‘ମାଉଣ୍ଟ ରେନକ୍’ ଶିଖରରେ ପହଞ୍ଚିଲେ ପର୍ବତାରୋହୀ କୁଶ ଓ ଶ୍ରୀନିବାସ
ପ୍ରମାଣ କଲେ, ‘ଇଚ୍ଛା ଶକ୍ତି ଥିଲେ, ଅର୍ଥ ପ୍ରତିବନ୍ଧକ ନୁହେଁ’
ଭୁବନେଶ୍ୱର(ମହେନ୍ଦ୍ର ସାହୁ): ଆବଶ୍ୟକତା ହିଁ ଆବିଷ୍କାରର ଜନନୀ। ଇଚ୍ଛା ଶକ୍ତି ଥିଲେ ଅର୍ଥ ପ୍ରତିବନ୍ଧକ ଏଡେଇ ଦେଇ ହେବ। ଏଥି ପାଇଁ ଦୃଢ଼ ମନୋବଳ ଦରକାର ଅଛି। ଏହାକୁ ପ୍ରମାଣ କରିଛନ୍ତି କୁଶ ଓ ଶ୍ରୀନିବାସ। ୧୫ଟି ରାଜ୍ୟରୁ ଚୟନ ହୋଇଥିବା ୫୭ ଜଣିଆ ଟିମ୍ରେ ଓଡ଼ିଶାର ଦୁଇ ଯୁବକ ଶ୍ରୀନିବାସ ନାଥ(୨୧) ଓ କୁଶ ଆର୍ଲାବ(୨୧) ସିକିମ ହିମାଳୟ ରେଞ୍ଜ ଅର୍ନ୍ତଗତ ‘ମାଉଣ୍ଟ ରେନକ୍’ (୧୬,୫୦୦ଫୁଟ)କୁ ଅକ୍ଟୋବର ୬ ସକାଳ ୯ଟା ୩୦ରେ ସଫଳତାର ସହ ଆରୋହଣ କରିଛନ୍ତି। ଏହାକୁ ଅତିକ୍ରମ କରିବା ପାଇଁ ସେମାନେ ଭୁବନେଶ୍ୱରରୁ ଗତ ସେପ୍ଟେମ୍ବର ୧୩ରେ ଯାତ୍ରାରମ୍ଭ କରିଥିଲେ। ସେମାନେ ଆର୍ଥିକ ସମସ୍ୟା ସତ୍ତ୍ୱେ ମଧ୍ୟ ସେମାନେ କୌଣସି ପ୍ରକାରରେ ଟଙ୍କା ଯୋଗାଡ଼ କରି ହିମାଳୟ ପାହାଡ଼କୁ ପହଞ୍ଚି ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବଲାଙ୍ଗୀର ସହରର ଇନ୍ଦ୍ରାନଗର ନିବାସୀ ଶ୍ରୀନିବାସ ହେଉଛନ୍ତି ପ୍ରହଲ୍ଲାଦ ନାଥଙ୍କ ପୁଅ। ପିତା ଜଣେ ଦିନ ମଜୁରିଆ ହୋଇଥିବାରୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତଥାପି ସେ ନିଜ ଲକ୍ଷ୍ୟରେ ପହଞ୍ଚିବାକୁ ଆଶା ରଖିଛନ୍ତି। ରାଜେନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ ଶ୍ରେଣୀରୁ ଉତ୍ତିର୍ଣ୍ଣ ହେବା ପରେ ଏକ ଘରୋଇ କୋଚିଂ ସେଣ୍ଟରରେ ଅନୀୟମିତ ଶିକ୍ଷକତା କରି କିଛି ଟଙ୍କା ରୋଜଗାର କରୁଛନ୍ତି ଶ୍ରୀନିବାସ। ସ୍ୱଳ୍ପ ରୋଜଗାରରେ ପରିବାରକୁ ମଧ୍ୟ ସହଯୋଗ କରୁଛନ୍ତି।
ଆଦିବାସୀଙ୍କ ପୁଅ କୁଶ, ଶ୍ରୀନିବାସଙ୍କ ପିତା ଦିନ ମଜୁରିଆ
କୋରାପୁଟର ବଣ-ପାହାଡ ଘେରା ଆଦିବାସୀ ପରିବାରରେ ଜନ୍ମ ହୋଇଛନ୍ତି କୁଶ। ଗଛ,ଲତା, ଝରଣାର ପାଣି ଓ ଚାଷ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ। କୁଶଙ୍କ ପିତା-ମାତା ପହାଡ଼ରୁ ଜଙ୍ଗଲଜାତ ଜିନିଷ ଆଣି ନିକଟସ୍ଥ ବଜାରରେ ବିକ୍ରି କରନ୍ତି। ଚାଷ କାମ କରି ପେଟ ପୋଷନ୍ତି କିନ୍ତୁ ପୁଅ ହିମାଳୟ ପାହାଡ଼ କ’ଣ ପାଇଁ ଯାଉଛି, ଏହା ଦ୍ୱାରା କ’ଣ ଲାଭ ହେବ ସେମାନେ ଜାଣି ନାହାନ୍ତି। ତଥାପି କୁଶ ଓଡ଼ିଶାର ଜଣେ ଭଲ ପର୍ବତାରୋହୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଆଜି ‘ସମ୍ବାଦ ଡଟ୍ ଇନ୍’କୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି। ଆର୍ଥିକ ସମସ୍ୟା ସତ୍ତ୍ୱେ ସେ ଧାର-ଉଧାର କରି ଟଙ୍କା ଯୋଗାଡ଼ କରି ଏହି ଲକ୍ଷ୍ୟକୁ ହାସଲ କରିଥିବା ମଧ୍ୟ କହିଛନ୍ତି। ଏହି ଅବସରରେ ସେ କୁହନ୍ତି ତାଙ୍କୁ ସରକାରୀ ସ୍ତରରୁ ଆର୍ଥିକ ସାହାଯ୍ୟ ମିଳିଲେ, ସେ ଉପକୃତ ହୋଇ ପାରନ୍ତେ।
ଆଗାମୀ ଲକ୍ଷ୍ୟ ସମ୍ପର୍କରେ ସୂଚନା ଦେଇ ଶ୍ରୀନିବାସ କହିଛନ୍ତି ଯେ, ତାଙ୍କର ଆଡଭେଞ୍ଚର ଶିବିରରେ ଯୋଗଦେବା। ଆର୍ଥିକ ସମସ୍ୟା ଯାହା ହେଉ ପଛେ, ସେ ଏହି ଶିବିରରେ ଯୋଗ ଦେବାକୁ ଆଶା ରଖିଛନ୍ତି। ସେ କହିଛନ୍ତି ଆଡଭେଞ୍ଚର କ୍ୟାମ୍ପ ଉତ୍ତରକାଶୀ, ମନାଲି ଓ କଶ୍ମୀରରେ ହୋଇଥାଏ। ସେଥିପାଇଁ ସେ ଏବେଠାରୁ ଟଙ୍କା ଯୋଗାଡ଼ କରିବାରେ ବ୍ୟସ୍ତ ହୋଇ ପଡ଼ିଛନ୍ତି।
ଆଦିବାସୀ ଅଧ୍ୟୁଷିତ କୋରାପୁଟର ବଣ ପାହାଡ ଘେରା ଗ୍ରାମରେ ଜନ୍ମ ହୋଇଛନ୍ତି କୁଶ ଆର୍ଲବ। ସେ ଆର୍ଲାପୁଟ ନିବାସୀ କମଳଲୋଚନ ଆର୍ଲାବଙ୍କ ପୁତ୍ର ଅଟନ୍ତି। କୋରାପୁଟ ସରକାରୀ ମହାବିଦ୍ୟାଳୟର ଛାତ୍ର କୁଶ ହିମାଳୟ ଯାତ୍ରା ସମୟରେ ଶ୍ରୀନିବାସଙ୍କ ସହିତ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୨ ପର୍ଯ୍ୟନ୍ତ ହିମାଳୟନ ମାଉଣ୍ଟନିୟରଙ୍ଗ ଇନ୍ଷ୍ଟିଚ୍ୟୁଟରୁ ପର୍ବତାରୋହଣ ଶିକ୍ଷା ଲାଭ କରିଛନ୍ତି।
ଓଡ଼ିଶାର ଏହି ଯୋଗ୍ୟ ସନ୍ତାନ ଦ୍ୱୟ ‘ଏ’ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଛନ୍ତି। ଏହି ୨୮ ଦିନ ଭିତରେ ଯୁବକ ଦ୍ୱୟ ରକ୍ କ୍ଲାଇମ୍ବିଙ୍ଗ, ଆର୍ଟିଫିସିଆଲ କ୍ଲାଇମ୍ବିଙ୍ଗ, ଜପ୍ଲାଇନ୍, ବେସ୍ ମେକିଂ, ରିଭର କ୍ରସିଂ, ଗ୍ଲେସିୟର ରେସକ୍ୟୁ, ସେଲ୍ଫ ଆରେଷ୍ଟ, ଗ୍ରୁପ ଆରେଷ୍ଟ ଏବଂ ଇମାରଜେନ୍ସିଂ ଇଭାକ୍ୟୁଏସନ୍ ଶିକ୍ଷା ଲାଭ କରିଛନ୍ତି।
ଓଡ଼ିଶାର ପ୍ରଥମ ପର୍ବତାରୋହୀ କଳ୍ପନା ଦାସ ଅତିଥି ପ୍ରଶିକ୍ଷକ ଭାବେ ଏକ ମାସ ଧରି ‘ହିମାଳୟ ମାଉଣ୍ଟରିଂ ଇଷ୍ଟିଚ୍ୟୁଟ୍’ରେ ଅନୁଷ୍ଠାନରେ ସୂଚାରୁ ରୂପେ କାର୍ଯ୍ୟ ତୁଲାଇଛନ୍ତି ଓ ତାଙ୍କରି ଠାରୁ କୁଶ ଓ ଶ୍ରୀନିବାସ ପ୍ରଶିକ୍ଷଣ ନେଇଛନ୍ତି। ୨୦୦୧ରେ ‘ହିମାଳୟ ମାଉଣ୍ଟରିଂ ଇଷ୍ଟିଚ୍ୟୁଟ୍’ରୁ କଳ୍ପନା ଦାସ ପର୍ବତ ଆରୋହଣ ଶିକ୍ଷା ଲାଭ କରିଥିଲେ। ସେହି ଶିକ୍ଷାନୁଷ୍ଠାନରେ ଜଣେ ଓଡ଼ିଆ ଭାବେ ଶିକ୍ଷା ଦାନ କରିବା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ। ବର୍ତମାନ ଉକ୍ତ ଶିକ୍ଷାନୁଷ୍ଠାନରେ ଓଡ଼ିଶାର ଏଭରେଷ୍ଟର ତଥା ଓ୍ଵିଙ୍ଗ କମାଣ୍ଡର ଦେବୀଦତ୍ତ ପଣ୍ଡା ପ୍ରିନ୍ସପାଲ ରୂପେ କାର୍ଯ୍ୟରତ। ଏଭଳି ଏକ ଶିକ୍ଷାନୁଷ୍ଠାନରେ ଜଣେ ଓଡ଼ିଆ ଭାବେ ଅଧ୍ୟକ୍ଷ ହେବା ଓଡ଼ିଶା ପାଇଁ ଗର୍ବର ବିଷୟ। ସେ ସର୍ବଦା ଓଡ଼ିଶା ଏବଂ ଓଡ଼ିଶାର ପିଲାମାନଙ୍କ ପାଇଁ ପର୍ବତ ଆରୋହଣ କ୍ଷେତ୍ରରେ ପ୍ରାଧାନ୍ୟ ଦେଇ ଆସୁଛନ୍ତି।