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ସଂପନ୍ନ, ତା’ ଅପେକ୍ଷା ଅଧିକ ଜାତୀୟତାର ଉଦ୍‌ବୋଧନ। ୧୯୦୯ ମସିହା ଅକ୍ଟୋବର ମାସରେ, ‘ଧର୍ମ’ ପତ୍ରିକାରେ ଏହା ପ୍ରଥମେ ପ୍ରକାଶ ପାଇଥିଲା। ତା’ ପରଠାରୁ କେତେ ଯେ ଭାଷାରେ ତାହା ଅନୂଦିତ ହୋଇ ଦେଶର କୋଣ, ଅନୁକୋଣରେ ଯୁବକମାନଙ୍କୁ ଉଦ୍‌ବୋଧିତ କରି ଆସିଛି, ତାହାର କଳନା ନାହିଁ। ଏଠାରେ ଉପସ୍ଥାପିତ ତାହାର ଓଡ଼ିଆ ଅନୁବାଦ ପଣ୍ଡିଚେରୀ ଶ୍ରୀଅରବିନ୍ଦ ଆଶ୍ରମର ‘ନବଜ୍ୟୋତି’ ସୂତ୍ରରୁ ସଂଗୃହୀତ।

ଶ୍ରୀଅରବିନ୍ଦ ଏହି ସ୍ତୋତ୍ରରେ ଦେବୀ ଦୁର୍ଗାଙ୍କୁ ଏ ଭାରତଭୂମିରେ ଆବିର୍ଭାବ ହେବାପାଇଁ ପ୍ରାର୍ଥନା କରିଛନ୍ତି। ତାଙ୍କୁ ଆବାହନ କରି କହିଛନ୍ତି-

“ମାତଃ ଦୁର୍ଗେ! ସିଂହବାହିନି, ସର୍ବଶକ୍ତି ଦାୟିନି, ମାତଃ ଶିବପ୍ରିୟେ! ତୋର ଶକ୍ତ୍ୟଂଶଜାତ ଆମ୍ଭେମାନେ ଭାରତବର୍ଷର ଯୁବକଗଣ ତୋର ମନ୍ଦିରରେ ଆସୀନ। ପ୍ରାର୍ଥନା କରୁଛୁ- ଶୁଣ ମାତଃ! ଏହି ଭାରତବର୍ଷରେ ଆବିର୍ଭୂତ ହୁଅ, ପ୍ରକାଶ ହୁଅ!

ମାତଃ ଦୁର୍ଗେ! ଯୁଗେଯୁଗେ ମାନବ ଶରୀରରେ ଅବତୀର୍ଣ୍ଣ ହୋଇ ଜନ୍ମେଜନ୍ମେ ତୋର ହିଁ କାର୍ଯ୍ୟ କରି ତୋ ଆନନ୍ଦଧାମକୁ ଆମେ ଫେରିଯାଉ। ଏଥର ବି ଜନ୍ମହୋଇ ତୋରି କାର୍ଯ୍ୟରେ ହିଁ ଆମ୍ଭେମାନେ  ବ୍ରତୀ। ଶୁଣ ମାତଃ! ଏହି ଭାରତବର୍ଷରେ ଆବିର୍ଭୂତ ହୁଅ, ସହାୟ ହୁଅ!

ମାତଃ ଦୁର୍ଗେ! ସିଂହବାହିନି, ତ୍ରିଶୂଳଧାରିଣି! ବର୍ମ-ଆବୃତ-ସୁନ୍ଦର ଶରୀରରେ, ମାତଃ ଜୟଦାୟିନି! ତୋ ପ୍ରତୀକ୍ଷାରେ ଭାରତ ରହିଅଛି, ତୋର ସେହି ମଙ୍ଗଳମୂର୍ତ୍ତି ଦେଖିବାକୁ ଉତ୍ସୁକ। ଶୁଣ ମାତଃ! ଏହି ଭାରତବର୍ଷରେ ଆବିର୍ଭୂତ ହୁଅ, ପ୍ରକାଶ ହୁଅ!

ସମ୍ବନ୍ଧିତ ଖବର