ଗୁଳି ବିନିମୟରେ ୨ ମହିଳା କ୍ୟାଡର ମାଓବାଦୀ ନିହତ: ଗନ୍ଧମାର୍ଦ୍ଦନ ଜଙ୍ଗଲରେ ମାଓ କ୍ୟାମ୍ପ୍‌କୁ ଧ୍ବଂସ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଓ ଲାଠୋର ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଦୁଇଜଣ ମହିଳା କ୍ୟାଡର୍‌ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଛି। ପୁଲିସର ପ୍ରାଥମିକ ସୂଚନାରୁ ଉଭୟ ଛତିଶଗଡ଼ର ବୋଲି ଜଣାପଡ଼ିଛି। ପୁଲିସ ମାଓ କ୍ୟାମ୍ପ୍‌କୁ ପୁଲିସ ଧ୍ବଂସ କରିଦେଇଛି। ସେଠାରୁ ୨ଟି ଇନ୍‌ସାସ୍‌ ରାଇଫଲ, ୨ଟି ମାଗାଜିନ, ୫.୫୬ ଏମ୍‌ଏମ୍‌ର ଆମୁନେସନ, ମାଓ ପତ୍ରିକା ଜବତ କରିଥିବା ଜଣାପଡ଼ିଛି।

ଏସ୍‌ପି ନିତିନ କୁଶଲକରଙ୍କ ସୂଚନା ଅନୁସାରେ, ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲା ପୁଲିସ ଓ ବଲାଙ୍ଗୀର ପୁଲିସ ଗନ୍ଧମାର୍ଦ୍ଦନରେ ଅପରେସନ୍‌ ଆରମ୍ଭ କରିଥିଲେ। ଗୁଇନ୍ଦା ସୂଚନା ଆଧାରରେ ମାଓ କ୍ୟାମ୍ପ୍‌ କରି ନକ୍ସଲ ଥିବା ସୂଚନା ମିଳିବାପରେ ବୁଧବାର ୪ୟୁନିଟ୍‌ ଏସ୍‌ଓଜି ଯବାନଙ୍କୁ ନେଇ ସର୍ଚ୍ଚ ଅପରେସନ ଜୋର୍‌ଦାର୍‌ କରାଯାଇଥିଲା। ମାଓ କ୍ୟାମ୍ପ୍‌ ଠାବ କରିବାପରେ ନକ୍ସଲମାନଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଥିଲେ। ୫ରୁ ୭ ଜଣ ମାଓବାଦୀ କ୍ୟାମ୍ପ୍‌ରେ ଥିବାସମୟରେ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଜବାବରେ ପୁଲିସ ଟିମ୍‌ ନକ୍ସଲ ଉପରକୁ ଗୁଳି ଚଳାଇଥିଲେ। ପ୍ରାୟ ଅଧଘଣ୍ଟା ଧରି ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଏଥିରେ ଦୁଇ ଜଣ ମହିଳା କ୍ୟାଡର୍‌ ନକ୍ସଲ ନିହତ ହୋଇଛନ୍ତି। ପୁଲିସ ଜଙ୍ଗଲରୁ ଦୁଇ ନକ୍ସଲଙ୍କ ମୃତଦେହ ଜବତ କରିଛି। ଅନ୍ୟମାନେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ।

ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ପାଇକମାଲ ପଟରୁ ପୁଲିସ ଟିମ୍‌ ଜଙ୍ଗଲରେ ଅପରେସନ୍‌ ଚଳାଇଥିଲା। ଏପଟେ ବଲାଙ୍ଗୀର ପଟରୁ ବି ଅପରେସନ ଆରମ୍ଭ ହୋଇଥିଲା। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ନିର୍ବାଚନ ଯାଏ ଅପରେସନ ଚାଲିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ତେବେ, ମାଓବାଦୀମାନେ ନିର୍ବାଚନ ସମୟରେ ଅଘଟଣ ଘଟାଇବାର ଯୋଜନା କରିଥିଲେ ନା ନାହିଁ, ସେ ଦିଗରେ ଜବତ ହୋଇଥିବା କାଗଜପତ୍ର ସବୁ ଦେଖିଲାପରେ ଜଣାପଡ଼ିବ ବୋଲି ବଲାଙ୍ଗୀର ଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର