ହୀରାକୁଦ ଡ୍ୟାମ୍‌ରୁ ଆଜି ୧୨ଟି ଗେଟ୍‌ ବନ୍ଦ କରାଯିବା ପରେ ୨୮ଟି ଗେଟ୍‌ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର: ଉପରମୁଣ୍ଡରୁ ବନ୍ୟାଜଳ ପ୍ରବେଶ ହ୍ରାସ ପାଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଅଜି ୩ଟି ପର୍ଯ୍ୟାୟରେ ୧୨ଟି ଗେଟ୍‌ ବନ୍ଦ କରାଯାଇଛି । ଜଳଭଣ୍ଡାରରୁ ଏହି ୧୨ଟି ଗେଟ୍‌ ବନ୍ଦ କରିଦିଆଯିବା ପରେ ରାତି ୯ଟାରେ ୨୮ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏଥିରେ ବାମ ପାର୍ଶ୍ବରୁ ୨୦ଟି ଥିବା ବେଳେ ଦକ୍ଷିଣ ପାର୍ଶ୍ବରୁ ୮ଟି ରହିଛି। ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଆଶା କରାଯାଉଛି ଯେ, ଆଗାମୀ ସମୟରେ ହୀରାକୁଦ ଜଳଭଣ୍ଡାରରୁ ଆହୁରି ଗେଟ୍‌ ବନ୍ଦ କରି ଦିଆଯାଇପାରେ। ପର୍ଯ୍ୟାୟ କ୍ରମେ ଡ୍ୟାମ୍‌ରୁ ଗେଟ୍‌ଗୁଡ଼ିକ ଖୋଲି ଦିଆଯିବା ପରେ ମହାନଦୀରେ ବନ୍ୟାଜଳ ହ୍ରାସ ପାଇବ, ଯାହାକୁ ତଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରିବ।

 

ସୂଚନା ଅନୁସାରେ ଏବେ ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପିଛା ୩,୯୦,୧୮୯ କ୍ୟୁସେକ ଜଳ ପ୍ରବେଶ କରୁଛି। ଅପରପକ୍ଷେ ୪,୭୭,୦୩୪ କୁସେକ ଜଳ ନିଷ୍କାସନ କରାଯାଉଛି। ସ୍ପିଲୱେରେ ୬,୪୬,୧୫୨ କ୍ୟୁସେକ, ପାୱାର ଚେନାଲ ମାଧ୍ୟୟମରେ ୨୮,୧୪୩, ଚାଷ ପାଇଁ ୨୪୮୭ କ୍ୟୁସେକ ଜଳ ନିଷ୍କାସନ ହେଉଛି। ବିଏମସି ପାଇଁ ୨୨୦୦ କ୍ୟୁସେକ, ଏସଏମସି ପାଇଁ ୨୦୦ କ୍ୟୁସେକ, ଏସ୍‌ବିପି ପାଇଁ ୮୭ ଓ ଶିଳ୍ପ ପାଇଁ ୨୫୨କ୍ୟୁସେକ ଜଳ ନିଷ୍କାସନ ଜାରି ରହିଛି।

ହୀରାକୁଦ ଜଳ ଭଣ୍ଡାରରେ ଗୁରୁବାର ସନ୍ଧ୍ୟା ୬ଟାରେ ୬୨୩.୪୩ ଫୁଟ ଜଳସ୍ତର ରହିଛି। ୨୮ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେବା ଦ୍ବାରା ମହାନଦୀର ଜଳସ୍ତର ପୂର୍ବାପେକ୍ଷା କମୁଛି । ରାତି ୯ଟା ସୁଦ୍ଧା ପର୍ଥଲା ଦେଇ ୭୭ ହଜାର ୬୮୬ କ୍ୟୁସେକ, ଖଇରମାଳ ଦେଇ ୮ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହୋଇଥିବା ବେଳେ ବରମୂଳ ଦେଇ ୮ ଲକ୍ଷ ୪୭ ହଜାର ୫୦୦କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି କଟକ ମୁଣ୍ଡଳି ଦେଇ ମହାନଦୀରେ ୯ ଲକ୍ଷ ୯୫ ହଜାର ୧୨୦ କ୍ୟୁସେକ ଜଳ ନିଷ୍କାସନ ହେଉଛି।

ସମ୍ବନ୍ଧିତ ଖବର