ଆଇପିଏଲ୍‌: ରାଜସ୍ଥାନକୁ ୪ ୱିକେଟରେ ପରାସ୍ତ କଲା ହାଇଦ୍ରାବାଦ

ଜୟପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୬ତମ ସଂସ୍କରଣର ୫୨ତମ ମ୍ୟାଚରେ ରବିବାର ରାଜସ୍ଥାନ ରୟାଲ୍ସକୁ ୪ ୱିକେଟରେ ପରାସ୍ତ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ୍‌। ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୨୧୪ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୨୧୭ ରନ୍‌ କରି ବିଜୟ ହୋଇଛି ।

ହାଇଦ୍ରାବାଦ ପକ୍ଷରୁ ଅଭିଷେକ ଶର୍ମା ୫୫ ରନ୍‌, ରାହୁଲ ତ୍ରିପାଠୀ ୪୭ ରନ୍‌ କରିଥିବା ବେଳେ ଶେଷ‌‌ରେ ଗ୍ଲେନ୍ ଫିଲିପ୍ସ ୭ ବଲରେ ୨୫ ରନ୍‌ ଓ ଅବଦୁଲ ସମଦ ୭ ବଲରେ ୧୭ ରନ୍‌ କରି ହାଇଦ୍ରାବାଦକୁ ବିଜୟ ଦେଇଥିଲେ। ଅନ୍ୟପଟେ ରାଜସ୍ଥାନ ପକ୍ଷରୁ ଚହଲ ୪ଟି ୱିକେଟ ନେଇଥିବା ବେଳେ କୁଲଦୀପ ଯାଦବ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ୮ ଅଙ୍କ ସଂଗ୍ରହ କରି ହାଇଦ୍ରାବାଦ ୯ମ ସ୍ଥାନରେ ଥିବା ବେଳେ ରାଜସ୍ଥାନ ୧୦ ଅଙ୍କ ସହ ୪ର୍ଥ ସ୍ଥାନରେ ରହିଛି ।

ପ୍ରଥମ ପାଳିରେ ଟସ୍‌ ଜିଣି ରାଜସ୍ଥାନ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଏବଂ ଦଳ ଜୋସ୍‌ ବଟଲର ଓ ଅଧିନାୟକ ସଂଜୁ ସାମସନ୍‌ଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ୍‌ ହରାଇ ୨୧୪ ରନ୍‌ ସଂଗ୍ରହ କରିିଥିଲା। ଫଳରେ ହାଇଦ୍ରାବାଦ୍‌କୁ ୨୧୫ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ରାଜସ୍ଥାନ ପାଇଁ ଯଶସ୍ବୀ ଜୟସ୍ବାଲ ଓ ଜୋସ୍‌ ବଟଲର ପାଳି ଆରମ୍ଭ କରିଥିଲେ। ବଟଲର ଦ୍ବିତୀୟ ୱିକେଟ୍‌ରେ ସଂଜୁ ସାମସନ୍‌ଙ୍କ ସହିତ ୧୩୮ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ଭୁବନେଶ୍ବର କୁମାରଙ୍କ ବଲ୍‌ରେ ଏଲ୍‌ବିଡବ୍ଲୁ ହୋଇ ପାଭଲିଅନ ଫେରିଯିବା ପୂର୍ବରୁ ସେ ବ୍ୟକ୍ତିଗତ ଭାବେ ୯୫ ରନ୍‌ କରିଥିଲେ। ସେ ୫୯ ବଲ୍‌ ଖେଳି ୧୦ ଚୌକା ଓ ୪ ଛକା ମାରିଥିଲେ।

ଏହା ପୂର୍ବରୁ ଯଶସ୍ବୀଙ୍କ ସହିତ ବଟଲର ପ୍ରଥମ ୱିକେଟ୍‌ ପାଇଁ ୫୪ ରନ୍‌ର ଭାଗିଦାରୀ ହୋଇଥିଲେ। ଯଶସ୍ବୀ ୧୮ ବଲ୍‌ ଖେଳି ୩୫ ରନ୍‌ କରିଥିଲେ। ସେ ୫ଟି ଚୌକା ଓ ୨ଟି ଛକା ମାରିବା ପରେ ମାର୍କୋ ଜସେନ୍‌ଙ୍କ ଦ୍ବାରା ଆଉଟ୍‌ ହୋଇ ପାଭିଲିଅନ୍‌କୁ ଫେରିଥିଲେ।

ସଂଜୁ ସାମ୍‌ସନ୍‌ ୩୮ ବଲ୍‌ ଖେଳି ଅପରାଜିତ ୬୬ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ତାଙ୍କର ୪ ଚୌକା ଓ ୫ ଛକା ସାମିଲ ଥିଲା। ଅପରାଜିତ ଥିବା ସିମରନ୍‌ ହେଟମେୟରଙ୍କ ବ୍ୟାଟରୁ ୭ ରନ୍‌ ଅମଳ ହୋଇଥିଲା।

ସମ୍ବନ୍ଧିତ ଖବର