ହିନ୍ଦୁବାଦରେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ତ୍ରିମୂର୍ତ୍ତି। ସେମାନେ ଯଥାକ୍ରମେ ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଏବଂ ସଂହାରକର୍ତ୍ତା ଭାବେ ବିଦିତ। ପାଳନକର୍ତ୍ତା ଭାବେ ବିଷ୍ଣୁ ହିଁ ବିଶ୍ୱ ବ୍ରହ୍ମାଣ୍ଡକୁ ବିଧି ଅନୁସାରେ ପରିଚାଳନା କରନ୍ତି। ସହନଶୀଳ, ନମ୍ର ଏବଂ କରୁଣାମୟ ସ୍ୱଭାବ ନିମନ୍ତେ ସେ ସର୍ବତ୍ର ପୂଜିତ।
ହିନ୍ଦୁ ପୁରାଣ ଶାସ୍ତ୍ରରେ ବିଷ୍ଣୁଙ୍କର ଚେହେରା ନୀଳବର୍ଣ୍ଣ ବୋଲି ଉଲ୍ଲେଖ ରହିଛି। ନୀଳ ଆକାଶ ପରି ବିଷ୍ଣୁ ନିରାକାର ଏବଂ ଅସୀମ ହୋଇଥିବା କଥା ତାଙ୍କ ଚେହେରାର ରଙ୍ଗ ସୂଚାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଷ୍ଣୁଙ୍କର ଚାରି ହାତ। ସାମନା ଦୁଇ ହାତ ବସ୍ତୁବାଦ ଦୁନିଆରେ ତାଙ୍କର ଉପସ୍ଥିତିକୁ ସୂଚାଉଥିବା ବେଳେ ପଛଭାଗରେ ଥିବା ଅନ୍ୟ ଦୁଇ ହାତ ଅଧ୍ୟାତ୍ମିକ ଜଗତ୍ରେ ତାଙ୍କର ଉପସ୍ଥିତିକୁ ସୂଚାଉଛି। ତାଙ୍କର ପ୍ରତି ହାତରେ ରହିଛି ଗୋଟିଏ ଗୋଟିଏ ପଦାର୍ଥ। ସେ ଧରିଥିବା ପଦ୍ମଟି ପବିତ୍ରତା ଓ ସୌନ୍ଦର୍ଯ୍ୟର ପ୍ରତୀକ ଅଟେ। ଶଙ୍ଖ ଓଁ ଶବ୍ଦର ପ୍ରତିନିଧି ଏବଂ ଆଦି ସୃଷ୍ଟିର କମ୍ପନ। ଗଦା ସାମର୍ଥ୍ୟ ଏବଂ ଅଧର୍ମ ବିନାଶର ଚିହ୍ନ। ଚକ୍ର ମନ, ଜ୍ଞାନ ଓ ଆତ୍ମ ନିମଜ୍ଜନର ପ୍ରତୀକ ଅଟେ।
ସାଧାରଣତଃ ବିଶାଳ ସମୁଦ୍ର ମଧ୍ୟରେ ସହସ୍ର ଫଣାଧାରୀ ଶେଷନାଗଙ୍କ ଉପରେ ଶୟନ ମୁଦ୍ରାରେ ବିଷ୍ଣୁଙ୍କ ମୂର୍ତ୍ତି ଦେଖିବାକୁ ମିଳେ। ଶେଷନାଗଙ୍କ ସହସ୍ରଫଣା ମନୋକାମନାର ପ୍ରତୀକ। ବିଷ୍ଣୁ ତହିଁପରେ ଶୟନ କରିଥିବାରୁ ସେ ମନଦ୍ୱାରା ପରିଚାଳିତ ନ ହୋଇ ମନକୁ ନିୟନ୍ତ୍ରଣ କରନ୍ତି।
ବିଷ୍ଣୁଙ୍କ ସହଚରୀ ବା ପତ୍ନୀ ହେଉଛନ୍ତି ସୌନ୍ଦର୍ଯ୍ୟ ଏବଂ ସମ୍ପଦର ଦେବୀ ଲକ୍ଷ୍ମୀ। ବିଷ୍ଣୁଙ୍କର ବାହନ ହେଉଛନ୍ତି ଗରୁଡ଼ ନାମକ ଏକ ପକ୍ଷୀ। ସୃଷ୍ଟିପାଳନ କରିବାକୁ ବିଷ୍ଣୁ ଅନ୍ୟୂନ ଦଶ ଥର ଧରାରେ ଅବତାର ଗ୍ରହଣ କରନ୍ତି ବୋଲି ପୁରାଣ ଶାସ୍ତ୍ରରେ ଉଲ୍ଲେଖ ରହିଛି।