ହାଇକୋର୍ଟରେ ସ୍ୟାଟ୍ ଉଚ୍ଛେଦ ବିଜ୍ଞପ୍ତିକୁ ଚାଲେଞ୍ଜ, ଆଜି ଶୁଣାଣି

କଟକ: ଓଡିଶା ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ଉଚ୍ଛେଦ ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର ହୋଇଛି। କଟକ ଓଏଟି ବାର୍ ଆସୋସିଏସନ୍ ପକ୍ଷରୁ ସଂପାଦକ ପ୍ରକାଶ କୁମାର ରାଉତ ଦାୟର କରିଥିବା ଏ ସଂପର୍କିତ ମାମଲାର ଅଗଷ୍ଟ ୭ରେ ହାଇକୋର୍ଟରେ ଶୁଣାଣି ହେବ ବୋଲି ସୂଚନା ମିଳିଛି। କେନ୍ଦ୍ର ପର୍ସୋନେଲ୍, ପବ୍ଲିକ୍ ଗ୍ରିଭାନ୍‌ସେସ୍ ଆଣ୍ଡ୍ ପେନସନ୍ ମନ୍ତ୍ରଣାଳୟ ପକ୍ଷରୁ ସ୍ୟାଟ୍ ଉଚ୍ଛେଦ ନେଇ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ ୧୯୮୬, ଜୁଲାଇ ୧୪ରେ ଓଡିଶା ପ୍ରଶାସନିକ ଟ୍ରିବୁନାଲ ପ୍ରତିଷ୍ଠା ହୋଇଥିଲା। ପରବର୍ତ୍ତୀ ସମୟରେ ୨୦୧୫, ସେପ୍ଟେମ୍ବର ୯ରେ ସ୍ୟାଟ୍ ଉଚ୍ଛେଦ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଥିଲା। ଏ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସ୍ତାବ ବିଚାରାଧୀନ ରହିଥିବା ବେଳେ ୨୦୧୯, ଅଗଷ୍ଟ ୨ରେ ସ୍ୟାଟ୍ ଉଚ୍ଛେଦ ନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ଯେ ୧୯୮୬, ଜୁଲାଇ ୪ରେ ଓଡ଼ିଶା ପ୍ରଶାସନିକ ଟ୍ରିବୁନାଲ ପ୍ରତିଷ୍ଠା ନେଇ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କରାଯାଇଛି। ଓଡ଼ିଶା ସରକାର ସ୍ୟାଟ୍ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଏପରି ପ୍ରସ୍ତାବକୁ ହାଇକୋର୍ଟଙ୍କ ଅନୁମୋଦନ ମିଳିଥିଲା। ଆଡମିନିଷ୍ଟ୍ରେଟିଭ୍ ଟ୍ରିବୁନାଲ ଆକ୍ଟ, ୧୯୮୫ର ଧାରା ୪(୨) ଓ ଜେନେରାଲ କ୍ଲଜେସ୍ ଆକ୍ଟର ଧାରା ୨୧ରେ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି କେନ୍ଦ୍ର ସରକାର ସ୍ୟାଟକୁ ଉଚ୍ଛେଦ କରିଛନ୍ତି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା।

ସମ୍ବନ୍ଧିତ ଖବର