ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଟିମ୍‌ର ଦ୍ୱିତୀୟ ବୃହତ୍ତ ବିଜୟ, ୨୧-୦ରେ ଖାଜକସ୍ତାନକୁ ହରାଇଲା

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ଆରମ୍ଭ ହୋଇଥିବା ୧୮ତମ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଟିମ୍‌ ୨୧-୦ରେ ଖାଜକସ୍ତାନକୁ ପରାସ୍ତ କରିଛି। ଚଳିତ ଏସୀୟ କ୍ରୀଡ଼ାରେ ପୁଲ-ବି ଭାରତୀୟ ମହିଳା ଟିମ୍‌ର ମଙ୍ଗଳବାର ହେଉଛି କ୍ରମାଗତ ଦ୍ୱିତୀୟ ବିଜୟ। ଗେଲୋରା ବଙ୍ଗ କାର୍ଣ୍ଣୋ ହକି ପଡ଼ିଆରେ ଅନୁଷ୍ଠିତ ହୋଇଥିବା ମ୍ୟାଚ୍‌ରେ ବିଶ୍ୱର ନବମ ଟିମ୍‌ ଭାରତ ଆରମ୍ଭରୁ ହିଁ ନିଜର ଲଢୁଆ ମନୋଭାବ ରଖିଥିଲା। ଫଳରେ ଖାଜକସ୍ତାନର ଖେଳାଳିମାନେ ସଂଘର୍ଷ କରୁଥିଲେ ମଧ୍ୟ ଭାରତୀୟ ଖେଳାଳିମାନଙ୍କୁ ଅତିକ୍ରମ କରିପାରୁ ନଥିଲେ।

ଭାରତୀୟ ଖେଳାଳି ଗୁରଜିତ କୌର ୭, ୩୬, ୪୪ ଓ ୫୨ ମିନିଟରେ ଗୋଲ ଦେଇଥିଲେ। ଲାଲରେମସିଆମି ୯, ୧୯ ଓ ୩୦ ମିନିଟରେ ଗୋଲ ଦେଇଥିଲେ। ନବନୀତ କୌର ୧୧, ୧୨ ଓ ୪୯ ମିନିଟରେ ଗୋଲ ଦେଇଥିବା ବେଳେ ବନ୍ଦନା କଟାରିଆ ୨୯, ୩୭ ଓ ୫୩ ମିନିଟରେ ଗୋଲ ଦେଇଥିଲେ। ସେହିଭଳି ନଭଜ୍ୟୋତ କୌର ୧୬ ଓ ୫୪ ମିନିଟରେ ଗୋଲ ଦେଇଥିବା ବେଳେ ଲିଲିମା ମିଞ୍ଜ ୩୮ ଓ ୪୪ ମିନିଟରେ ଗୋଲ ଦେଇଥିଲେ। ନେହା ଗୋୟଲ ୧୦ ମିନିଟ, ଉଦିତା ୩୪ ମିନିଟ, ଦୀପଗ୍ରେସ ଏକା ୪୩ ମିନିଟ ଓ ମୋନିକା ୫୫ ମିନିଟରେ ଗୋଲ ଦେଇଥିଲେ।

ଭାରତୀୟ ମହିଳା ଟିମ୍‌ ତା’ର ‘ପୁଲ-ବି’ ୩ର ମ୍ୟାଚ ଅଗଷ୍ଟ ୨୫ ସନ୍ଧ୍ୟା ୬ଟା ୩୦ରେ ଦକ୍ଷିଣ କୋରିଆ ବିପକ୍ଷରେ ଖେଳିବ।

 

ସମ୍ବନ୍ଧିତ ଖବର