କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଏସିଆ କପ୍‌ ଆରମ୍ଭ, ଆସନ୍ତା ୧୯ ତାରିଖରେ ପାକିସ୍ତାନକୁ ଭେଟିବ ଭାରତ

ନୂଆଦିଲ୍ଲୀ: ଶନିବାରଠାରୁ ଏସିଆର ସବୁଠାରୁ ବଡ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଏସିଆ କପ୍‌ ଆରମ୍ଭ ହେଉଛି। ଏହି ଟାଇଟଲ୍‌ ପାଇଁ ୬ଟି ଦଳ ଲଢ଼ିବେ। ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ ଭଳି ଦଳ ସହ ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିଥିବା ହଂକଂକୁ ନେଇ ଆଜିଠାରୁ ଆରମ୍ଭ ହେଉଛି ଏସିଆ କପ୍‌ ମହାସମର। ଆଜି ଉଦଘାଟନୀ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ ବାଂଲାଦେଶ କିନ୍ତୁ ସେପ୍ଟେଟର ୧୯ ତାରିଖ ବୁଧବାର ଦିନ ଖେଳାଯିବ ସବୁଠାରୁ ବଡ ମ୍ୟାଚ୍‌ ।

ସେପ୍ଟେଟର ୧୯ ତାରିଖକୁ ରହିଛି ସମସ୍ତଙ୍କ ଅପେକ୍ଷା । କାରଣ ଏହି ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ ଦଳ ଭାରତ ଓ ପାକିସ୍ତାନ ଏବଂ ଦର୍ଶକ ଦେଖିବାକୁ ପାଇବେ ଏକ ହାଇଭୋଲେ୍‌ଟଜ୍‌ ମୁକାବିଲା । ତେବେ ସବୁଠାରୁ ବଡ କଥା ହେଉଛି ଭାରତୀୟ ଟିମ୍‌ ନିଜ ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ବିନା ଏହି ଟୁର୍ଣ୍ଣାମେଣ୍ଟକୁ ଓହ୍ଲାଉଛି। କୋହଲିଙ୍କ ବଦଳରେ ଅଧିନାୟକତ୍ୱ ପଦ ରୋହିତ ଶର୍ମାଙ୍କୁ ମିଳିଛି । ତେବେ ପାକିସ୍ତାନ ପୂର୍ବରୁ ମଙ୍ଗଳବାର ଦିନ ଭାରତ ହଂକଂକୁ ଭେଟିବ ।

ଗ୍ରୁପ୍‌-ଏ ରେ ଭାରତ, ପାକିସ୍ତାନ ଓ ହଂକଂ ରହିଥିବା ବେଳେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଗ୍ରୁପ୍‌-ବିରେ ସ୍ଥାନ ପାଇଛନ୍ତି । ପ୍ରତ୍ୟେକ ଦଳ ନିଜ ନିଜ ଗ୍ରୁପରେ ପରସ୍ପର ସହ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବେ । ପ୍ରତ୍ୟେକ ଗ୍ରୁପରୁ ଦୁଇ ଶ୍ରେଷ୍ଠ ଦଳ ସୁପର-୪ରେ ପହଁଚିବେ । ଏଥିରୁ ଶ୍ରେଷ୍ଠ ଦୁଇଟି ଦଳ ଫାଇନାଲରେ ମୁହାଁମୁହିଁ ହେବେ ।

ସମ୍ବନ୍ଧିତ ଖବର