ଆଇପିଏଲ୍‌-୧୩ : ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନ୍‌ରେ ପରାସ୍ତ କଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର

ଦୁବାଇ: ଇଣ୍ଡିଆନ ପ୍ରିମିୟମ୍‌ ଲିଗ୍‌ (ଆଇପିଏଲ-୧୩)ର ତୃତୀୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନ୍‌ରେ ପରାସ୍ତ କରିଛି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର । ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୧୬୪ ରନ୍‌ର ପିଛାକରି ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୧୫୩ରନ୍‌ କରିବାକୁ ସକ୍ଷମ ହୋଇଥିଲା । ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଜନି ବେୟାରଷ୍ଟୋ ୪୩ ବଲରେ ୬୧ରନ୍‌ କରିଥିବା ବେଳେ ମନୀଷ୍‌ ପାଣ୍ଡେ ୩୩ ବଲରେ ୩୪ ରନ୍ କରିଥିଲେ । ବେୟାରଷ୍ଟୋ ଦମ୍‌ଦ‌ାର ୬୧ ରନ୍‌ କରିଥିଲେ ମଧ୍ୟ ଏହା ସନରାଇଜର୍ସ ହାଇଦ୍ରାବାଦକୁ ବିଜୟ ଦେଇପାରି ନଥିଲା। ଅନ୍ୟପଟେ ବାଙ୍ଗାଲୋର ପକ୍ଷରୁ ୟୁଜବେନ୍ଦ୍ର ଚହଲଙ୍କ ବୋଲିଂ ଚମକ ଦେଖିବାକୁ ମିଳିଥିଲା ଯେତେବେଳେ ବାଙ୍ଗାଲୋର ହାତରୁ .ଖେଳ ଖସିଯିବା ଭଳି ଲାଗୁଥିଲା ଓ  ୱିକେଟ ପଡ଼ିବା ଜରୁରୀ ଥିଲା ସେହି ସମୟରେ ୧୫ତମ ଓଭରରେ ୨ଟି ୱିକେଟ ନେଇ ବାଙ୍ଗାଲୋରକୁ ପୁଣି ଗେମ୍‌କୁ ଫେରାଇଥିଲେ ଚହଲ । ବାଙ୍ଗାଲୋର ପକ୍ଷରୁ ୟୁଜବେନ୍ଦ୍ର ଚହଲ ୩ଟି ୱିକେଟ ନେଇଥିବା ବେଳେ ଶିବମ୍ ଦୁବେ ଓ ନବଦୀପ ସାଇନି ୨-୨ଟି ୱିକେଟ ଓ ଡେଲ ଷ୍ଟେନ୍ ଗୋଟିଏ ୱିକେଟ ନେଇଛନ୍ତି। ଚହଲ ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

ସନରାଇଜର୍ସ ହାଇଦ୍ରାବାଦ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବାଙ୍ଗାଲୋରର ଦୁଇ ଓପନର ଦେବଦତ୍ତ ପାଡିକଲ୍ଲ ଓ ଆରନ ଫିଞ୍ଚ୍‌ ସତର୍କତାର ସହ ଖେଳି ଦଳକୁ ଏକ ଦୃଢ ମୂଳଦୁଆ ପ୍ରଦାନ କରିଥିଲେ । ଦେବଦତ୍ତ ୫୬ ରନ ସଂଗ୍ରହ କରିଥିବା ବେଳେ ଫିଞ୍ଚ୍‌ ୨୯ ରନ କରି ଆଉଟ ହୋଇଥିଲେ । ଦଳୀୟ ସ୍କୋର ୯୦ ହୋଇଥିବାବେଳେ ଉଭୟ ଓପନର ପାଭିଲିୟନ ଫେରିଥିଲେ । ୩ୟ ସ୍ଥାନରେ ଖେଳୁଥିବା ଅଧିନାୟକ ବିରାଟ କୋହଲି ମାତ୍ର ୧୪ ରନ କରି ଆଉଟ ହୋଇଥିଲେ । ତେବେ ଆଜି ଅଭିଜ୍ଞ ଏବି ଡିଭିଲିୟର୍ସଙ୍କ ବ୍ୟାଟ ଚମକିଥିଲା । ସେ ମାତ୍ର ୩୦ଟି ବଲ ଖେଳି ୫୧ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ତାଙ୍କର ଏହି ଧୁଆଁଧାର ଇନିଂସ ପାଇଁ ବାଙ୍ଗାଲୋର ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ ହରାଇ ୧୬୩ ରନ କରିଥିଲା ।

ସମ୍ବନ୍ଧିତ ଖବର