ଅନ୍ଧାଧୂନ୍‌ ଗୁଳି: ସୁପାରି କିଲର୍‌ଙ୍କ ଟାର୍ଗେଟ୍‌ରେ ଥିଲେ ବାପା-ପୁଅ, କବାଟ ଭେଦିଛି ୩ ରାଉଣ୍ଡ୍

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲାର ସମ୍ବେଦନଶୀଳ ଖଲ୍ଲିକୋଟ ଥାନା ଇଲାକା ଅଶାନ୍ତ ହୋଇଉଠିଛି। କଥା କଥାକେ ଏବ‌େ ଗୁଳି, ବୋମା ଫୁଟୁଥିବା ସହ ଅପରାଧୀ ମାନେ ଖୁଲମଖୁଲା ଆତଙ୍କ ଖେଳାଇ ଚାଲିଛନ୍ତି। ଗତକାଲି ବିଳମ୍ବିତ ରାତିରେ ‌କହ୍ନେଇପୁର ମେଡିକାଲ ଛକରେ ରହୁଥିବା ମହେଶ୍ବର ଗ୍ରାମର ରଞ୍ଜିତ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି ଦୁଇଜଣ ସୁପାରି କିଲର୍ ଗୁଳି କରି ହତ୍ୟା ଉଦ୍ୟମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ହେଲେ ଦୁର୍ବୃତ୍ତ ମାନଙ୍କୁ ଦେଖି ରଞ୍ଜିତ କବାଟକୁ କିଳି ଦେବାରୁ ସେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ତେବେ କାଠ କବାଟ ଭ‌େଦି ୩ ରାଉଣ୍ଡ୍ ଗୁଳି ଗ ଳି ଯାଇଥିବା ବେଳେ ପୁଲିସ ଖୋକା ଗୁଡ଼ିକୁ ଜବତ କରିଛି।

ଗତକାଲି ରାତି ସାଢ଼େ ଗୋଟାଏ ବେଳେ ଦୁଇଜଣ ଯୁବକ ଗୋଟିଏ ବାଇକ୍‌ରେ ଆସି ରଞ୍ଜିତଙ୍କ ଘରର ମୁଖ୍ୟଫାଟକ ପାଚେରିକୁ ଡେଇଁ ପଶିଥିଲେ। ଗ୍ରିଲ୍ ବାଡ଼େଇ ତାଙ୍କୁ ଡାକିଥିଲେ। ରଞ୍ଜିତ ଗ୍ରିଲ୍ ପଛରେ ଥିବା କାଠ କବାଟକୁ ଖୋଲିବା କ୍ଷଣି ଉଭୟ ଯୁବକ ତାଙ୍କୁ ଲକ୍ଷ୍ୟ କରି ଅଚାଚନ ଗୁଳିମାଡ଼ କରିଥିଲେ। ରଞ୍ଜିତ ଭୟଭୀତ ହୋଇ କବାଟକୁ ବନ୍ଦ କରିଦେବାରୁ ତିନିରାଉଣ୍ଡ୍ ଗୁଳି କବାଟର ୩ ଇଞ୍ଚ ଭେଦ କରି ଘରେ ପଶିଥିଲା। କିନ୍ତୁ ଉପସ୍ଥିତ ବୁଦ୍ଧି ଯୋଗୁଁ ରଞ୍ଜିତ ଓ ତାଙ୍କ ପୁଅ ଆଶିଷ ଗୁଳିମାଡ଼ରୁ ବର୍ତ୍ତିଯାଇଥିଲେ। ଯୋଜନାକୁ ରୂପ ଦେବାରେ ବିଫଳ ହୋଇ ଉଭୟ ଯୁବକ ସେଠାରୁ ଚମ୍ପଟ୍ ମାରିଥିଲେ। ଖଲ୍ଲିକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିବା ସହ ତିନିଟି ଖୋକା ଜବତ କରିଥିଲ।।

ପୁଲିସ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରି ତଦନ୍ତକୁ ବିଭିନ୍ନ ଦିଗରୁ ତ୍ବରାନ୍ବିତ କରିଛି। ଏଥିରେ ସୁପାରିକିଲର୍‌ଙ୍କୁ ନିୟୋଜିତ କରାଯାଇଥିବା ଅନୁମାନ କରାଯାଉଛି। ରଞ୍ଜିତ ମହେଶ୍ବର ଗ୍ରାମ କମିଟିର ସଭ୍ୟ ଅଛନ୍ତି। କିଛିଦିନ ତଳେ ଗ୍ରାମରେ ୧୫ ଲକ୍ଷ ଟଙ୍କା ଅନୁଦାନରେ ମନରେଗା ଯୋଜନାରେ ଦୁଇଟି ରାସ୍ତାର ନିର୍ମାଣକୁ ନେଇ ମହେଶ୍ବର ଆପତ୍ତି ଓ ଅଭିଯୋଗ ଉଠାଇଥିଲେ। ଫଳରେ ରାସ୍ତା ନିର୍ମାଣ କାମ ଦାୟିତ୍ବରେ ନିୟୋଜିତ ଜଣେ ବ୍ୟକ୍ତି ତାଙ୍କୁ ଭୁଲ୍ ମାଗିଥିଲେ। କିନ୍ତୁ ସେ ଏଥିରେ ଉତକ୍ଷିପ୍ତ ହୋଇ ରଞ୍ଜିତଙ୍କୁ ହତ୍ୟା ପାଇଁ ଯୋଜନା କରିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ସେହିପରି ଘଟଣା ପଛରେ କୌଣସି ରାଜନୈତିକ ବିବାଦ ଅଛି କି ନାହିଁ, ଏହାକୁ ବି ତଦନ୍ତ ପରିସରଭୁକ୍ତ କରାଯାଇଛି।

ରଞ୍ଜିତଙ୍କ ଏତଲା କ୍ରମେ କେସ୍ ନମ୍ବର ୫୩୪ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ଗଞ୍ଜାମ ଅତିରିକ୍ତ ଏସ.ପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସଡ଼ିପିଓ ଗୌତମ କିଶାନ୍ ଓ ଥାନା ସେକେଣ୍ଡ ଅଫିସର ଅମ୍ବିକା ବେଣିଆ ପ୍ରମୁଖ ସାଇଣ୍ଟିଫିକ ଟିମ୍ ସହ ସହ ପହଞ୍ଚି ତଦନ୍ତ କରିଥିଲେ। ପୁଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ମାଷ୍ଟରମାଇଣ୍ଡ୍‌କୁ ଧରିବା ଲାଗି ସ୍ବତନ୍ତ୍ର ଟିମ୍‌ ଗଠନ କରି ବିଭିନ୍ନ ଜାଗା‌ରେ ଚଢ଼ଉ ଚାଲିଛି। ତେବେ ରଞ୍ଜିତଙ୍କ ପରିବାର ଭୟଭୀତ ହୋଇ ରହିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନ ଆଗରୁ ଖଲ୍ଲିକୋଟ ଥାନା ଇଲାକାରେ ଅସାମାଜିକଙ୍କ ଆତଙ୍କ ପୁଲିସ ଆଖିରୁ ନିଦ ହଜାଇଦେଇଛି। ଗତମାସ ୫ ତାରିଖରେ ଖଲ୍ଲିକୋଟ ବିଧାୟିକାଙ୍କ ବାସଭବନ ଉପରେ ବୋମାମାଡ଼ ହୋଇଥିବା ବେଳେ ଗତ ସପ୍ତାହରେ କେଶପୁର ଛକରେ ଥିବା ସୌରୀ ନାୟକଙ୍କ ହୋଟେଲରେ ପଶି ଦୁର୍ବୃତ୍ତ ମାନେ ୫ ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର