ନାରାୟଣଙ୍କୁ ଫିକା କଲେ ବଟ୍‌ଲର: କୋଲକାତାକୁ ୨ ୱିକେଟ୍‌ରେ ହରାଇଲା ରାଜସ୍ଥାନ

କୋଲକାତା: ସୁନୀଲ ନାରାୟଣ (୫୬ ବଲ୍‌ରୁ ୧୦୯ ରନ୍‌)ଙ୍କ ଶତକକୁ ଫିକା କରିଦେଲା ଜୋସ୍ ବଟଲର୍‌ଙ୍କ ଶତକ (୬୦ ବଲ୍‌ରୁ ୧୦୭*)। ଏଥି ସହ ଘରୋଇ କୋଲକାତା ନାଇଟ୍ ରାଇଡର୍ସକୁ ରୋମାଞ୍ଚକ ଭାବେ ୨ ୱିକେଟ୍‌ରେ ପରାସ୍ତ କରି ରାଜସ୍ଥାନ ରୟାଲ୍ସ ଶୀର୍ଷସ୍ଥାନ ଦୃଢ଼ କରିଛି। ସପ୍ତମ ମ୍ୟାଚ୍‌ରୁ ସଂଜୁ ସାମ୍‌ସନଙ୍କ ଦଳ ଷଷ୍ଠ ବିଜୟ ହାସଲ କରିଥିବା ବେଳେ କୋଲକାତା ଅଳ୍ପକେ ଶୀର୍ଷକୁ ଉଠିବାରୁ ବଞ୍ଚିତ ହୋଇଛି। ତଥାପି କୋଲକାତା ଦ୍ବିତୀୟ ସ୍ଥାନରେ ଅପରିବର୍ତିତ ରହିଛି। କୋଲକାତାର ୨୨୩ ରନ୍‌କୁ ପିଛା କରି ୧୩ ଓଭର ବେଳକୁ ୧୨୧/୬ରେ ସଂଘର୍ଷ କରିଥିଲା। କିନ୍ତୁ ରୋଭ୍‌ମାନ ପାୱେଲ ୧୩ ବଲ୍‌ରୁ ୨୬ ରନ୍ ଆଦାୟ କରିବା ପରେ ଅବଶିଷ୍ଟ କାମକୁ ଚତୁରତାର ସହ ଶେଷ କରିଥିଲେ ଇଂଲିସ୍ ବ୍ୟାଟର୍‌ ଜୋସ ବଟ୍‌ଲର। ରନ୍ ପାଇଁ ସଂଘର୍ଷ କରୁଥିବା ଏହି ଶାନ୍ତ ସ୍ବଭାବର ଖେଳାଳି ୩୬ ବଲ୍‌ରୁ ୫୦ ଟପିଥିଲେ ମଧ୍ୟ ପରବର୍ତୀ ୫୦ ରନ୍ ପାଇଁ ମାତ୍ର ୧୯ ବଲ୍ ଖେଳିଥିଲେ। ଏଥି ସହ ୯ ନମ୍ବର ବ୍ୟାଟର୍‌ ‌ଆୱେସ ଖାନ୍ (୦*)ଙ୍କୁ ବଲ୍ ଖେଳିବାକୁ ନ ଦେଇ ନବମ ୱିକେଟ୍ ପାଇଁ ଶେଷ ୧୫ ବଲ୍‌ରୁ ୩୮ ରନ୍ ଯୋଡ଼ି ବିଜୟ ଛଡ଼ାଇ ଆଣିଥିଲେ। ଶେଷ ଓଭର ବୋଲିଂ କରିଥିବା ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଛକା ମାରି ଶତକ ପୂର୍ଣ୍ଣ କରିବା ସହ ଶେଷ ବଲରୁ ଏକ ରନ୍ ସଂଗ୍ରହ କରି ବଟଲର ମ୍ୟାଚ୍‌କୁ ଶେଷ କରିଥିଲେ। ଯଶସ୍ବୀ ଜୟସ୍ବାଲ, ରିୟାନ ପରାଗଙ୍କ ସହ ସଂଜୁ ସାମ୍‌ସନ୍‌ ଭଲ ଆରମ୍ଭ କରିଥିଲେ ମଧ୍ୟ ଲମ୍ବା ଖେଳିପାରି ନଥିଲେ। ପାୱେଲ ଓ ବଟଲର୍‌ଙ୍କ ପାଳି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ବଟ୍‌ଲର୍‌ ଚଳିତ ସିଜନ୍‌ରେ ଦ୍ବିତୀୟ ଶତକ ସହ ମୋଟ ଉପରେ ସପ୍ତମ ଶତକ ମାରି ଆଇପିଏଲ୍‌ ଅଗ୍ରଣୀ ତାଲିକାରେ ଦ୍ବିତୀୟକୁ ଉଠିଛନ୍ତି। ସେ କ୍ରିସ୍ ଗେଲ୍ (୬)ଙ୍କୁ ଅତିକ୍ରମ କରିଥିବାବେଳେ ଏବେ ଶୀ‌ର୍ଷରେ ଥିବା ବିରାଟ କୋହଲି (୮)ଙ୍କ ପଛରେ ପହଞ୍ଚିଯାଇଛନ୍ତି।

ମଙ୍ଗଳବାର ରାଜସ୍ଥାନ ଟସ୍ ଜିତି କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ୨୧ ରନ୍‌ରେ କୋଲକାତାର ଗତ ବିଜୟର ନାୟକ ଫିଲ୍ ସଲ୍ଟ (୧୦)କୁ ଆଉଟ୍ କରି ଚମତ୍କାର ଆରମ୍ଭ ବି କରିଥିଲା। ଏହା ପରେ କିନ୍ତୁ ଶତକ ହାସଲକାରୀ ସୁନୀଲ ନାରାୟଣ ଓ ଅଙ୍ଗକ୍ରିସ୍ ରଘୁବଂଶୀ (୩୦) ରାଜସ୍ଥାନ ବୋଲରଙ୍କୁ ନିର୍ଧୁମ ‌ଛେଚି ଦ୍ବିତୀୟ ୱିକେଟ୍‌ରେ ଦ୍ରୁତ ୮୫ ରନ୍ ଯୋଡ଼ି ନେଇଥିଲେ। ଫଳରେ ରଘୁବଂଶୀଙ୍କୁ କୁଲଦୀପ ସେନ୍ ପୁରୁଖା ସ୍ପିନର ଆର ଅଶ୍ବିନଙ୍କ ହାତରେ କ୍ୟାଚ୍ କରାଇ ଯୋଡ଼ି ଭାଙ୍ଗିବା ପୂର୍ବରୁ କୋଲକାତା ତିନି ଅଙ୍କ ଟପି ସାରିଥିଲା। ରଘୁବଂଶୀ ପ୍ୟାଭିଲିୟନ ଫେରିବା ପରେ ନାରାୟଣ ନାଟକୀୟ ଭାବେ ଗିୟର ବଦଳାଇ ଛକା, ଚୌକା ବର୍ଷା କରିଥିଲେ। ଏପରିକି ପ୍ରତିଯୋଗିତାର ଅଗ୍ରଣୀ ୱିକେଟ୍ ସଂଗ୍ରହକାରୀ ୟୁଝବେନ୍ଦ୍ର ଚହଲଙ୍କୁ ନିର୍ଧୁମ ଛେଚିଥିଲେ। ତାଙ୍କ ଚତୁର୍ଥ ଓଭରରୁ ୨୩ ରନ୍ ଅମଳ କରି ପ୍ରତୀକ୍ଷିତ ଶତକ ଛୁଇଁଥିଲେ। ଏହା ମଧ୍ୟ ୮୪ ମ୍ୟାଚ୍ ପରେ ଇଡେନ୍ ଗାର୍ଡେନ୍ସରେ କୌଣସି କୋଲକାତା ବ୍ୟାଟର୍‌ଙ୍କ ପ୍ରଥମ ଶତକ ଥିଲା। ନିଜ ୪୯ ବଲ୍ ଶତକ ଭିତରେ ୩୫ ବର୍ଷୀୟ ନାରାୟଣ ଅବିଶ୍ବସନୀୟ ଭାବେ ୧୧ ଚୌକା ଓ ୬ ଛକା ମାରି ଚଳିତ ଆଇପିଏଲ୍‌ର ଶ୍ରେଷ୍ଠ ବୋଲିଂ ବାହିନୀ ଥିବା ରାଜସ୍ଥାନ ରୟାଲ୍ସକୁ ନୟାନ୍ତ କରିଥିଲେ। ସେ ମଧ୍ୟ ଆଇପିଏଲ୍‌ରେ ଶତକ ସହ ୫ ୱିକେଟ୍ ସଫଳତାରେ ପ୍ରଥମ ଖେଳାଳି ହୋଇଥିଲେ। ଅଷ୍ଟାଦଶ ଓଭରରେ ଟ୍ରେଣ୍ଟ ବୋଲ୍ଟ ତାଙ୍କୁ ବୋଲ୍ଡ କରିବା ପୂର୍ବରୁ କୋଲକାତା ସ୍କୋର୍‌କୁ ନାରାୟଣ ୨୦୦ ରନ୍‌ର ନିକଟତର କରାଇସାରିଥିଲେ। ଶେଷରେ କୋଲକାତା ୬ ୱିକେଟ୍ ହରାଇ ୨୨୩ ରନ୍ କରି ନେଇଥିଲା। ଚଳିତ ଆଇପିଏଲ୍‌ରେ ରାଜସ୍ଥାନ ବିପକ୍ଷରେ ପ୍ରଥମ ଦଳ ଭାବେ କୋଲକାତା ୨୦୦+ ସ୍କୋର୍‌ କରିଥିଲା।

– ସଂକ୍ଷିପ୍ତ ସ୍କୋର୍‌ – କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୨୨୩/୬ (ସୁନୀଲ ନାରାୟଣ-୧୦୯, ଅଙ୍ଗ୍ରୀସ ରଘବଂଶୀ-୩୦, ରିଙ୍କୁ ସିଂହ-୨୦*, ଆୱେସ ଖାନ୍‌-୨/୩୫, କୁଲଦୀପ ସେନ୍‌-୨/୪୬, ଟ୍ରେଣ୍ଟ୍ ବୋଲ୍ଟ-୧/୩୧, ୟୁଝବେନ୍ଦ୍ର ଚହଲ-୧/୫୪)। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୨୨୪/୮ (ଜୋସ୍ ବଟ୍‌ଲର୍‌-୧୦୭*, ରିୟାନ୍ ପରାଗ-୩୪, ରୋଭ୍‌ମାନ ପାୱେଲ-୨୬, ବରୁଣ ଚକ୍ରବର୍ତ୍ତୀ-୨/୨୭, ସୁନୀଲ ନାରାୟଣ-୨/୩୦, ହର୍ଷିତ ରାଣା-୨/୪୫, ବୈଭବ ଅରୋଡ଼ା-୧/୪୫)।

ସମ୍ବନ୍ଧିତ ଖବର