ଭାରତୀୟ ସ୍କ୍ବାସ୍‌ ଦଳକୁ ପ୍ରଥମ ଏସୀୟ ସ୍ବର୍ଣ୍ଣ

ଚେଓଙ୍ଗଜୁ (ଦକ୍ଷିଣ କୋରିଆ) : ଏସୀୟ ସ୍କ୍ବାସ୍‌ ଚାମ୍ପିଅନ୍‌ସିପ୍‌ରେ ଭାରତୀୟ ପୁରୁଷ ଦଳକୁ ପ୍ରଥମ ଥର ପାଇଁ ସ୍ବର୍ଣ୍ଣ ପଦକ ମିଳିଛି। ସୌରଭ ଘୋଷାଲଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଶୁକ୍ରବାର ଫାଇନାଲ୍‌ରେ କୁଏତ୍‌କୁ ୨-୦ରେ ହରାଇ ଏହି ସଫଳତା ହାସଲ କରିଥିଲା। ପ୍ରଥମ ରାଉଣ୍ଡରେ ରମିତ ଟଣ୍ଡନ୍‌ ପ୍ରତିପକ୍ଷର ଅଲି ଆରାମେଜିଙ୍କୁ ୧୧-୫, ୧୧-୭ ଓ ୧୧-୪ରେ ସିଧାସଳଖ ହରାଇ ଭାରତକୁ ଅଗ୍ରଣୀ ଦେଇଥିଲେ। ପରେ ଦ୍ବିତୀୟ ରାଉଣ୍ଡରେ ସୌରଭ ୧୧-୯, ୧୧-୨, ୧୧-୩ରେ ଅମର ଅଲ୍‌ତାମିମିଙ୍କୁ ପରାସ୍ତ କରି ଭାରତକୁ ସିଧାସଳଖ ଜିତାଇଥିଲେ। ତେଣୁ ଅଭୟ ସିଂହ ଓ ଫଲା ମହମ୍ମଦଙ୍କ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ମ୍ୟାଚ୍‌ର ଆବଶ୍ୟକତା ପଡ଼ିନଥିଲା।

ପୂର୍ବରୁ ପୁଲ୍‌ ଏ’ରେ କାତାର, ପାକିସ୍ତାନ, କୁଏତ୍‌, ଦକ୍ଷିଣ କୋରିଆ ଓ ଚାଇନିଜ୍‌ ତାଇପେଇ ବିପକ୍ଷରେ ଭାରତ ୩-୦ ଲେଖାଏଁ ସ୍କୋରରେ ବିଜୟୀ ହୋଇ ଶୀର୍ଷରେ ରହିଥିଲା। ସେମିଫାଇନାଲ୍‌ରେ ମାଲେସିଆକୁ ୨-୧ରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା। ଅନ୍ୟପକ୍ଷରେ ଭାରତୀୟ ମହିଳା ଦଳ ସେମିଫାଇନାଲ୍‌ରେ ମାଲେସିଆଠୁ ୧-୨ରେ ପରାସ୍ତ ହୋଇ କାଂସ୍ୟରେ ସନ୍ତୁଷ୍ଟ‌ ରହିଛନ୍ତି। ଲିଗ୍‌ ପର୍ଯ୍ୟାୟରେ ପୁଲ୍‌ ବି’ରେ ଭାରତୀୟ ଦଳ ଇରାନ୍‌ ଓ ସିଙ୍ଗାପୁରକୁ ୩-୦ରେ ହରାଇଥିଲା ବେଳେ ହଂକଂଠୁ ୦-୩ରେ ପରାଜିତ ହୋଇଥିଲା। ପୁଲ୍‌ର ଦ୍ବିତୀୟ ସ୍ଥାନରେ ରହି ଭାରତୀୟ ମହିଳା ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ।

ସମ୍ବନ୍ଧିତ ଖବର