ଜାତୀୟ ହକିରୁ ଓଡ଼ିଶାର ଅଭିଯାନ ଶେଷ

ଭୁବନେଶ୍ୱର: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଚାଲିଥିବା ଅଷ୍ଟମ ଜାତୀୟ ପୁରୁଷ ହକି ପ୍ରତିଯୋଗିତା (ଡିଭିଜନ୍‌-ଏ)ରେ ଓଡ଼ିଶାର ଅଭିଯାନ ଶେଷ ହୋଇଯାଇଛି। ପୁଲ୍‌-ଏରୁ କ୍ୱାର୍ଟର ଫାଇନାଲ୍‌ ଉଠିିଥିବା ଓଡ଼ିଶା ଗୁରୁବାର ଲଢ଼େଇ କରିବା ସତ୍ତ୍ୱେ ୨-୩ ଗୋଲ୍‌ରେ ଏୟାର ଇଣ୍ଡିଆ ସ୍ପୋର୍ଟସ୍‌ ପ୍ରମୋସନ୍‌ ବୋର୍ଡ ନିକଟରୁ ହାରି ବିଦାୟ ନେଇଛି। ମ୍ୟାଚ୍‌ ଆରମ୍ଭରୁ ଅଗ୍ରଣୀ ପାଇବା ସତ୍ତ୍ୱେ ଓଡ଼ିଶା ପରାଜୟ ବରଣ କରି ସେମିଫାଇନାଲ୍‌ ଖେଳିବା ଆଶା ହରାଇଲା। ଦ୍ୱିତୀୟ ମିନିଟ୍‌ରେ ଅଶୋକ ଲାକ୍ରାଙ୍କ ଗୋଲ୍‌ ବଳରେ ଓଡ଼ିଶା ୧-୦ରେ ଆଗେଇ ଯାଇଥିଲା। ହେଲେ ୫ ମିନିଟ୍‌ ଅନ୍ତରରେ ମହମ୍ମଦ ଫରାଜ୍‌ (୨୯ ଓ ୩୩ ମିନିଟ୍‌) ପେନାଲ୍‌ଟି କର୍ନରରୁ ଦୁଇଟି ଗୋଲ୍‌ କରି ଏୟାର ଇଣ୍ଡିଆକୁ ୨-୧ର ଅଗ୍ରଣୀ ଦେଇଥିଲେ। ୩୪ ମିନିଟ୍‌ରେ ନୀଲମ୍‌ ସଞ୍ଜୀବ୍‌ ଖେସ୍‌ ଏକ ପେନାଲ୍‌ଟି କର୍ନରୁ ଗୋଲ୍‌ରେ ରୂପାନ୍ତରିତ କରି ଓଡ଼ିଶା ସ୍ଥିତି ସମାନ କରିଦେଇଥିଲେ। ମାତ୍ର ୫୦ ମିନିଟ୍‌ରେ ମହମ୍ମଦ ଫରାଜ୍‌ଙ୍କ ବ୍ୟକ୍ତିଗତ ତୃତୀୟ ଗୋଲ୍‌ ହିଁ ଓଡ଼ିଶା ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲା। ଫରାଜ୍‌ ମଧ୍ୟ ଏଥି ସହିତ ମ୍ୟାଚ୍‌ରେ ହ୍ୟାଟ୍ରିକ୍‌ ଅର୍ଜନ କରି ଏକାକି ଏୟାର ଇଣ୍ଡିଆକୁ ସେମିଫାଇନାଲ୍‌ ପହଞ୍ଚାଇ ଦେଇଥିଲେ।

ସମ୍ବନ୍ଧିତ ଖବର