ଫିଫା ବିଶ୍ୱକପ୍‌ : ରୋନାଲ୍‌ଡୋ ହ୍ୟାଟ୍ରିକ୍‌

ସୋଚି : ଫିଫା ବିଶ୍ୱକପ୍‌ରେ ଶୁକ୍ରବାର ବିଳମ୍ବିତ ରାତି ମ୍ୟାଚ୍‌ରେ ତାରକା କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ହ୍ୟାଟ୍ରିକ୍‌ ଗୋଲ୍‌ (୪, ୪୪, ୮୮ତମ ମିନିଟ୍‌) ସତ୍ତ୍ୱେ ପର୍ତ୍ତୁଗାଲ୍‌ ଜିତି ପାରିନାହିଁ। କିନ୍ତୁ ପୂର୍ବ ବିଜେତା ସ୍ପେନ୍‌ ବିପକ୍ଷ ଏହି ମ୍ୟାଚ୍‌କୁ ଏହି ଦେଶ ୩-୩ ଗୋଲ୍‌ରେ ଅମୀମାଂସିତ ରଖି ପଏଣ୍ଟ୍‌ ଭାଗ କରିଛି। ପ୍ରଥମାର୍ଧାରେ ପର୍ତୁଗାଲ୍‌ ୨-୧ରେ ଗୋଲ୍‌ରେ ସ୍ପେନ୍‌କୁ ପଛରେ ରଖିଥିଲା। ଦ୍ୱିତୀୟାର୍ଧରେ ମଧ୍ୟ ୩ ଗୋଲ୍‌ ଦେଖିବାକୁ ମିିଳିଥିଲା, କିନ୍ତୁ ମ୍ୟାଚ୍‌ ୩-୩ରେ ଶେଷ ହୋଇଥିଲା।

ଏହି ଶାଣିତ ଲଢ଼େଇ ଓ ରୋମାଞ୍ଚଭରା ମ୍ୟାଚ୍‌ର ଚତୁର୍ଥ ମିନିଟରେ ରୋନାଲ୍‌ଡୋ ପେନାଲ୍‌ଟିରୁ ହିଁ ପ୍ରଥମ ଗୋଲ୍‌ ଦେଇଥିଲେ। ରୋନାଲ୍‌ଡୋଙ୍କୁ ନାଚୋ ବିପଜ୍ଜନକ ଫାଉଲ୍‌ ମାରିବା ପରେ ମିଳିଥିବା ପେନାଲ୍‌ଟିରେ ସେ ପ୍ରତିପକ୍ଷ ଗୋଲରକ୍ଷକଙ୍କୁ ବିପରୀତ ଦିଗକୁ ପ୍ରେରିତ କରି ଗୋଲ୍‌ ଦେଇଥିଲେ। ତେବେ ୨୪ତମ ମିନିଟରେ ସ୍ପେନୀୟ ତାରକା ଡିଏଗୋ କୋଷ୍ଟା ଏହାକୁ ୧-୧ ସ୍ତରକୁ ନେଇ ଆସିଥିଲେ। ଏହାର ୨୦ ମିନିଟ୍‌ ପରେ ରୋନାଲ୍‌ଡୋ (୪୪ତମ ମିନିଟ୍‌)ଙ୍କ ଏକ ସଟ୍‌ ସ୍ପେନ୍‌ ଗୋଲ୍‌ରକ୍ଷକ ଡି ଜିଆଙ୍କ ହାତରୁ ଖସି ଗୋଲ୍‌ରେ ରୂପାନ୍ତର ହୋଇଯାଇଥିଲା। ଦ୍ୱିତୀୟାର୍ଧରେ ମଧ୍ୟ ମ୍ୟାଚ୍‌ ସଂଘର୍ଷପୂର୍ଣ ରହିଥିଲା। ୫୫ତମ ମିନିଟ୍‌ରେ ଡଏଗୋ କୋଷ୍ଟାଙ୍କ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍‌ ପୁଣି ଥରେ ସ୍ପେନ୍‌କୁ ସମାନ (୨-୨) ସ୍ତରକୁ ନେଇ ଆସିଥିଲା। ଏହି ଗୋଲ୍‌ରେ ଡେଭିଡ୍‌ ସିଲ୍‌ଭା ଏବଂ ସର୍ଜିଓ ବସ୍‌କ୍ୱେଟ୍‌ସଙ୍କ ସହାୟତା ରହିଥିଲା। ଏହାର ୩ ମିନିଟ୍‌ ପରେ ସ୍ପେନ୍‌ ପ୍ରଥମ ଥର ଅଗ୍ରଣୀ ନେଇଯାଇଥିଲା। ଯାହାଙ୍କ ପାଇଁ ପ୍ରଥମାର୍ଧରେ ସ୍ପେନ୍‌ ପେନାଲ୍‌ଟିର ଶିକାର ହୋଇଥିଲା ସେହି ଡିଫେଣ୍ଡର ନାଚୋ ହିଁ ୫୮ତମ ମିନିଟ୍‌ରେ ଦେଇଥିଲେ ଏହି ନିର୍ଣ୍ଣାୟକ ଗୋଲ୍‌।

କିଛି ସମୟ ପରେ କୋଷ୍ଟାଙ୍କୁ ହ୍ୟାଟ୍ରିକ୍‌ ସୁଯୋଗ ମିଳିଥିଲେ ମଧ୍ୟ ସେ ଏଥିରେ ସଫଳ ହୋଇନଥିଲେ। ଅଗ୍ରଣୀ ନେବା ପରେ ଇନିସ୍ତା (୭୦ ମିନିଟ୍‌) ଏବଂ ଗୋଲସ୍କୋରର୍‌ କୋଷ୍ଟା (୭୭ତମ ମିନିଟ୍‌)ଙ୍କୁ ବଦଳାଇ ଦେଇଥିଲେ ପ୍ରଶିକ୍ଷକ ହିଏରୋ ଫର୍ନାଣ୍ଡୋ। କିନ୍ତୁ ୮୮ତମ ମିନିଟ୍‌ରେ ଏକ ଫ୍ରି କିକ୍‌ରୁ ଗୋଲ୍‌ ଦେଇ ରୋନାଲ୍‌ଡୋ ଚଳିତ ବିଶ୍ୱକପ୍‌ର ପ୍ରଥମ ତଥା ବ୍ୟକ୍ତିଗତ ପ୍ରଥମ ବିଶ୍ୱକପ୍‌ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଏହି ଗୋଲ୍‌ ଶେଷରେ ପର୍ତୁଗାଲ୍‌କୁ ୧ ପଏଣ୍ଟ୍‌ ଦେବାରେ ସମର୍ଥ ହୋଇଥିଲା। ରିୟଲ୍‌ ପୂର୍ବରୁ ଶୁକ୍ରବାରର ପ୍ରଥମ ଦୁଇଟି ମ୍ୟାଚ୍‌ ଶେଷ କ୍ଷଣ ଗୋଲ୍‌ ସହାୟତାରେ ଫଳାଫଳ ଦେବାର ସଂଯୋଗ ରଖିଥିଲା। ଏକ ଗ୍ରୁପ୍‌ ‘ବି’ ମ୍ୟାଚ୍‌ରେ ମରକ୍କୋ ଖେଳାଳି ଅଜିଜ୍‌ ବୌହାଦୋଜଙ୍କ ଆତ୍ମଘାତୀ ଗୋଲ୍‌ (୯୫ତମ ମିନିଟ୍‌) ସହାୟତାରେ ଏସୀୟ ଦେଶ ଇରାନ୍‌ ୧-୦ ଗୋଲ୍‌ରେ ସ୍ମରଣୀୟ ବିଜୟ ହାସଲ କରି ନେଇଥିଲା। ଅନ୍ୟ ଏକ ଗ୍ରୁପ୍‌ ‘ଏ’ ମ୍ୟାଚ୍‌ରେ ମଧ୍ୟ ଜୋସ୍‌ ଗିମିନେଜ୍‌ଙ୍କ ଶେଷ ମୁହୂର୍ତ ହେଡର୍‌ (୮୯ ମିନିଟ୍‌) ବଳରେ ୟୁରୁଗୁଏ ୧-୦ ଗୋଲ୍‌ରେ ଆଫ୍ରିକୀୟ ଦେଶ ଇଜିପ୍ଟକୁ ହରାଇ ଦେଇଥିଲା।

ସମ୍ବନ୍ଧିତ ଖବର