ଲକ୍ଷ୍ନୌ ଟେଷ୍ଟ୍‌, ସଂକଟରେ ଆଫ୍‌ଗାନିସ୍ତାନ

ଅଶ୍ବିନ ଓ ଜାଦେଜାଙ୍କ କୀର୍ତ୍ତିମାନ ଭାଙ୍ଗିଲେ କର୍ଣ୍ଣଵାଲ

ଲକ୍ଷ୍ନୌ: ବୁଧବାରଠୁ ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଏକମାତ୍ର ଟେଷ୍ଟ୍‌ରେ ଆଫଗାନିସ୍ତାନ ପରାଜୟ ସଂକଟରେ ପଡ଼ିଛି। ପ୍ରଥମ ପାଳିରେ ୧୮୭ ରନ୍‌ କରିଥିଲା ଆଫ୍‌ଗାନିସ୍ତାନ। ଜବାବରେ ଭ୍ରମଣକାରୀ ଇଣ୍ଡିଜ୍‌ ଦଳ ୨୭୭ ରନ୍‌ କରି ୯୦ ରନ୍‌ରେ ଆଗୁଆ ରହିଥିଲା। ଘରୋଇ ଆଫ୍‌ଗାନିସ୍ତାନ ଦ୍ବିତୀୟ ପାଳି ଆରମ୍ଭ କରି ଦ୍ବିତୀୟ ଦିନର ଷ୍ଟମ୍ପ୍‌ ଅପସାରଣ ବେଳକୁ ୭ ୱିକେଟ୍‌ ହରାଇ ୧୦୯ ରନ୍‌ କରିଛି। ହାତରେ ଆଉ ମାତ୍ର ୩ ୱିକେଟ୍‌ ଥିଲା ବେଳେ ମାତ୍ର ୧୯ ରନ୍‌ରେ ଆଗୁଆ ରହିଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆଫ୍‌ଗାନିସ୍ତାନ ରହକିମ୍‌ କର୍ଣ୍ଣୱାଲ୍‌ (୭/୭୫)ଙ୍କ ଘାତକ ବୋଲିଂର ସାମ୍‌ନା କରି ନପାରି ୧୮୭ରେ ଅଲ୍‌ଆଉଟ୍‌ ହୋଇଥିଲା। ଜବାବରେ ଇଣ୍ଡିଜ୍‌ ସାମର ବ୍ରୁକ୍ସ (୧୧୧)ଙ୍କ ଶତକ ଏବଂ ଜନ୍‌ କ୍ୟାମ୍ପ୍‌ବେଲ୍‌ (୫୫)ଙ୍କ ଅର୍ଧଶତକ ବଳରେ ୨୭୭ ରନ୍‌ କରିଥିଲା। ଆଫ୍‌ଗାନିସ୍ତାନ ପକ୍ଷରୁ ଅମିର ହାମ୍‌ଜା ୫ ୱିକେଟ୍‌ ଅକ୍ତିଆର କରିଥିଲା। ୯୦ ରନ୍‌ ପଛୁଆ ରହିଥିବା ଆଫ୍‌ଗାନିସ୍ତାନ ଦ୍ବିତୀୟ ପାଳିରେ ଜାଭେଦ ଅହମ୍ମଦି (୬୨) ଓ ଇବ୍ରାହିମ ଜଦ୍ରାନ (୨୩) ପ୍ରଥମ ୱିକେଟ୍‌ରେ ୫୩ ରନ୍‌ ଯୋଡ଼ି ଭଲ ଆରମ୍ଭ କରିଥିଲେ। ହେଲେ ଜଦ୍ରାନଙ୍କୁ ଆଉଟ୍‌ କରି କର୍ଣ୍ଣୱାଲ୍‌ ଇଣ୍ଡିଜ୍‌କୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ଲଗାତାର ୱିକେଟ୍‌ ହରାଇ ଗୁରୁବାରର ଷ୍ଟମ୍ପ୍‌ ଅପସାରଣ ବେଳକୁ ଆଫ୍‌ଗାନିସ୍ତାନ ୭/୧୦୯ କରିଛି। ଅଫ୍‌ସାର ଜଜାଇ ୨ ରନ୍‌ରେ ଅପରାଜିତ ଥିଲା ବେଳେ କର୍ଣ୍ଣୱାଲ ଓ ରସ୍ତନ ଚେଜ୍‌ ୩ ୱିକେଟ୍‌ ଲେଖାଏଁ ନେଇଛନ୍ତି।

ଅଶ୍ବିନ ଓ ଜାଦେଜାଙ୍କ କୀର୍ତ୍ତିମାନ ଭାଙ୍ଗିଲେ କର୍ଣ୍ଣଵାଲ
ଆଫ୍‌ଗାନିସ୍ତାନ ବିପକ୍ଷ ଏହି ଟେଷ୍ଟ୍‌ର ପ୍ରଥମ ପାଳିରେ ୱେଷ୍ଟଇଣ୍ଡିଜର ରହକିମ କର୍ଣ୍ଣଵାଲ ଜୀବନର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିବା ସହିତ ୨୫.୩ ଓଭରରେ ୭୫ ରନ୍ ଦେଇ ୭ ଵିକେଟ୍ ନେଇଥିଲେ। ଏହା ପରେ ଦ୍ବିତୀୟ ପାଳିରେ ମଧ୍ୟ ୩ ୱିକେଟ୍‌ ଦଖଲ କରିସାରିଛନ୍ତି। ଫଳରେ ଗତ ୩୩ ମାସ ମଧ୍ୟରେ ଭାରତ ମାଟିରେ ଗୋଟିଏ ଟେ‌ଷ୍ଟ୍‌ରେ ୧୦ ୱିକେଟ୍‌ ଅକ୍ତିଆର କରିବାରେ ସେ ପ୍ରଥମ ସ୍ପିନର ହୋଇଛନ୍ତି। ଆଉ ଏକ୍ଷେତ୍ରରେ କର୍ଣ୍ଣୱାଲ ମଧ୍ୟ ଦୁଇ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଏବଂ ରବୀନ୍ଦ୍ର ଜାଦେଜାଙ୍କ କୀର୍ତ୍ତିମାନକୁ ପଛରେ ପକାଇ ଦେଇଛନ୍ତି। ଉଭୟ ଅଶ୍ବିନ୍‌ ଓ ଜାଦେଜା ଶେଷ ଥର ପାଇଁ ୨୦୧୬ ଡିସେମ୍ବରରେ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ମଧ୍ୟରେ ୧୦ ଲେଖାଏଁ ୱିକେଟ୍‌ ଦଖଲ କରିଥିଲେ। ତେବେ କୌଣସି ଭ୍ରମଣକାରୀ ଦଳର ଶେଷ ସ୍ପିନର ଭାବେ ଷ୍ଟିଭ୍‌ ଓକେଫେ ୨୦୧୭ରେ ଭାରତରେ ଗୋଟିଏ ଟେଷ୍ଟ୍‌ରେ ୧୦ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର