ଦୁଷ୍କର୍ମ ଅଭିଯୁକ୍ତ କ୍ରିକେଟ୍ ଖେଳାଳି ଧନୁଷ୍କା ଗୁଣତିଳକଙ୍କୁ ବାସନ୍ଦ କଲା ଶ୍ରୀଲଙ୍କା ବୋର୍ଡ

କଲମ୍ବୋ : ଶ୍ରୀଲଙ୍କା କ୍ରିକେଟର ଧନୁଷ୍କା ଗୁଣତିଳକ ଦୁଷ୍କର୍ମ ଅଭିଯୋଗରେ ଅଷ୍ଟ୍ରେଲିଆରେ ଗିରଫ ହେବା ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି । ଏହି ଘଟଣା ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଭାବମୂର୍ତ୍ତିକୁ ମଳିନ କରିଦେଇଛି । ସୋମବାରଦିନ ବୋର୍ଡ କାର୍ଯ୍ୟନିର୍ବାହୀ ପରିଷଦର ଏକ ଜରୁରୀ ବୈଠକ ବସି ଧନୁଷ୍କାଙ୍କୁ ସବୁପ୍ରକାରର କ୍ରିକେଟରୁ ବାସନ୍ଦ କରାଯାଇଛି ।

ଏହି ବାସନ୍ଦାଦେଶ ତୁରନ୍ତ ଲାଗୁ ହେବ ଓ ତାଙ୍କୁ ଭବିଷ୍ୟତରେ କୌଣସି ପ୍ରକାରର କ୍ରିକେଟ୍ ପାଇଁ ଚୟନ କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି । ଏହା ସହିତ ବୋର୍ଡ ଏହି ଘଟଣାର ଏକ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି । ଏହି ତଦନ୍ତ ଓ ଅଷ୍ଟ୍ରେଲିଆ କୋର୍ଟରେ ଦୋଷୀ ପ୍ରମାଣିତ ହେଲେ ଗୁଣତିଳକଙ୍କ ଉପରେ ଜୋରିମାନା ଲାଗୁ କରାଯିବ ।

ବୋର୍ଡ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଏପରି ମାମଲାର ପାଇଁ ଶ୍ରୀଲଙ୍କା କ୍ରିକେଟ୍ ଶୂନ ସହନଶୀଳତା ନୀତି ଅବଲମ୍ବନ କରେ । ଏହି ମାମଲାର ତଦନ୍ତ ପାଇଁ ଅଷ୍ଟ୍ରେଲିଆ ପୁଲିସକୁ ସବୁପ୍ରକାରର ସହଯୋଗ କରାଯିବ ।

ଟି-୨୦ ବିଶ୍ବକପର ପ୍ରାରମ୍ଭିକ ପର୍ଯ୍ୟାୟ ବେଳେ ଗୁଣତିଳକ ଆହତ ଜନିତ କାରଣରୁ ଦଳରୁ ବାଦ ପଡ଼ିଥିଲେ । ତେବେ ସେ ସ୍ବଦେଶ ନଫେରି ଅଷ୍ଟ୍ରେଲିଆରେ ଦଳ ସହିତ ଥିଲେ ।

ସୋମବାରଦିନ ଅଷ୍ଟ୍ରେଲିଆର ଏକ କୋର୍ଟ ଗୁଣଶେଖରଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ।

ସମ୍ବନ୍ଧିତ ଖବର