ଖୋର୍ଧା କପ୍‌ ଜିତିଲା ରାଉରକେଲା

ଭୁବନେଶ୍ୱର: ରାଉରକେଲାର ଆର୍‌ଓ୍ଵାଇସିସି ଦଳ ତୃତୀୟ ଖୋର୍ଧା କପ୍‌ କରାୟତ କରିଛି। କ୍ରିକେଟ୍‌ ଆସୋସିଏସନ୍‌ ଅଫ ଡିଷ୍ଟ୍ରିକ୍ଟ୍‌ ଖୋର୍ଧା ଆନୁକୂଲ୍ୟରେ ଆୟୋଜିତ ଏହି ରାତ୍ରୀକାଳୀନ ଟେ୍ଵଣ୍ଟି-୨୦ ପ୍ରତିଯୋଗିତାର ରବିବାର ଫାଇନାଲ୍‌ରେ ଆର୍‌ଓ୍ଵାଇସିସି (ରାଉରକେଲା ୟୁଥ୍‌ କ୍ରିକେଟ୍‌ କ୍ଲବ୍‌) ୫ ରନ୍‌ରେ କଟକର ରାଇଜିଂ ଷ୍ଟୁଡେଣ୍ଟ୍‌ସକୁ ପରାସ୍ତ କରିଥିଲା। ଓଡ଼ିଶା କ୍ରିକେଟ୍‌ ଦଳର ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ନେତୃତ୍ୱରେ ଖେଳୁଥିବା ରାଉରକେଲା ଦଳ ପ୍ରଥମେ ବ୍ୟାଟିଂ କରି ୧୫୨/୮ କରିଥିଲା। ଗୋବିନ୍ଦ ୬୪ (୪୫ ବଲ୍‌, ୫ ଚୌକା, ୨ ଛକା) ଏବଂ ଅୟସକାନ୍ତ ସାହୁ ୨୩ ରନ୍‌ କରିଥିଲେ। ରାଇଜିଂ ପକ୍ଷରୁ ସିଦ୍ଧାର୍ଥ ସିହ୍ନା ଓ ଜମେଲା ମହାପାତ୍ର ୩ ଲେଖାଏଁ ଏବଂ ଗୋବିନ୍ଦ ୧ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ରାଜେଶ ଧୁପରଙ୍କ ୬୭ (୫୮ ବଲ୍‌, ୭ ଚୌକା, ୧ ଛକା) ରନ୍‌ ସତ୍ତ୍ୱେ କଟକ ଦଳ ୭ ଓ୍ଵିକେଟ୍‌ ହରାଇ ୧୪୭ ରନ୍‌ କରିପାରିଥିଲା। ଦେବବ୍ରତ ପ୍ରଧାନ ୩ ଓ ଅୟସକାନ୍ତ ୨ ଓ୍ଵିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ଅୟସକାନ୍ତ ସାହୁଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ, ସାଗର ରାଉତ ପ୍ରତିଯୋଗିତାର ଶ୍ରେଷ୍ଠ, ରାଜେଶ ଧୂପର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଏବଂ ଜାମେଲା ମହାପାତ୍ର ଶ୍ରେଷ୍ଠ ବୋଲର ପୁରସ୍କାର ପାଇଥିଲେ। ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଶିବସୁନ୍ଦର ଦାସ, ଖୋର୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଆୟୋଜକ କ୍ଲବ୍‌ର ସମ୍ପାଦକ ବିକାଶ ପ୍ରଧାନ, ଜିତେନ୍ଦ୍ର କୁମାର ଗୁପ୍ତା ଏବଂ ପ୍ରତିଯୋଗିତାର ଅଧ୍ୟକ୍ଷ ଅଭିଷେକ ସିଂହସାମନ୍ତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର