‘କରୋନା ପରିଚାଳନାରେ ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ’ : ରାଜଧାନୀରେ ଗର୍ଜିଲେ ୧୧ଟି ରାଜନୈତିକ ଦଳ

ରାଜ୍ୟପାଳଙ୍କୁ ଦେଲେ ସ୍ମାରକ ପତ୍ର

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା ଯୋଗୁଁ ଆମ ଦେଶରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି। କେନ୍ଦ୍ର ସରକାରଙ୍କ ରାଜନୈତିକ ସହଯୋଗୀ ଭାବେ ରାଜ୍ୟ ସରକାର କରୋନା ମହାମାରୀ ପରିଚାଳନା କ୍ଷେତ୍ରରେ ରାଜ୍ୟବାସୀଙ୍କୁ ଦୁର୍ଦ୍ଦିନ ଭିତରକୁ ଠେଲିଦେଇଛନ୍ତି। ଆଜି ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ୧୧ଟି ବିରୋଧୀ ରାଜନୈତିକ ଦଳର ନେତା ଓ ଶତାଧିକ କର୍ମୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ମିଳିତ ଭାବେ ଏପରି ପ୍ରତିବାଦ କରି ଗର୍ଜିଛନ୍ତି। ପରେ ସମସ୍ତ ଦଳରୁ ୧୧ ଜଣ ପ୍ରତିନିଧି ରାଜଭବନ ଯାଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ରାଜ୍ୟପାଳଙ୍କୁ ଭେଟି ରାଜନୈତିକ ଦଳର ପ୍ରତିନିଧିମାନେ ୧୭ ଦଫା ଦାବି ପୂରଣ ନିମନ୍ତେ ବିହିତ ପଦକ୍ଷେପ ନେବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ଏହି ପ୍ରତିନିଧି ଦଳରେ ସପ୍ତଗିରି ଉଲାକା, ଆଶିଷ କାନୁନଗୋ, ଅଳିକିଶୋର ପଟ୍ଟନାୟକ, ଯୁଧିଷ୍ଠିର ମହାପାତ୍ର, ନିଶିକାନ୍ତ ମହାପାତ୍ର, ସୁଦର୍ଶନ ପ୍ରଧାନ, ଶିବରାମ, ଜ୍ୟୋତିରଞ୍ଜନ ମହାପାତ୍ର, ହେମନ୍ତ କୁମାର, ସୁରେଶ ପାଣିଗ୍ରାହୀ ଓ ସୁଦର୍ଶନ ଦାସ ପ୍ରମୁଖ ସାମିଲ ଥିଲେ। ଅଭିଯୋଗ ଅନୁଯାୟୀ, ରାଜନୈତିକ ସ୍ବାର୍ଥ ସିଦ୍ଧି ପାଇଁ ନମସ୍ତେ ଟ୍ରମ୍ପ୍‌, ମଧ୍ୟପ୍ରଦେଶ ସରକାର ଗଠନରେ ବ୍ୟସ୍ତ ନରେନ୍ଦ୍ର ମୋଦୀ ସରକାର ଆରମ୍ଭରୁ ହିଁ କରୋନା ମୁକାବିଲାକୁ ଅଣଦେଖା କରିଛନ୍ତି। ସଂକ୍ରମଣକୁ ରୋକିବା କ୍ଷେତ୍ରରେ କୋଭିଡ୍‌ ଟେଷ୍ଟିଂକୁ ଗୁରୁତ୍ବ ନ ଦେଇ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ କରି ଚାଲିଲେ। ଏବେ ହଜାରେ ଲୋକ ସଂଖ୍ୟାରେ ମାତ୍ର ୩.୮ ଜଣଙ୍କର କୋଭିଡ ଟେଷ୍ଟିଂ କରାଯାଉଛି। ଫଳରେ ବିଶ୍ବରେ କୋଭିଡ୍‌ ସଂକ୍ରମିତ ଦେଶମାନଙ୍କ ଭିତରେ ଭାରତ ଚତୁର୍ଥ ସ୍ଥାନ ଅଧିକାର କରିଛି। ମୋଦୀ ସରକାର ଆଗରୁ ପ୍ରସ୍ତୁତି ନ କରି ଅଚାନକ ଲକ୍‌ଡାଉନ୍‌ ଘୋଷଣା କରିବା ଯୋଗୁଁ କୋଟି କୋଟି ଲୋକ ଚରମ ଦୁର୍ଦ୍ଦିନ ଭିତରକୁ ଠେଲି ହୋଇଗଲେ। ବିଶେଷକରି ପ୍ରବାସୀ ଶ୍ରମିକ, ଅସଂଗଠିତ କ୍ଷେତ୍ରର ଶ୍ରମିକ ଅକଥନୀୟ ଦୁଃଖ ଓ ନିର୍ଯାତନାର ଶୀକାର ହେଲେ। କଳକାରଖାନା ସବୁ ବନ୍ଦ ହେବା ଫଳରେ ଦେଶର ଆର୍ଥିକ ଅବସ୍ଥା ଶୋଚନୀୟ ସ୍ଥିତିକୁ ଆସିଛି।

ରାଜ୍ୟ ସରକାର ବି କେନ୍ଦ୍ର ସରକାରଙ୍କ ପରି ବ୍ୟବହାର କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ମହାମାରୀ ମୁକାବିଲା କରିବା କ୍ଷେତ୍ରରେ ପ୍ରଚାର ତୁଳନାରେ ଆବଶ୍ୟକୀୟ ଆନ୍ତରିକତା ମୁଖ୍ୟମନ୍ତ୍ରୀ ଦେଖାଇ ନାହାନ୍ତି। ଗତ ଏପ୍ରିଲ୍ ୨୮ ତାରିଖରେ ଦୈନିକ ୧୫ ହଜାର ଟେଷ୍ଟିଂ କରିବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ଏହି ଘୋଷଣା କେବଳ ଘୋଷଣାରେ ହିଁ ରହିଯାଇଛି। ଏବେ ମାତ୍ର ଦିନକୁ ୩ ହଜାର ଟେଷ୍ଟିଂ ହେଉଛି। ଅନ୍ୟରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କର କୋଭିଡ ଟେଷ୍ଟିଂକୁ ଅଣଦେଖା କରାଯାଉଛି। ଯେଉଁଥିପାଇଁ ଏବେ ରାଜ୍ୟରେ ସଂକ୍ରମଣ ମାତ୍ରା ବଢ଼ିବାରେ ଲାଗିଛି। କ୍ବାରାଣ୍ଟାଇନ୍‌ ଅବଧି ପରେ ପ୍ରବାସୀ ଶ୍ରମିକମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ଦେବାର ଘୋଷଣା କରି ସରକାର ପଛଘୁଞ୍ଚା ଦେଇଛନ୍ତି। ଓଡ଼ିଶା ରାଜ୍ୟ ଔଷଧ ନିଗମ ଦ୍ବାରା ମେଡିକାଲ ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ହୋଇଛି। ଏହାର ତଦନ୍ତ କରାଇ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି। ଛୋଟ ବ୍ୟବସାୟୀ, ଉଠା ଦୋକାନୀ, ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ, କଳାକାରମାନଙ୍କର ଜୀବିକା ପ୍ରଭାବିତ ହୋଇଛି। ଓଡ଼ିଶାର ସମସ୍ତ ପରିବାରକୁ ମାସିକ ୭ ହଜାର ୫୦୦ ଟଙ୍କା ଲେଖାଏଁ ୬ ମାସ ପାଇଁ ପ୍ରଦାନ କରିବା ସହିତ ୬ ମାସ ପର୍ଯ୍ୟନ୍ତ ପ୍ରତି ପରିବାରକୁ ୧୦ କିଲୋ ଚାଉଳ ଓ ୫ କିଲୋ ଡାଲି ଯୋଗାଇବାକୁ ଦାବି କରାଯାଇଛି। ଏହାସହିତ ଚାଷୀମାନଙ୍କର ସମସ୍ତ ରବି ଫସଲକୁ ସର୍ବନିମ୍ନ ସହାୟତା ମୂଲ୍ୟ ଦେଇ କ୍ରୟ କରିବା ସହିତ ଖରିଫ ଫସଲ ପାଇଁ ବିହନ, ସାର, କୀଟନାଶକ, ଏକର ପିଛା ୬୦ଟି ମଜୁରୀ ମନରେଗାରୁ ଭରଣା, ଉଠାଦେକାନୀ, କଳାକାରମାନଙ୍କୁ ୧୦ ହଜାର ଟଙ୍କା ସହାୟତା ଦେବାକୁ ଦାବି କରାଯାଇଛି।

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ରାଜନୈତିକ ଦଳମାନଙ୍କ ଭିତରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇଏମ୍‌, ସିପିଆଇ(ଏମ୍‌ଏଲ୍‌) ଲିବରେସନ୍‌, ସମାଜବାଦି ପାର୍ଟି, ଆମ୍‌ ଆଦ୍‌ମି ପାର୍ଟି, ଅଲ୍‌ ଇଣ୍ଡିଆ ଫରଵାର୍ଡ଼୍ ବ୍ଲକ୍‌, ସିପିଆଇ(ଏମ୍‌ଏଲ୍‌) ରେଡ୍‌ ଷ୍ଟାର୍‌, ରାଷ୍ଟ୍ରୀୟ ଜନତା ଦଳ, ସମୃଦ୍ଧ ଓଡ଼ିଶା ଭାଗ ନେଇଥିଲେ। ରାଜ୍ୟସ୍ତରୀୟ ମିଳିତ ପ୍ରତିବାଦ କାର୍ଯ୍ୟକ୍ରମରେ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜନାର୍ଦ୍ଦନ ପତି, ରାମକୃଷ୍ଣ ପଣ୍ଡା, ପ୍ରଦୀପ ମାଝୀ, ରାମଚନ୍ଦ୍ର ଖୁଣ୍ଟିଆ, ଜୟଦେବ ଜେନା, ଶରତ ରାଉତ, ସୁରେଶ କୁମାର ରାଉତରାୟ, ପଞ୍ଚାନନ କାନୁନଗୋ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ବିପିନ୍‌ ଦାସ୍‌, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ଅଭିରାମ ବେହେରା ପ୍ରମୁଖ ନେତାମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର