ଚୀନ୍‌ର ଚମତ୍କାର ପଦାର୍ପଣ, ଇଂଲଣ୍ଡ୍‌ଠୁ ପଏଣ୍ଟ୍‌ ଛଡ଼ାଇ ନେଲା

ଭୁବନେଶ୍ବର: ଏସୀୟ ଆକାଶର ଉଦୀୟମାନ ହକି ଶକ୍ତି ଚୀନ୍‌ ଓଡ଼ିଶା ବିଶ୍ବକପ୍‌ରେ ଚମତ୍କାର ପଦାର୍ପଣ କରିଛି। ଅଲିମ୍ପିକ୍ସର ମହାନ ଶକ୍ତି ହୋଇଥିଲେ ବି ଷ୍ଟିକ୍ କଳାର ଖେଳ ହକିରେ ଏହି ଦେଶ ଦୁର୍ବଳ ପରିଗଣିତ ହେଉଥିଲା। ଶୁଭ ଶୁକ୍ରବାର କିନ୍ତୁ ଚୀନ୍‌ ବୃହତ୍ତମ ଜନସଂଖ୍ୟାର‌ ଦେଶ ଇଂଲଣ୍ଡ୍‌କୁ ପାଣି ପିଆଇ ପଏଣ୍ଟ୍‌ ଛଡ଼ାଇ ନେଇଛି। ପୁଲ୍ ‘ବି’ର ଏହି ଦ୍ବିତୀୟ ମ୍ୟାଚ୍ ରୋମାଞ୍ଚକ ଭାବେ ୨-୨ ଗୋଲ୍‌ରେ ଅମୀମାଂସିତ ଭାବେ ଶେଷ ହୋଇଛି। ୧ ପଏଣ୍ଟ୍‌ ସହିତ ବିଶ୍ବକପ୍‌ରେ ପ୍ରଥମ ପଦାର୍ପଣ କରି ଚୀନ୍‌ ମଧ୍ୟ ଭୁବନେଶ୍ବରରୁ ଐତିହାସିକ ମୁହୂର୍ତ ସାଉଁଟିଛି। ବିଶ୍ବ ମାନ୍ୟତାର ୧୭ ନମ୍ବର ସ୍ଥାନରେ ଥାଇ ୭ ନମ୍ବର ଇଂଲଣ୍ଡକୁ ରୋକି ଚୀନ୍‌ ମଧ୍ୟ ଏକ ବିରଳ କ୍ଲବ୍‌ରେ ସାମିଲ ହୋଇଛି।

ବିଶ୍ବକପ୍‌କୁ ଚୀନ୍‌ ଯେ କେବଳ ପଏଣ୍ଟ୍‌ ଖାତାରୁ ଅଭିଯାନ ଆରମ୍ଭ କରିଛି ତା ନୁହେଁ ଅଦ୍ୟାବଧି ଏଠାରେ ହୋଇଥିବା ୨୫ଟିରୁ ଶ୍ରେଷ୍ଠ ଗୋଲ୍‌ର ଦାବିଦାର ବନିଯାଇଛି ଦେଶର ପ୍ରଥମ ଗୋଲ୍‌। ମ୍ୟାଚ୍‌ର ପଞ୍ଚମ ମିନିଟ୍‌ରେ ଫରୱାର୍ଡ ଜିଓପିଙ୍ଗ ଜୁଓଙ୍କ ଡ୍ରିବଲ୍‌ ଖେଳ ପୁରୁଣା ଦିନର ହକିକୁ ମନେ ପକାଇ ଦେଇଥିଲା। ଏକା ସେ ଇଂଲଣ୍ଡର ଦୁଇ ଜଣ ଦକ୍ଷିଣପାର୍ଶ୍ବ ଡିଫେଣ୍ଡରଙ୍କୁ ପରାସ୍ତ କରିବା ପରେ ଗୋଲ୍‌ରକ୍ଷକ ଜର୍ଜ ପିନରଙ୍କୁ ବାଉଳା କରି ଗୋଲ୍‌ ଦେଇଥିଲେ। ଏହି ଗୋଲ୍‌କୁ ଯେଉଁମାନେ ଦେଖିନଥିବେ ନିଶ୍ଚିତ ଅବସୋସରେ ରହିଯିବେ। ପ୍ରଥମ କ୍ବାର୍ଟର ଶେଷ ହେବାକୁ ଗୋଯିଏ ମିନିଟ୍‌ ଥିବା ବେଳେ ଚୀନ୍‌ର ଏହି ଖୁସୀରେ ପାଣି ଭରି ଦେଇଥିଲେ ଇଂଲଣ୍ଡର ଅଭିଜ୍ଞ ଡିଫେଣ୍ଡର ମାର୍କ ଗ୍ଲେହର୍ନ। ୧୫୦ ମ୍ୟାଚ୍ ଅଭିଜ୍ଞତା ରଖିଥିବା ଏହି ୩୩ ବର୍ଷୀୟ ଖେଳାଳି ୧୪ ନମ୍ବର ଜର୍ସିରେ ଥାଇ ୧୪ତମ ମିନିଟରେ ଚମତ୍କାର ଗୋଲ୍‌ ଦେଇଥିଲେ। ପେନାଲଟି କର୍ନର ଜରିଆରେ ଖେଳିଥିବା ଏହି ହିଟ୍ ଚୀନ୍‌ ଗୋଲ୍‌ରକ୍ଷକ କାଇୟୁ ୱାଙ୍ଗଙ୍କ ଲେଗ୍‌ଗାର୍ଡ ତଥା କିକର୍‌ରେ ବାଜି ବକ୍ସ ଭିତରକୁ ଚାଲିଯାଇଥିଲା। ପ୍ରଥମ କ୍ବାର୍ଟର ଏଭଳି ଭାବେ ୧-୧ରେ ଶେଷ‌ ‌‌ହୋଇଥିଲା। ଗୋଲ୍‌ ବରଣ ସତ୍ତ୍ବେ ଚୀନ୍‌ର ଉତ୍ସାହ ଏବଂ ଆତ୍ମବିଶ୍ବାସ ତଳକୁ ଖସି ନ ଥିଲା। ପରବର୍ତୀ ଦୁଇ କ୍ବାର୍ଟର ମଧ୍ୟ ସୁନ୍ଦର ଷ୍ଟିକ୍ ଚାଳନା ଏବଂ ଡ୍ରିବଲ୍ ହକି ଦେଖିଥିଲେ ପ୍ରଶଂସକ। କିନ୍ତୁ ଉଭୟ ଦଳର ଡିଫେଣ୍ଡର ପ୍ରତିପକ୍ଷ ପ୍ରୟାସକୁ ନିଷ୍ଫଳ କରି ଦେବାରୁ ଏହି ସ୍କୋରଲାଇନ୍ (୧-୧) କାଏମ ରହିଥିଲା। ଶେଷ କ୍ବାର୍ଟର କିନ୍ତୁ ସବୁଠୁ ରୋମାଞ୍ଚ ଓ ଉତ୍କଣ୍ଠାରେ ଭରି ରହିଥିଲା। ୪୮ ମିନିଟ୍‌ରେ ଇଂଲଣ୍ଡର ଲିଆମ ଆନସେଲଙ୍କ ଫିଲଡ୍ ଗୋଲ୍‌ ଶୁକ୍ରବାର ଅନ୍ୟତମ ଆକର୍ଷଣ ଥିଲା। ଚୀନ୍‌ ଡିଫେଣ୍ଡର ୟାଙ୍ଗ ଆଓଙ୍କଠାରୁ ସର୍କଲ ଭିତରେ ବଲ୍ ଡ୍ରାଗ୍ କରିଆଣି ତୁରନ୍ତ ରିଭର୍ସ ହିଟ୍‌ରେ ଆନସେଲ ଦେଇଥିଲେ ଏହି ସୁନ୍ଦର ଗୋଲ୍‌। ଇଂଲଣ୍ଡ ପ୍ରଥମ ଥର ଆଗୁଆ ହୋଇଥିଲା। ଏହି ଅଗ୍ରଣୀ କିନ୍ତୁ ମାତ୍ର ୧୦ ମିନିଟ୍ ରହିଥିଲା। ଇଂଲଣ୍ଡର ବିଜୟ ଆଶା ୫୯ତମ ମିନିଟ୍‌ରେ ମଉଳିଯାଇଥିଲା। ଚୀନ୍‌ ନିଜର ଚତୁର୍ଥ ପେନାଲଟି କର୍ନରକୁ ଗୋଲ‌୍‌ରେ ପରିଣତ କରି ସ୍ମରଣୀୟ ସଫଳତା ପାଇଥିଲା। ୨୮ ବର୍ଷୀୟ ଡ୍ରାଗ୍ ଫ୍ଲିକ୍ ବି‌ଶେଷଜ୍ଞ ଦୁ ତାଲାକେ ପ୍ରତିପକ୍ଷ ଗୋଲ୍‌ରକ୍ଷକ ଏବଂ ଡିଫେଣ୍ଡରଙ୍କୁ ତୀର ଭଳି ଭେଦି ଚୀନ୍‌କୁ ୧ ପଏଣ୍ଟରୁ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବାର ଗୌରବ ଦେଇଥିଲେ। ଏହି ମ୍ୟାଚ୍ ପ୍ରାରମ୍ଭରେ ଅଲିମ୍ପିଆନ ଅନୁରାଧା ବିଶ୍ବାଳ ଅତିଥି ଥିଲେ। ଶେଷରେ ଓଡ଼ିଶା ବିଧାନସଭା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅତିଥି ଭାବେ ‌ଯୋଗଦେଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଦୁ ତାଲାକେଙ୍କୁ ପୁରସ୍କୃତ କରିଥିଲେ। ଚୀନ୍‌ ନିଜର ପରବର୍ତୀ ମ୍ୟାଚ୍ ଡିସେମ୍ବର ୭ (ଶୁକ୍ରବାର)ରେ ଅଷ୍ଟ୍ରେଲିଆ ସହିତ ଖେଳିବ। ସେହିଦିନ ପୁଲ୍ ‘ବି’ର ଅନ୍ୟ ମ୍ୟାଚ୍ ଇଂଲଣ୍ଡ-ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବ।

ବିରଳ କ୍ଲବ୍‌ରେ ଚୀନ
ୟୁରୋପୀୟ ଶକ୍ତି ଇଂଲଣ୍ଡକୁ ୨-୨ ଗୋଲ୍‌ରେ ରୋକି ଚୀନ୍‌ ବିଶ୍ବକପ୍ ପଦାର୍ପଣ କରିବା ସହିତ ଚଳିତ ହକି ବିଶ୍ବକପ୍‌ର ପ୍ରଥମ ବିପର୍ଯ୍ୟୟ ଘଟାଇଛି। ଏଥି ସହିତ ଏସୀୟ ଦଳ ଚୀନ୍‌ ଛୋଟ ଦଳ ଭାବେ ବିଶ୍ବକପ୍ ପଦାର୍ପଣରେ ବିପର୍ଯ୍ୟୟ ଆଣିବାରେ ତୃତୀୟ ଦେଶ ହୋଇଛି। ୧୯୭୫ ମସିହା କୁଆଲାଲମ୍ପୁର ବିଶ୍ବକପ୍‌ରେ ଶକ୍ତିଶାଳୀ ପାକିସ୍ତାନକୁ ପୋଲାଣ୍ଡ ୨-୨ରେ ଏବଂ ୧୯୯୪ ସିଡନି ବିଶ୍ବକପ୍‌ରେ ପଦାର୍ପଣକାରୀ ଦକ୍ଷିଣ ଆଫ୍ରିକା ଅପେକ୍ଷାକୃତ ଉଚ୍ଚମାନ୍ୟତା ପ୍ରାପ୍ତ ଜର୍ମାନିକୁ ୧-୧ ‌ଗୋଲ୍‌ରେ ରୋକିଥିଲେ। ଚଳିତ ବିଶ୍ବକପ୍‌ ପୂର୍ବରୁ ଏଫଆଇଏଚ୍ ବିଶ୍ବମାନ୍ୟତାରେ ଇଂଲଣ୍ଡ ୭ ନମ୍ବର ଏବଂ ଚୀନ୍‌ ୧୭ ନମ୍ବର ଥିଲେ ମଧ୍ୟ ପ୍ରଦର୍ଶନ ସମତୁଲରେ ଶେଷ ‌ହୋଇଛି।

ସମ୍ବନ୍ଧିତ ଖବର