ଆଜିଠୁ ୧୪ ଯାଏ ବର୍ଷିବ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା

ଭୁବନେଶ୍ବର: ଛତିଶଗଡ଼-ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହା ପ୍ରଭାବରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ଏବେ ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟ‌ର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଅପରପକ୍ଷେ ଭୁବନେଶ୍ବର ପାଣିପାଗ କେନ୍ଦ୍ର ୪ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ୧୧ରୁ ୧୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି କହିଛି। ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ୧୧ରେ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କଟକ, ଢେଙ୍କାନାଳର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଖୋର୍ଧା, ଗଞ୍ଜାମରେ ମୌସୁମୀ ବାୟୁ ସକ୍ରିୟ ଯୋଗୁଁ ତୁହାକୁ ତୁହା ବର୍ଷା ହୋଇପ‌ାରେ। ସେହିପରି ୧୨ ଓ ୧୩ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଢେଙ୍କାନାଳ, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଧା, ପୁରୀ ଜିଲ୍ଲାରେ ବର୍ଷା ହେବ। ୧୩ ଓ ୧୪ରେ ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏହାପରେ ପାଗ ସାମାନ୍ୟ ପରିବର୍ତ୍ତନ ହେବ। ଆଜି ଚାନ୍ଦବାଲି ଓ ସମ୍ବଲପୁରରେ ୯ମିମି ଲେଖାଏ ବର୍ଷା ହୋଇଥିବାବେଳେ ବାଲେଶ୍ବରରେ ୦.୪ମିମି, କଟକରେ ୪ମିମି, ଭୁବନେଶ୍ବରରେ ୩.୫ମିମି, ଅନୁଗୁଳରେ ୦.୬ମିମି, ବା‌ରିପଦାରେ ୭ମିମି, ଝାରସୁଗୁଡ଼ା, ହୀରାକୁଦ ଓ ଟିଟିଲାଗଡ଼ରେ ୨ମିମି, ବଲାଙ୍ଗୀରରେ ୬.୬ମିମି, ସୋନପୁରରେ ୧ମିମି ବର୍ଷା ହୋଇଛି।

ସମ୍ବନ୍ଧିତ ଖବର