ୟୁଏଇରେ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଆୟୋଜନ ହେବ ଆଇପିଏଲ

ମୁମ୍ବାଇ : ଆଇସିସି ଦ୍ୱାରା ଟି-୨୦ ବିଶ୍ୱକପକୁ ସ୍ଥଗିତ ରଖାଯିବା ପରେ ଆଇପିଏଲ ପାଇଁ ପଥ ପରିଷ୍କାର ହୋଇଛି । ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆସନ୍ତା ସେପ୍ଟେମ୍ବର ୨୬ରୁ ନଭେମ୍ବର ୮ ମଧ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ୪୪ ଦିନରେ ମୋଟ ୬୦ଟି ମ୍ୟାଚ ଖେଳାଯିବ ।

ଏହି ନିଷ୍ପତ୍ତି ସଂପର୍କରେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୟୁଏଇରେ ଆଇପିଏଲ ଆୟୋଜନ କରିବାକୁ ସରକାରଙ୍କ ଅନୁମତି ମଗାଯାଇଛି । ଅନୁମତି ମିଳିବା ପରେ ଆନୁଷ୍ଠାନିକ ଘୋଷଣା କରାଯିବ ।
ଆଇପିଏଲ ସାଧାରଣତଃ ମାର୍ଚ୍ଚରୁ ଏପ୍ରିଲ ମାସରେ ହୋଇଥାଏ । କିନ୍ତୁ ଭାରତରେ କରୋନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ଆଇପିଏଲ ସ୍ଥଗିତ ରହିଛି । ଭାରତରେ ନିକଟ ଭବିଷ୍ୟତରେ କରୋନା ସ୍ଥିତି ସୁଧୁରିବା ଭଳି ଲାଗୁନାହିଁ । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ବିଦେଶରେ ଏହାକୁ ଆୟୋଜନ କରିବା ଲାଗି ନିଷ୍ପତ୍ତି ନେଇଛି ।

ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟ ଆଇପିଏଲ ଆୟୋଜନ ଲାଗି ପ୍ରସ୍ତାବ ଦେଇଥିଲେ । କିନ୍ତୁ ବିସିସିଆଇ ୟୁଏଇକୁ ବାଛିଛି । ୟୁଏଇରେ ପୂର୍ବରୁ ମଧ୍ୟ ଆଇପିଏଲ ଆୟୋଜନ ହୋଇସାରିଛି । ୨୦୧୪ରେ ଭାରତରେ ନିର୍ବାଚନ ଥିବାରୁ ଆଇପିଏଲର କେତେକ ମ୍ୟାଚ ୟୁଏଇରେ ଆୟୋଜନ କରାଯାଇଥିଲା ।

ସମ୍ବନ୍ଧିତ ଖବର