ଚାନୁ ଚମକରୁ ସ୍ୱର୍ଣ୍ଣ ଅଭିଯାନ:ମଣିପୁର ମଣି:୬ କୀର୍ତିମାନ ସହିତ ଜିତିଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ

ଗୁରୁରାଜାଙ୍କୁ ରୌପ୍ୟ: ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ:ପରାଜୟରୁ ମହିଳା ହକି ଅଭିଯାନ

ଗୋଲ୍‌ଡକୋଷ୍ଟ୍‍: ଭାରୋତ୍ତୋଳନରୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତି ଭାରତ ଗୋଲ୍‌ଡକୋଷ୍ଟ୍‍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଭିଯାନ ଆରମ୍ଭ କରିଛି। ମହିଳା ଭାରୋତ୍ତୋଳିକା ମୀରାବାଇ ଚାନୁ ସ୍ୱର୍ଣ୍ଣ ଜିତିବାର କିଛି ଘଣ୍ଟା ପୂର୍ବରୁ ଗୁରୁରାଜା ପୂଜାରୀ ରୌପ୍ୟ ପଦକ ଜିତିଥିଲେ। ଫଳରେ ଆଶା ମୁତାବକ ଭାରତୀୟ ଦଳ ଏହି ଖେଳରେ ପ୍ରଦର୍ଶନ ଦେଖାଇଛି।
ବୁଧବାର କରାରା ଷ୍ଟାଡିୟମ୍‌ରେ ରାତିରେ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ପରେ ଗୁୁରୁବାରଠାରୁ ବିଭିନ୍ନ ଖେଳର ପ୍ରତିଯୋଗିତା ଅରମ୍ଭ ହୋଇଯାଇଥିଲା। ଭାରୋତ୍ତୋଳନରୁ ହିଁ ଭାରତର ପ୍ରଥମ ପଦକ ମିଳିବ ବୋଲି ଆଶା କରାଯାଇଥିଲା। ପୁରୁଷ ୫୬ କିଲୋଗ୍ରାମ ଓଜନ୍‌ ବର୍ଗରେ ଗୁରୁରାଜା ପୂଜାରୀ ପ୍ରଥମେ ରୌପ୍ୟ ପଦକ ଜିତିବାର ଖବର ଆସିଥିଲା। ସେ ସ୍ନାଚ୍‌ରେ ୧୧୧ କିଲୋଗ୍ରାମ ଉତ୍ତୋଳନ କରି ନିଜର ଶ୍ରେଷ୍ଠ ସଫଳତା ଅର୍ଜନ କରିଥିଲେ। କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୩୮ କିଲୋଗ୍ରାମ ଉଠାଇବା ପରେ ମୋଟ ଉପରେ ମଧ୍ୟ ଗୁରୁରାଜା ନିଜ ଖେଳ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ (୨୪୯ କିଲୋଗ୍ରାମ) କରିଥିଲେ। ମାଲେସିଆର ମହମ୍ମଦ ଈଝାର ଅହମ୍ମଦ ୨୬୧ କିଲୋଗ୍ରାମ ଉଠାଇ ସ୍ୱର୍ଣ୍ଣ ଏବଂ ଶ୍ରୀଲଙ୍କାର ଚତୁରଙ୍ଗା ଲକମଲ୍‌ ୨୪୮ କିଲୋଗ୍ରାମ ସହିତ କାଂସ୍ୟ ପଦକ ହାସଲ କରିଥିଲେ।
ଭାରତ ପାଇଁ ସବୁଠାରୁ ବଡ଼ ସମ୍ବାଦ କିନ୍ତୁ ଆସିଥିଲା ସେହି ଭାରୋତ୍ତୋଳନ ଇନଡୋର୍‌ ହଲ୍‌ରୁ। ୨୦୧୪ ମସିହାର ଗ୍ଲସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ବିଜୟିନୀ ସୈଖମ ମୀରାବାଇ ଚାନୁ ମହିଳା ବିଭାଗ ୪୮ କିଲୋଗ୍ରାମରେ କେବଳ ସ୍ୱର୍ଣ୍ଣ ପଦକ ଜିତି ନଥିଲେ।, ଅଧା ଡ଼ଜନ କୀର୍ତିମାନକୁ ପଛରେ ପକାଇ ଦେଇଥିଲେ। ସ୍ନାଚରେ ବ୍ୟକ୍ତିଗତ ଶ୍ରେଷ୍ଠ ୮୬ କିଲୋଗ୍ରାମ ଉଠାଇବା ପରେ ସେ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୧୦ କିଲୋଗ୍ରାମ ଉତ୍ତୋଳନ କରି ଆଉ ଖେଳ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ (୧୯୬ କିଲୋଗ୍ରାମ) କରିଥିଲେ। ପୂର୍ବରୁ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ଥିଲା ୧୯୪ କିଲୋଗ୍ରାମ। ସ୍ନାଚରେ ମଧ୍ୟ ସେ ପ୍ରଥମେ ୮୧ କିଲୋଗ୍ରାମ ଉତ୍ତୋଳନ କରି କୀର୍ତିମାନ କରିବା ପରେ ଆଉ ଏକ ପ୍ରୟାସରେ ଏହାକୁ ୮୪ କିଲୋଗ୍ରାମକୁ ବଢ଼ାଇ ଦେଇଥିଲେ। କ୍ଲିନ୍‌ ଆଣ୍ଡ ଜର୍କରେ ସେ ୧୦୩, ୧୦୭ ପରେ ୧୧୦ ପର୍ଯ୍ୟନ୍ତ ବଢ଼ିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା କୀର୍ତିମାନଧାରି ୨୩ ବର୍ଷୀୟା ଗତବର୍ଷ ବିଶ୍ୱ ପ୍ରତିଯୋଗିତା ସ୍ୱର୍ଣ୍ଣ ମଧ୍ୟ ଜିତିଥିଲେ। ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନାଇଜେରିଆରର ଅଗଷ୍ଟିନା ନ୍ଵାକୋଲାଙ୍କ ଦ୍ୱାରା ପ୍ରତିଷ୍ଠିତ କୀର୍ତିମାନ (୧୭୫ କିଲୋଗ୍ରାମ)କୁ ଚାନୁ ବହୁ ପଛରେ ପକାଇ ଦେଇଥିଲେ। ମରିସସ୍‌ର ମାରି ରାନାଇଭୋସୋଆଙ୍‌ ୧୭୦ କିଲୋଗ୍ରାମ ସହ (ସ୍ନାଚ୍‌ ୭୬, କ୍ଲିନ୍‌ ଆଣ୍ଡ କର୍ଜ ୯୪ କିଲୋଗ୍ରାମ) ରୌପ୍ୟ ଏବଂ ଶ୍ରୀଲଙ୍କାର ଦିନୁଶା ଗୋମ୍‌ସ ୧୫୫ କିଲୋଗ୍ରାମ (ସ୍ନାଚ୍‌ରେ ୭୦ ଏବଂ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୮୫ କିଲୋଗ୍ରାମ) ଉତ୍ତୋଳନ କରିଥିଲେ।
ସନ୍ତରଣ: ବିର୍ଦ୍ଧଓ୍ଵାଲ୍‌ ବଞ୍ଚିତ
ପ୍ରଥମ ଦିବସରେ ସନ୍ତରଣରେ ଭାରତକୁ ନିରାଶ ହେବାକୁ ପଡ଼ିଛି। ପଦକ ଆଶାୟୀ ବିର୍ଦ୍ଧଓ୍ଵାଲ ଖାଡେ ଫାଇନାଲ୍‌କୁ ଯୋଗ୍ୟତା ହାସଲ କରିପାରିନାହାନ୍ତି। ଚମତ୍କାର ପ୍ରଦର୍ଶନ କରି ବିର୍ଦ୍ଧଓ୍ଵାଲ୍‌ ପୁରୁଷ ୫୦ ମିଟର ବଟ୍ଟରଫ୍ଲାଏରେ ୨୪.୫୨ ସେକେଣ୍ଡ୍‌ ସମୟ ନେଇ ସେମିଫାଇନାଲ୍‌ ପ୍ରବେଶ କରିଥିଲେ। ହେଲେ ଅପରାହ୍ନରେ ସେମିଫାଇନାଲ୍‌ ମୁକାବିଲାରେ ବିର୍ଦ୍ଧଓ୍ଵାଲ୍‌ ୨୪.୫୦ ସେକେଣ୍ଡ୍‌ ସମୟରେ ପହଁରା ଶେଷ କରିଥିଲେ ମଧ୍ୟ ଅଷ୍ଟମ ସ୍ଥାନରେ ସନ୍ତୁଷ୍ଟ ରହି ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲେ।

୧୨ ବର୍ଷର ପଦକ ମରୁଡ଼ିର ଅନ୍ତ ଘଟାଇବା ଲକ୍ଷ୍ୟ ରଖିଥିବା ଭାରତୀୟ ମହିଳା ହକି ଦଳ ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ରାଣୀଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଯାଇଥିବା ଭାରତୀୟ ଦଳ ଗୁରୁବାର ପ୍ରଥମ ଦିବସରେ ପୁଲ୍‌-ଏରେ ନିଜର ପ୍ରଥମ ମ୍ୟାଚ୍‌କୁ େଓ୍ଵଲ୍‌ସ ନିକଟରୁ ୨-୩ ଗୋଲ୍‌ରେ ହାରିଯାଇଛି। ଦୁଇ ଗୋଲ୍‌ ପଛୁଆ ରହିବା ପରେ ଅଧିନାୟିକା ରାଣୀ ଭାରତକୁ ଚମତ୍କାର ପ୍ରତ୍ୟାବର୍ତନ ଦେଇଥିଲେ ମଧ୍ୟ ବିଳମ୍ବିତ ଗୋଲ୍‌ ବଳରେ େଓ୍ଵଲ୍‌ସ ମ୍ୟାଚ୍‌ ଜିତି ନେଇଥିଲା। ମ୍ୟାଚ୍‌ର ପ୍ରଥମ ୨୬ ମିନିଟ୍‌ ମଧ୍ୟରେ େଓ୍ଵଲ୍‌ସ ଦୁଇଟି ଗୋଲ୍‌ କରି ଫାଇଦାରେ ରହିଥିଲା। ସପ୍ତମ ମିନିଟ୍‌ରେ ଲିସା ଡାଲେ ଏବଂ ୨୬ ମିନିଟ୍‌ରେ ସିଆନ୍‌ ଫ୍ରେଞ୍ଚ୍‌ ଗୋଟିଏ ଲେଖାଏଁ ଗୋଲ୍‌ କରି େଓ୍ଵଲ୍‌ସକୁ ୨-୦ର ଅଗ୍ରଣୀ ଦେଇଥିଲେ। ତେବେ ୩୪ ମିନିଟ୍‌ରେ ରାଣୀ ଏବଂ ୪୧ ମିନିଟ୍‌ରେ ନିକ୍କି ପ୍ରଧାନଙ୍କ ଗୋଟିଏ ଲେଖାଏଁ ଗୋଲ୍‌ ଭାରତ ପାଇଁ ସ୍ଥିତି ସମାନ କରିଦେଇଥିଲା। ଫଳରେ ୫୭ ମିନିଟ୍‌ ପର୍ଯ୍ୟନ୍ତ ୨-୨ ସ୍ଥିତି ବଳବତ୍ତର ରହିଥିଲା। ମାତ୍ର ୫୭ ମିନିଟ୍‌ରେ ହିଁ ନତାସା ମାର୍କେ ଜୋନ୍‌ସଙ୍କ ଗୋଲ୍‌ ହିଁ େଓ୍ଵଲ୍‌ସ ବିଜୟ ପାଇଁ ଯଥେଷ୍ଟ ଥିଲା। ଏଥି ସହିତ ବିଶ୍ୱ ମାନ୍ୟତାର ଦଶମ ଦଳ ଭାରତ ବିପକ୍ଷରେ େଓ୍ଵଲ୍‌ସ ଗୁରୁତ୍ୱପୂର୍ଣ୍ଣ ବିଜୟ ସହ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଭିଯାନ ଆରମ୍ଭ କଲା। ଭାରତ ତା’ର ଦ୍ୱିତୀୟ ମ୍ୟାଚ୍‌ ଶୁକ୍ରବାର ମାଲେସିଆ ସହ ଖେଳିବ।

ଗୋଲ୍‌ଡକୋଷ୍ଟ୍‍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଧାଡ଼ଜନ କୀର୍ତିମାନ ସହିତ ସ୍ୱର୍ଣ୍ଣ ପଦକ ଜିତିଥିବା ସୈଖମ ମୀରାବାଇ ଚାନୁ ମଣିପୁର ମଣି ଭାବେ ଏବେ ପରିଚିତ ହେବେ। ୨୦୦୭ ମସିହାରେ ଭାରୋତ୍ତୋଳନକୁ ଆସିଥିବା ଚାନୁ ଭାରତୀୟ ରେଳବାଇରେ ଟିକେଟ୍‌ ତଦାରଖ ଭାବେ କାମ କରୁଛନ୍ତି। ୨୩ ବର୍ଷୀୟା ଚାନୁ ଗତବର୍ଷ ବିଶ୍ୱ ପ୍ରତିଗୋଗିତା ଜିତିବା ପରେ ୨୨ ବର୍ଷ ପରେ କର୍ଣ୍ଣମ ମାଲେଶ୍ୱରୀଙ୍କ ପରେ ଏହି ଗୌରବ ଆଣିଥିଲେ। କୁଞ୍ଜରାଣୀ ଦେବୀଙ୍କ ଦ୍ୱାରା ପ୍ରଶିକ୍ଷିତ ଚାନୁ ୨୦୧୪ ମସିହାରେ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାଥୀ ଖେଳାଳି ସଂଜିତା ଚାନୁଙ୍କ ପଛରେ ରହି ରୌପ୍ୟ ପଦକ ଜିତିଥିବାବେଳେ ଏବେ ନିଜର ସ୍ୱର୍ଣ୍ଣ ଅଭିଳାଷକୁ ପୂର୍ଣ୍ଣ କରିଛନ୍ତି। ୨୦୧୬ ଦକ୍ଷିଣ ଏସୀୟ କ୍ରୀଡ଼ା ଏବଂ ୨୦୧୭ ରାଜ୍ୟଗୋଷ୍ଠୀ ପ୍ରତିଯୋଗିତାରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଗୋଲ୍‌ଡ କୋଷ୍ଟରେ ୬ ପ୍ରୟାସରେ ୬ କୀର୍ତିମାନ ପ୍ରତିଷ୍ଠା କରିବା ପରେ ଚାନୁ ଏବେ ଦେଶର ପ୍ରଥମ ଅଲିମ୍ପିକ୍‌ ଭାରୋତ୍ତୋଳନକାରୀ ସ୍ୱର୍ଣ୍ଣ ପଦକ ବିଜେତା ହେବାର ଦାବିଦାର ହୋଇଛନ୍ତି।

ସ୍ୱର୍ଣ୍ଣ ବିଜୟିନୀ ମୀରାବାଇ ଚାନୁଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ସ୍ୱର୍ଣ୍ଣ ଏବଂ କୀର୍ତିମାନ ପ୍ରତିଷ୍ଠା ଦ୍ୱାରା ଭାରତବାସୀ ଉଲ୍ଲସିତ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିନନ୍ଦନୀୟ ଟ୍ଵିଟ୍‌ରେ ଉଲ୍ଲେଖ କରିଛନ୍ତି। ପ୍ରତିଟି ପ୍ରୟାସ କୀର୍ତିମାନ କରିଦେଲା, ନାରୀ ଶକ୍ତି ଏବେ ଶ୍ରେଷ୍ଠତ୍ୱରେ ବୋଲି ଉଲ୍ଲେଖ କରିଛନ୍ତି ଭାରତୀୟ କ୍ରିକେଟର୍‌ ବୀରେନ୍ଦ୍ର ସେହବାଗ। ତୁମ ସଫଳତା କୋଟି କୋଟି ଭାରତୀୟଙ୍କ ମୁହଁରେ ଖୁସି ଖେଳାଇ ଦେଇଛି ବୋଲି ଲେଖିଛନ୍ତି ସଚିନ ତେନ୍ଦୁଲକର। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ବିଜୟ ଗୋଏଲ ଏବଂ ରେଳ ମନ୍ତ୍ରଣାଳୟ ମଧ୍ୟ ଚାନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର