ମୋହାଲି (ଚଣ୍ଡୀଗଡ଼): ଆଇପିଏଲ୍ର ୧୩ତମ ମ୍ୟାଚ୍ରେ ନାଟକୀୟଭାବେ ଦିଲ୍ଲୀ କ୍ୟାପିଟାଲ୍ସ ହାତରୁ ୧୪ ରନ୍ରେ ମ୍ୟାଚ୍ ଛଡ଼ାଇ ନେଇଛି କିଙ୍ଗସ ଇଲେଭେନ୍ ପଞ୍ଜାବ। ୧୬୬ ରନ୍କୁ ପିଛା କରି ଦିଲ୍ଲୀ ୧୬.୩ ଓଭର ସୁଦ୍ଧା ୩ ୱିକେଟ୍ରେ ୧୪୪ ରନ୍ କରିଥିଲା। କିନ୍ତୁ ସାମ୍ କରନ୍ (୨.୨-୦-୧୧-୪) ହ୍ୟାଟ୍ରିକ୍ ଅର୍ଜନ କରି ଆଶ୍ଚର୍ଯ୍ୟ ସୃଷ୍ଟି କରିଥିଲେ। ଦିଲ୍ଲୀ ମାତ୍ର ୮ ରନ୍ ଭିତରେ ୭ ୱିକେଟ୍ ହରାଇ ନିଶ୍ଚିତ ବିଜୟ ମ୍ୟାଚ୍କୁ ଲଜ୍ଜାଜନକ ପରାଜୟରେ ପରିଣତ କରି ଦେଇଥିଲା। ପୂର୍ବ ଓଭର ଶେଷ ବଲରେ ହର୍ଷଲ ପଟେଲଙ୍କ ୱିକେଟ୍ ନେଇଥିବା କରନ୍ ଶେଷ ଓଭର ପ୍ରଥମ ଦୁଇ ବଲରେ ରବାଦା ଓ ଲାମିଚାନଙ୍କୁ ବୋଲଡ୍ କରି ଚଳିତ ଋତୁର ପ୍ରଥମ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ପୂର୍ବରୁ ପିଞ୍ଚ୍ ହିଟର୍ ଭାବେ ପାମଭଳି ଆରମ୍ଭ କରି ୧୦ ବଲରୁ ୨୦ ରନ୍ କରିଥିବାରୁ କରନ୍ ହିଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ ନେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲେ। ଲୋକେଶ ରାହୁଲ (୧୫, ୧୧ ବଲ, ୨ ଚୌକା, ୧ ଛକା) ଏବଂ ବ୍ୟାଟିଂ ପଦୋନ୍ନତିରେ ଆସିଥିବା ଇଂଲଣ୍ଡ ଅଲରାଉଣ୍ଡର୍ ସାମ୍ କରନ୍ (୨୦, ୧୦ ବଲ, ୩ ଚୌକା, ୧ ଛକା) ଭଲ ଆରମ୍ଭ କରିଥିଲେ ମଧ୍ୟ ଚତୁର୍ଥ ଓଭର ଭିତରେ ପ୍ୟାଭିଲିଅନ୍ ଫେରିଯାଇଥିଲେ। ଉଭୟଙ୍କୁ ଯଥାକ୍ରମେ କ୍ରିସ୍ ମୋରିସ୍ ଏବଂ ସନ୍ଦୀପ ଲାମିଚାନ୍ ଏଲ୍ବିଡବ୍ଲ୍ୟୁ କରି ଦେଇଥିଲେ। ମୟଙ୍କ ଅଗ୍ରୱାଲଙ୍କୁ ଶିଖର ଧାୱନ ରନ୍ ଆଉଟ୍ କରିଦେବାରୁ କିଙ୍ଗସ ଇଲେଭେନ୍ ପଞ୍ଜାବ ୫୮/୩ରେ ଅସୁବିଧାରେ ପରିସ୍ଥିତିରେ ପଡ଼ିଥିଲା। ଏହି ସମୟରେ ଏକାଠି ହୋଇଥିବା ସର୍ଫରାଜ ଖାନ୍ ଏବଂ ଡେଭିଡ୍ ମିଲର୍ ୬.୪ ଓଭରରେ ୬୨ ରନ୍ ସଂଯୋଗ କରି ସ୍ଥିତି ସମ୍ଭାଳି ନେଇଥିଲେ। ସର୍ଫରାଜ (୩୯, ୨୯ ବଲ, ୬ ଚୌକା)ଙ୍କୁ ୧୮ ବର୍ଷୀୟ ନେପାଳି ଲେଗସ୍ପିନର୍ ସନ୍ଦୀପ ଲାମିଚାନ୍ ୱିକେଟପଛପଟେ ପନ୍ତ୍ଙ୍କ ଗ୍ଲୋଭ୍ସରେ କ୍ୟାଚ୍ କରାଇ ଏହି ଭାଗୀଦାରିକୁ ଭାଙ୍ଗିଥିଲେ। ଦୁଇଟି ବଲ୍ ପରେ ମିଲର (୪୩, ୩୦ ବଲ, ୪ ଚୌକା, ୨ ଛକା)ଙ୍କୁ ମଧ୍ୟ ସମାନ ଢ଼ଙ୍ଗରେ ମୋରିସ୍ ବିଦାୟ ରାସ୍ତା ଦେଖାଇଥିଲେ। ଏହା ପରେ ରବାଦା ଏବଂ ମୋରିସ୍ ପଞ୍ଜାବ ପାଳିକୁ ଆଗକୁ ବଢ଼ିବାକୁ ଦେଇନଥିଲେ। ମନଦୀପ୍ ସିଂହ (୨୯*, ୨୧ ବଲ, ୨ ଚୌକା, ୧ ଛକା) ରବାଦାଙ୍କ ଶେଷ ଦୁଇ ବଲ୍କୁ (୪,୬) ସୀମା ସେପାଖକୁ ପଠାଇଦେବାରୁ ପଞ୍ଜାବ ୧୬୬ ରନ୍ କରିପାରିଥିଲା। ଦିଲ୍ଲୀର ୩ ବିଦେଶୀ ବୋଲର ମୋରିସ, ରବାଦା, ଲାମିଚାନ୍ ମିଳିତଭାବେ ୧୨ ଓଭରରେ ୮୯ ରନ୍ ଦେଇ ୭ ୱିକେଟ୍ ଦଖଲ କରିଥିଲେ।
ଜବାବରେ ପ୍ରଥମ ଓଭର ପ୍ରଥମ ବଲରେ ପୃଥ୍ବୀ ସ’ଙ୍କୁ ଆଉଟ୍ କରି ଦିଲ୍ଲୀକୁ ବଡ଼ ଝଟକା ଦେଇଥିଲେ ପଞ୍ଜାବ ଅଧିନାୟକ ଆର୍ ଅଶ୍ବିନ। ଶିଖର ଧାୱନ (୩୦, ୨୫ ବଲ, ୪ ଚୌକା) ଏବଂ ଶ୍ରେୟସ ଆୟର (୨୮, ୨୨ ବଲ, ୫ ଚୌକା) ୭ ଓଭରରେ ୬୦ ରନ୍ ଯୋଡ଼ି ନେଇଥିଲେ। ଋଷବ ପନ୍ତ୍ (୩୯, ୨୬ ବଲ, ୩ ଚୌକା, ୨ ଛକା) ଭଲ ଖେଳିଥିଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ରହିନଥିଲେ। ମହମ୍ମଦ ସାମିଙ୍କୁ ଛକା ମାରିବାର ପରବର୍ତୀ ବଲ୍ରେ ଆଉଟ୍ ହୋଇଯାଇଥିଲେ। ପର ବଲରେ ମୋରିସଙ୍କ ରନ୍ ଆଉଟ୍ ବି ଦିଲ୍ଲୀ ଉପରେ ଚାପ ବଢ଼ାଇଥିଲା। କଲିନ୍ ଇନଗ୍ରାମ (୩୮, ୨୯ ବଲ, ୪ ଚୌକା, ୧ ଛକା)ଙ୍କୁ ସାମ୍ କରନ୍ ଆଉଟ୍ କରି ପଞ୍ଜାବକୁ ସବୁଠୁ ବଡ଼ ଝଟକା ଦେଇଥିଲେ। ଶେଷକୁ ୧୭ ବଲ୍, ୮ ରନ୍ ଭିତରେ ଶେଷ ୭ ୱିକେଟ୍ ହରାଇ ଦିଲ୍ଲୀ ଦଳି ହୋଇଯାଇଥିଲା।
ସଂକ୍ଷିପ୍ତ ସ୍କୋର
କିଙ୍ଗସ ଇଲେଭେନ୍ ପଞ୍ଜାବ ୨୦ ଓଭରରେ ୧୬୬/୯ (ଡେଭିଡ୍ ମିଲର-୪୩, ସର୍ଫରାଜ ଖାନ୍-୩୯, ମନଦୀପ୍ ସିଂହ-୨୯*, କ୍ରିସ୍ ମୋରିସ୍-୩/୩୦, ସନ୍ଦୀପ ଲାମିଚାନ୍-୨/୨୭, କାଗିସୋ ରବାଦା-୨/୩୨)। ଦିଲ୍ଲୀ କ୍ୟାପିଟାଲ୍ସ ୧୯.୨ ଓଭରରେ ୧୫୨ (ଋଷବ ପନ୍ତ୍-୩୯, କଲିନ୍ ଇନଗ୍ରାମ-୩୮, ଶିଖର ଧାୱନ-୩୦, ଶ୍ରେୟସ ଆୟର-୨୮, ସାମ୍ କରନ୍-୪/୧୧, ମହମ୍ମଦ ସାମି-୨/୨୭, ଆର୍ ଅଶ୍ବିନ-୨/୩୧)।